ETV Bharat / state

ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ଆକ୍ରମଣ କରି ଲୁଟୁନେଲେ 4ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସିସିଟିଭିରେ ଭିଡିଓ କଏଦ - Loot From Broiler Company Agent

author img

By ETV Bharat Odisha Team

Published : Apr 8, 2024, 9:30 PM IST

ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ
ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

Loot From Broiler Company Agent In Kendrapaa: ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କ ଠାରୁ ଦୁର୍ବୃତ୍ତ ଝାମ୍ପି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା । ଅଧିକ ପଢ଼ନ୍ତୁ

ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

କେନ୍ଦ୍ରାପଡ଼ା: ଦିନ ଦ୍ବିପ୍ରହରରେ ବଡ଼ ଧରଣର ଲୁଟ । ଭୁଜାଲି ଓ ରଡ଼ରେ ଆକ୍ରମଣ କରି ବ୍ରଏଲର କୁକୁଡା କମ୍ପାନୀର ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା । ଆଜି (ସୋମବାର) ଅପରାହ୍ନରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ଲୁଟର ସମ୍ପୂର୍ଣ୍ଣ ଛାଟିଥରା ଘଟଣା ସିସିଟିଭିରେ କଏଦ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା କୁଶିଆପାଳ ପଞ୍ଚାୟତ ହଳଦିଆ ଗ୍ରାମର ସେକ ମକସୁଦ, ସୋନା ଟ୍ରେଡର ନାମକ ଏକ ବ୍ରଏଲର କୁକୁଡା କମ୍ପାନୀ ଚଲାନ୍ତି । ଜିଲ୍ଲାର ପ୍ରାୟ ଅଞ୍ଚଳକୁ ସେ ବ୍ରଏଲର କୁକୁଡ଼ା ସପ୍ଲାଏ କରୁଥିବା ବେଳେ କେବଳ ସୋମବାର ଦିନ ହିଁ ତାଙ୍କର କଲେକସନ ହୋଇଥାଏ । ତେବେ ଆଜି ପୂର୍ବାହ୍ନରେ ପାଖରେ ଥିବା ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗାଁର ଏଜେଣ୍ଟ ମହମ୍ମଦ କାଶିମଙ୍କ ପୁଅ ମହମ୍ମଦ ଇସଲାମ (ଆଲମ ଗିର) ଜିଲ୍ଲାର ଚଉଦ କୁଲାଟ, ପଟ୍ଟାମୁଣ୍ଡାଇ ଓ ତମାଳ ଆଦି ବିଭିନ୍ନ ସ୍ଥାନରୁ ଟଙ୍କା କଲେକସନ କରି ଫେରୁଥିଲେ । ତେବେ ଭାଟବାଗ ନିକଟରେ ଥିବା ଆମ୍ବତୋଟା ନିକଟରେ 2 ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲେ । ତାଙ୍କୁ ତଳେ ପକାଇ ଟଙ୍କା ବ୍ୟାଗ୍ ଛିଡ଼ାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଇସଲାମଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏକ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଧସ୍ତାଧସ୍ତି ହେବା ପରେ ଦୁର୍ବୃତ୍ତ ଦୁଇଜଣ ଇସଲାମଙ୍କୁ ଦୁଇଟି ରଡ଼ରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୋନପୁରରେ ମାତିଲେ ଲୁଟେରା, ରାସ୍ତା ମଝିରେ ଅଟକାଇ ଯୁବକଙ୍କଠୁ ଲୁଟିନେଲେ 85ହଜାର ଟଙ୍କାର କ୍ୟାମେରା - Loot In Subarnapur

ସେପଟେ ଆକ୍ରମଣରେ ଇସଲାମ ଗୁରୁତର ଆହତ ହେବା ପରେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । କେନ୍ଦ୍ରାପଡା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଥିବା ଜନୈକ ବ୍ୟକ୍ତିଙ୍କ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦିନ ଦ୍ଵିପ୍ରହରରେ ଏଭଳି ଆକ୍ରମଣ ଓ ଲୁଟକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ତୁରନ୍ତ ଚଲାଇଛି ପୋଲିସ । ଏଠାରେ ସୂଚନା ଯୋଗ୍ୟ, ଗତ ୨୦୧୮ ମସିହାରେ ସୋନା ଟ୍ରେଡ଼ର୍ସ ମାଲିକ ସେକ ମକସୁଦଙ୍କୁ ସଦର ଥାନା ଜମଧର ନିକଟରେ ମରଣାନ୍ତକ ଆକ୍ରମଣ କରାଯାଇ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟ ହୋଇଥିବା ବେଳେ ଏଯାବତ ଅଭିଯୁକ୍ତମାନଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ । ଏବେ ୬ ବର୍ଷ ପରେ ତାଙ୍କ ଏଜେଣ୍ଟଙ୍କୁ ଏଭଳି ଆକ୍ରମଣ କରାଯିବା ଘଟଣା ପୋଲିସର ଉପସ୍ଥିତିକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.