ETV Bharat / state

ଲୁଟେରାଙ୍କ ନଜରରେ ବିବାହ ଉତ୍ସବ: ଅତିଥି ହୋଇ ଆସିଲେ, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଉପହାର

author img

By ETV Bharat Odisha Team

Published : Mar 5, 2024, 1:48 PM IST

Updated : Mar 5, 2024, 4:26 PM IST

ବିବାହ ଉତ୍ସବରୁ ଲୁଟ
ବିବାହ ଉତ୍ସବରୁ ଲୁଟ

Loot From Wedding Ceremony: ଲୁଟେରାଙ୍କ ନଜରରେ ଏବେ ବିବାହ ଉତ୍ସବ । ଆୟୋଜକଙ୍କ ଅସାବଧାନତାର ସୁଯୋଗ ନେଇ ବିବାହ ଉତ୍ସବରୁ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଉପହାର ଓ ସୁନା ଅଳଙ୍କାର । ସିସିଟିଭିରେ ଭିଡିଓ କଏଦ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକଙ୍କୁ ସଚେତନ ରହିବାକୁ ଅପିଲ କରିଛନ୍ତି ଏସପି ପିନାକ ମିଶ୍ର । ଅଧିକ ପଢନ୍ତୁ,

ଲୁଟେରାଙ୍କ ନଜରରେ ବିବାହ ଉତ୍ସବ: ଅତିଥି ହୋଇ ଆସିଲେ, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଉପହାର

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ବିବାହ ଉତ୍ସବ । ଆଖିରେ ଧୂଳିଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା । ଆୟୋଜକଙ୍କ ଅସାବଧାନତାର ସୁଯୋଗ ନେଇ ବିବାହ ଉତ୍ସବରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉପହାର, ସୁନା ଗହଣା । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ । ଯେଉଁଠି ଜଣେ ଲୁଟେରା ବିବାହ ଭୋଜିରେ ଅତିଥି ଭାବେ ଆସି ମଣ୍ଡପରୁ ଲକ୍ଷ ଲକ୍ଷ ଟଙ୍କାରେ ସୁନା ଗହଣା, ଉପହାର ଲୁଟି ନେଇ ଚମ୍ପଟ ମାରିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଅଭିଯୁକ୍ତ ଧରପଡ଼ିବା ସହ ଘଟଣାକୁ ନେଇ ଲୋକଙ୍କୁ ସଚେତନ ରହିବାକୁ ଅପିଲ କରିଛନ୍ତି ପୁରୀ ଏସପି ପିନାକ ମିଶ୍ର ।

ପିନାକ ମିଶ୍ର କହିଛନ୍ତି, ଚୋରି କରିଥିବା ବ୍ୟକ୍ତିର ସିସିଟିଭି ଫୁଟେଜ ମିଳିଛି । ଖୁବଶୀଘ୍ର ଅଭିଯୁକ୍ତ ଧରପଡ଼ିବ । ତେବେ ବିବାହ ମହୋତ୍ସବ ଆୟୋଜନ କରିଥିବା ବ୍ୟକ୍ତି ବିଶେଷ ସଚେତନ ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ଏଥିସହ ସହରରେ ଥିବା ସବୁ ହୋଟେଲ, ବିବାହ ମଣ୍ଡପ ଗୁଡିକ ରେ ପର୍ଯ୍ୟାପ୍ତ ସିସିଟିଭି, ସିକୁରିଟି ଗାର୍ଡ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ବୋଲି ପୁରୀ ଏସପି କହିଛନ୍ତି ।

ସେପଟେ ଅସାବଧାନତା ଯୋଗୁ ଏହି ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି ଅଭିଯୋଗକାରୀ । ଏହି ଘଟଣାରୁ ସମସ୍ତେ ଶିକ୍ଷା ଲାଭ କରି ବିବାହ ଉତ୍ସବରେ ସତର୍କ ରହିବାକୁ ଅଭିଯୋଗକାରୀ ପ୍ରମୋଦ ମିଶ୍ର ଅପିଲ କରିଛନ୍ତି । ଅନ୍ୟପଟେ ଏହି ଘଟଣା ଉପରେ ମତ ଦେଇ ହୋଟେଲିୟର କହିଛନ୍ତି, ''ଏହି ଘଟଣା ପାଇଁ ବିବାହ ଉତ୍ସବ ଆୟୋଜନ କରିଥିବା ପରିବାର ହିଁ ଦାୟୀ । ମୂଲ୍ୟବାନ ଉପହାର, ସୁନା ଗହଣା ନିଜ ବ୍ୟକ୍ତିଙ୍କ ଜିମାରେ ରଖିବା ଉଚିତ । ବିବାହ ଭୋଜି ଅନେକ ଅତିଥି ଆସିଥାନ୍ତି ସେମାନଙ୍କୁ ହୋଟେଲ କର୍ତ୍ତୃପକ୍ଷ ଚିହ୍ନିବା ସହଜ ନୁହେଁ । କୌଣସି କାର୍ଯ୍ୟକ୍ରମର ଅତିଥିଙ୍କୁ ଆମେ ଅଟକାଇ ପାରିବୁନାହିଁ । ସବୁ ହୋଟେଲ, ବିବାହ ମଣ୍ଡପରେ ପର୍ଯ୍ୟାପ୍ତ ସିସିଟିଭି ରହିବା ଉଚିତ । ଏହା ବିରୋଧରେ ଗଲେ ସେମାନଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ହୋଟେଲିୟର କହିଛନ୍ତି ।''

ସୂଚନା ଅନୁସାରେ, ଗତ ରବିବାର ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସୁଆରସାହିର ବାସିନ୍ଦା ପ୍ରମୋଦ କୁମାର ମିଶ୍ରଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କ ବିବାହ ଉତ୍ସବ ବଳିଆପଣ୍ଡା ଥାନା ଅନ୍ତର୍ଗତ ଏକ ହୋଟେଲରେ ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରୁ ସନ୍ଦୀପଙ୍କ ଅତିଥିମାନେ ହୋଟେଲରେ ପହଞ୍ଚି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ବହୁ ଅତିଥି ନବଦମ୍ପତିଙ୍କୁ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ । ତେବେ ରାତି ପ୍ରାୟ 9ଟା ପରେ ଜଣେ ଦୁର୍ବୃତ୍ତ ଏହି ବିବାହ ଉତ୍ସବରେ ଅତିଥି ଭାବେ ପ୍ରବେଶ କରିଥିଲା । ପ୍ରାୟ କିଛି ସମୟ ଏହି ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ମୂଲ୍ୟବାନ ସାମଗ୍ରୀ କେଉଁଠାରେ ରହିଛି, ତାହାକୁ ଦେଖିଥିଲା । ଏହାପରେ ଷ୍ଟେଜ୍‌ରେ ସନ୍ଦୀପ ଓ ତାଙ୍କ ନବବିବାହିତା ପତ୍ନୀଙ୍କ ସମେତ ଅନ୍ୟ ଅତିଥିମାନେ ଫଟୋ ଉଠାଇବା ସମୟରେ ସମସ୍ତଙ୍କ ନଜର ଆଢୁଆଳରେ ଲୁଟେରା ଜଣକ ଷ୍ଟେଜ୍ ପଛପଟେ ଥିବା ଉପହାର ବ୍ୟାଗକୁ ଧରି ଚମ୍ପଟ ମାରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ, ଅସହାୟ ଅବସ୍ଥାରେ ଉଦ୍ଧାର କଲା ପ୍ରଶାସନ

ଏନେଇ ପ୍ରମୋଦ କହିଛନ୍ତି, "ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଲଫାପା, ସୁନା ଅଳଙ୍କାର ଓ ଦାମୀ ଉପହାର ରହିଥିଲା । ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଆଦି ରହିଥିଲା । ଲୁଟେରା ଜଣକ ରାତି ୧୧ଟା ୩୭ ମିନିଟ୍ ସମୟରେ ବ୍ୟାଗ୍ ନେଇ ଗେଟ୍‌ରୁ ବାହାରି ଯାଉଥିବାର ସିସି କ୍ୟାମେରା ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା ।" ତେଣୁ ଏହି ଫୁଟେଜ୍‌କୁ ନେଇ ବଳିଆପଣ୍ଡା ଥାନାରେ ଦେବା ସହ ଏନେଇ ପ୍ରମୋଦ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ନେଇ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବିବାହ ଉତ୍ସବ ସାବଧାନତାରେ ରହିବାକୁ ପୋଲିସ କହିଛି ।

ଇଟିଭି ଭାରତ, ପୁରୀ

Last Updated :Mar 5, 2024, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.