ETV Bharat / state

ଅବକାରୀ ଆଖିରେ ଧୂଳି ଦେଇ ନଡ଼ିଆ ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

author img

By ETV Bharat Odisha Team

Published : Mar 2, 2024, 11:26 AM IST

Updated : Mar 2, 2024, 12:47 PM IST

Ganja Seized in Rayagada
Ganja Seized in Rayagada

Ganja Seized in Rayagada: ଗଜପତି ଜିଲ୍ଲା ଅଡବା ଅଞ୍ଚଳରୁ ବିହାର ଅଭିମୁଖେ ହେଉଥିଲା ଗଞ୍ଜେଇ ଚାଲାଣ । ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ ନଡ଼ିଆ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Ganja Seized in Rayagada

ରାୟଗଡା: ନଡ଼ିଆ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ବିହାରର ଶ୍ରବଣ ପଲ୍ ଓ ରାଜେନ୍ଦ୍ର ରାଉତ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ଅଡବା ଅଞ୍ଚଳରୁ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ ପଦ୍ମପୁର ପୋଲିସ କେନ୍ଦୁଗୁଡା ନିକଟରେ ଚଢାଉ କରିଥିଲା । ମୋଟ 1365 କିଲୋ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ୍ ୫ ହଜାର ଟଙ୍କା, ୨ଟି ମୋବାଇଲ ଓ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର ହେଉଥିବା ଟ୍ରକ ଜବତ କରିଛି ପୋଲିସ୍ ।

ତେବେ ମାଓ ଅଧ୍ୟୁଷିତ ରାୟଗଡ ଜିଲ୍ଲାର ଦୁର୍ଗମ ପାହାଡିଆ ଘଞ୍ଚ ଜଙ୍ଗଲର ଏକର ଏକର ଜମିରେ ହେଉଛି ଗଞ୍ଜେଇ ଚାଷ । ଫଳରେ ଦିନକୁ ଦିନ ବୃଦ୍ଧି ପାଉଛି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ । ଏପରିକି ମାଓପ୍ରବଣ ଇଲାକାର ଫାଇଦା ଉଠାଇ ଗଞ୍ଜେଇ ମାଫିଆମାନେ ବେଫିକର ହୋଇ ଅନେକ ଉପାୟରେ ଜିଲ୍ଲା ଭିତରେ ଓ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗ ହୁଏ । ବିଭିନ୍ନ ସମୟରେ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଅନେକ ଥର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରା ଚାଲାଣକାରୀମାନଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଗଞ୍ଜେଇ ଚାଷ କରିବାରେ ସେମାନେ ପଛଘୁଞ୍ଚା ଦେଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ମହାରାଷ୍ଟ୍ରକୁ ହେଉଥିଲା ଗଞ୍ଜେଇ ଚାଲାଣ, ଧରିଲା ବୌଦ୍ଧ ପୋଲିସ

ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଲା ପୋଲିସ,ଅବକାରୀ,କୃଷି,ରାଜସ୍ୱ ଓ ବନ ବିଭାଗ ମିଳିତରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳ ଗୁଡିକରେ ଏହାକୁ ନଷ୍ଟ କରିବା ପାଇଁ ଗ୍ରୀନ ହଣ୍ଟ ଅପରେସନ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ଜିଲ୍ଲାର ଚନ୍ଦ୍ରପୁର ଥାନା, ଗୁଡାରି ଥାନା, ପଦ୍ମପୁର ଥାନା ଅଞ୍ଚଳର ଦୁର୍ଗମ ଅଞ୍ଚଳର ଶତାଧିକ ଏକର ଚାଷଜମିରେ ପାଖାପାଖି 80 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହି ଅପରେସନରେ ଜିଲ୍ଲାର ୩ ପ୍ଳାଟୁନ ପୋଲିସ ସହ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସାମିଲ ହୋଇଥିଲେ । ସେହିପରି ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଏହି ଅପରେସନ ଚାଲୁ ରହିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ,ରାୟଗଡା

Last Updated :Mar 2, 2024, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.