ETV Bharat / state

ଚୋରା ଚାଲାଣ ବେଳେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

author img

By ETV Bharat Odisha Team

Published : Mar 14, 2024, 1:06 PM IST

Ganja seized
Ganja seized

Ganja seized in Kandhamal: ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଗୋଛାପଡା ପୋଲିସ । ଅଧିକ ପଢନ୍ତୁ

Ganja seized

ଫୁଲବାଣୀ: ଗୋଛାପଡା ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି । କନ୍ଧମାଳ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତରୁ ଗଞ୍ଜେଇ ନେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶଗଡା ଅଞ୍ଚଳକୁ ଯାଉଥିବା ବେଳେ ପୋଲିସ ଜବତ କରିଛି ।

ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲିଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହାରି ଭିତରେ ଗୋଛାପଡା ପୋଲିସକୁ ମିଳିଛି ବଡ ସଫଳତା । ୪ଟି ବାଇକରେ ୪ଜଣ ମାଫିଆ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିବାର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ମୁଣ୍ଡାସାହି ଠାରୁ ଶଗଡାକୁ ସଂଯୋଗ କରୁଥିବା କାଟ୍ରାମାଳା ଘାଟି ନିକଟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଅତର୍କିତ ଚଢ଼ାଉ କରିଥିଲେ । ସେଠାରୁ ୪ଟି ବାଇକ ସହ ୩ କ୍ବିଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ବ୍ୟାଟେରି ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ, ବିହାର ଚାଲାଣ ବେଳେ ଭୁବନେଶ୍ବରରୁ ଟ୍ରକ ଜବତ

ଏହା ମଧ୍ୟ ପଢନ୍ତୁ- ଅବକାରୀ ଆଖିରେ ଧୂଳି ଦେଇ ନଡ଼ିଆ ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଶଲାଗୁଡା ପଞ୍ଚାୟତ ପିଡିଆପାଙ୍ଗା ଗାଁର ଗୌରଚନ୍ଦ୍ର ରଣା ଓ ନାରାୟଣ ରଣା ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ 51/2024ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ଗଞ୍ଜେଇ ସହ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ସେହିପରି ଫେରାର ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଶ୍ରୁତି ସାମଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଗୋଛାପଡା ଥାନାରେ କିଛିଦିନ ହେଲା କର୍ମଚାରୀ ଅଭାବ ଦେଖାଦେଇଥିବା ବେଳେ ଚଢ଼ାଉ ସମୟରେ କମ ସଂଖ୍ୟକ କର୍ମଚାରୀ ଯୋଗୁଁ ମାଫିଆମାନେ ପୋଲିସ ହାତରୁ ଖସି ଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.