ETV Bharat / state

ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ, ଅସହାୟ ଅବସ୍ଥାରେ ଉଦ୍ଧାର କଲା ପ୍ରଶାସନ

author img

By ETV Bharat Odisha Team

Published : Mar 1, 2024, 8:08 PM IST

Robbery from a Foreign Tourist
Robbery from a Foreign Tourist

Robbery from a Foreign Tourist: ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହୋଇଛି ଲୁଟ୍‌ । ]ଅସହାୟ ଅବସ୍ଥାରେ ବିଦେଶୀ ପର୍ଯ୍ୟଟକ ଉଦ୍ଧାର । ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

Robbery from a Foreign Tourist

ପୁରୀ: ପୂଣ୍ୟଭୂମି ଶ୍ରୀକ୍ଷେତ୍ରରେ ମାତିଛନ୍ତି ପାପର ସୌଦାଗର । ବିଦେଶୀ ଅତିଥିଙ୍କୁ ବି ଛାଡ଼ୁ ନାହାନ୍ତି । ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହୋଇଛି ଲୁଟ୍‌ । ଲୁଟ୍‌ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ କିଛି ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ନେଦରଲ୍ୟାଣ୍ଡର ଆନ୍ଥୋନୀ ଭ୍ୟାନ୍‌ ଆର୍କେଲଙ୍କୁ ଅତି ଦୟନୀୟ ଅବସ୍ଥାରେ ପୁରୀ ଲୋକନାଥ ରୋଡରେ ଥିବା ନିଳାଦ୍ରୀ ନିଳୟ ନାମକ ଏକ ସହରାଞ୍ଚଳ ଆଶ୍ରୟସ୍ଥଳୀରୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନୀଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡକୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ନେଦରଲ୍ୟାଣ୍ଡରୁ ଆନ୍ଥୋନୀ ଭ୍ୟାନ୍‌ ଆର୍କେଲ୍‌ ନାଗପୁରରେ ଆସି ପହଞ୍ଚିଥିଲେ । ପରେ ଗତ ଜାନୁଆରୀ ୯ ତାରିଖରେ ପୁରୀ ଆସି ଏକ ହୋଟେଲରେ ରହିଥିଲେ । ଏହା ପରଦିନ ଭିତରକନିକା ଅଭୟାରଣ୍ୟ ବୁଲିବା ପାଇଁ ଏକ କାର୍‌ ଭଡା କରି ବୁଲିବାକୁ ଯାଇଥିଲେ । ଚାନ୍ଦବାଲି ନିକଟରେ ଆନ୍ଥୋନୀଙ୍କୁ ପରିଶ୍ରା ଲାଗିବାରୁ ସେ ଗାଡ଼ିରୁ ଓହ୍ଲାଇବାର ସୁଯୋଗ ନେଇ ସମ୍ପୃକ୍ତ କାର୍‌ ଡ୍ରାଇଭର ତାଙ୍କର ୩ ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲା । କେବଳ ସେତିକି ନୁହେଁ, ଉକ୍ତ ଡ୍ରାଇଭର ଜଣକ ଆନ୍ଥୋନୀଙ୍କୁ ଭୁବନେଶ୍ବର ଏବଂ ପୁରୀରେ ଏକ ଘରେ ତାଲା ପକାଇ ରଖିଥିଲା ବୋଲି ଅଭିଯୋଗ ମଧ୍ୟ ହୋଇଛି । ପରେ ଡ୍ରାଇଭର ଜଣକ ଆନ୍ଥୋନୀଙ୍କୁ ବଳିଆପଣ୍ଡା ଅଞ୍ଚଳରେ ଛାଡ଼ି ଚମ୍ପଟ ମାରିଥିଲା । ତେବେ ଆନ୍ଥୋନୀ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ କିଛି ସମାଜସେବୀ ତାଙ୍କୁ ଉଦ୍ଧାର କରି ଲୋକନାଥ ରୋଡ ନିଳାଦ୍ରୀ ନିଳୟ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ନେଇ ରଖିଥିଲେ । ଗତ ଜାନୁଆରୀ ୨୫ ତାରିଖରୁ ଦୀର୍ଘ ଦିନ ହେବ ସେ ସେଠାରେ ପଡ଼ି ରହିଥିବା ବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନ କେହି ବି ତାଙ୍କୁ ଉଦ୍ଧାର କରିନଥିବା ସେ ଅଭିଯୋଗ କରିଛନ୍ତି । ପରେ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଆନ୍ଥୋନୀଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପାନ୍ଥନିବାସରେ ନେଇ ରଖିଛି । ତାଙ୍କ ଦେଶ ନେଦରଲ୍ୟାଣ୍ଡକୁ ଆନ୍ଥୋନୀ କିଭଳି ଫେରି ପାରିବେ, ସେନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାର ପର୍ଦ୍ଦାଫାସ, 2 ଗିରଫ

ସେପଟେ ଏହି ଲୁଟ୍‌ ଘଟଣା ଜଣାପଡିବା ପରେ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି, "ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଫେରାର ଅଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଟ୍ୟାକ୍ସିକୁ ଜବତ କରିଛି ।" ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି । ନେଦରଲ୍ୟାଣ୍ଡ ଦୂତାବାସ ସହିତ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିବା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇ ତାଙ୍କ ଦେଶକୁ ଖୁବଶୀଘ୍ର ପଠାଯିବ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ।

ବିଦେଶୀ ପର୍ଯ୍ୟଟକଙ୍କୁ 'ଅତିଥି ଦେବୋ ଭବଃ' ଆଧାରରେ ସ୍ବାଗତ ଏବଂ ସାହାଯ୍ୟ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ କିଛି ହାତଗଣତି ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଆନ୍ଥୋନୀଙ୍କ ଭଳି ବିଦେଶୀ ପର୍ଯ୍ୟଟକ ଲୁଟ୍‌ର ଶିକାର ହେଉଥିବାବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ସୁରକ୍ଷା ଏବଂ ସହଯୋଗ ପାଇଁ ପ୍ରଶାସନ ସବୁବେଳେ ତତ୍ପର ରହିବା ସହିତ ପର୍ଯ୍ୟଟକଙ୍କୁ ହଇରାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.