ETV Bharat / state

ଆରମ୍ଭ ହେଲା ଅଗ୍ନିଶମ ସୁ୍ରକ୍ଷା ସପ୍ତାହ, ଅଗ୍ନିଶମ ବିଭାଗ ଦେଖାଇଲା ରଣକୌଶଳ - FIRE SAFETY WEEK

author img

By ETV Bharat Odisha Team

Published : Apr 14, 2024, 10:39 PM IST

FIRE SAFETY WEEK
FIRE SAFETY WEEK

FIRE SAFETY WEEK: ଭୁବନେଶ୍ବରରେ ଅଗ୍ନିଶମ ସୁ୍ରକ୍ଷା ସପ୍ତାହ ପାଳନ କଲା ଅଗ୍ନିଶମ ବିଭାଗ । ବରମୁଣ୍ଡା ଅଗ୍ନିଶମ ପଡିଆରେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କଲା ଅଗ୍ନିଶମ ବିଭାଗ । ଅଧିକ ପଢ଼ନ୍ତୁ

FIRE SAFETY WEEK

ଭୁବନେଶ୍ବର: ଆଜି ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ ଓ ସହୀଦ ଦିବସ । ଚଳିତ ବର୍ଷର ଥିମ୍‌ ରହିଛି 'ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା' । ଏନେଇ ବରମୁଣ୍ଡା ଅଗ୍ନିଶମ ପଡିଆରେ ପ୍ରଦର୍ଶିତ ହୋଇଛି ଅଗ୍ନିଶମ ବିଭାଗର ରଣକୌଶଳ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ପ୍ରତିବର୍ଷ ୧୪ ଏପ୍ରିଲକୁ ଅଗ୍ନିଶମ ସୁରକ୍ଷା ଓ ସହୀଦ ଦିବସ ଭାବେ ପାଳନ କରାଯାଏ । ୧୯୪୪ ମସିହାରେ ମୁମ୍ବାଇର ଭିକ୍ଟୋରିଆ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୨୩୯ ଜଣଙ୍କ ସହ ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଯାଇଥିଲା । ଏହି ଦୁର୍ଘଟଣାରେ ୪୦୬ ଜଣ ଆହାତ ହୋଇଥିଲେ । ସେହିଦିନଠାରୁ ଆଜିର ଦିନକୁ ଅଗ୍ନିଶମ ବିଭାଗ ପକ୍ଷରୁ ସହୀଦ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଥିମ୍‌ ରହିଛି 'ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା' । ଏହି ଅବସରରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ‌ ଆୟୋଜିତ ହୋଇଥିଲା ସମାରୋହ । ଯେଉଁଠି ଅଗ୍ନିଶମ ଡିଜିଙ୍କ ସହ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

ବିପର୍ଯ୍ୟୟ ପରିଚାଳନା ଆଇନ୍‌ ୨୦୦୫ରେ ରାଜ୍ୟ ସରକାର ଆପତକାଳୀନ ସେବା ଭାବେ ଓଡ଼ିଶା ଅଗ୍ନିଶମକୁ ଘୋଷିତ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଥମ ସେବା ଯୋଗାଇବା ପାଇଁ ଅଗ୍ନିଶମ ବିଭାଗର ଦାୟିତ୍ବ ରହିଛି । ନିକଟରେ ବାହାନଗା ଟ୍ରେନ ଦୁର୍ଘଟଣାରେ ସେବା ଯୋଗାଇ ସାରା ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି ଓଡ଼ିଶା ଅଗ୍ନିଶମ ବିଭାଗ । ପ୍ରଗତି ସାଥିରେ ଅଗ୍ନିଶମ ବିଭଗର ଦାୟିତ୍ବ ଓ ଗୁରୁତ୍ବ ବଢୁଛି ‌। ସାରା ଦେଶରେ ଓଡ଼ିଶା ଅଗ୍ନିଶମ ବିଭାଗ ଅନେକ କ୍ଷାତି ଅର୍ଜନ କରିଛି । ବାଲେଶ୍ବର ବାହାନଗା ଦୁର୍ଘଟଣାରେ ସେବା ଯୋଗାଇ 'ବେଷ୍ଟ ଆସିଷ୍ଟାଣ୍ଟ ଫାୟାର ଅଫିସର' ଭାବେ ପୂର୍ଣ୍ଣଚନ୍ଦ୍ର ମାର୍‌ଣ୍ଡିଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଶ୍ରେଷ୍ଠ କେନ୍ଦ୍ର ଅଧିକାରୀ ରୋହିତ କୁମାର ବେହେରାଙ୍କ ସହ ଶ୍ରେଷ୍ଠ ଆଗ୍ନିକ ଭାବେ ଶିବରାମ ଶାନ୍ତି ପୁରସ୍କୃତ ହୋଇଛନ୍ତି । ଉତ୍କୃଷ୍ଟ ସେବା ପାଇଁ ଶ୍ରେଷ୍ଠ ଗାଡି ଚାଳକ ଭାବେ ଝୁମ୍ପୁରା ଗାଡି ଚାଳକ ସୁରେନ୍ଦ୍ର ନାଥ ଟୁଡୁଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଅଗ୍ନି ନିର୍ବାପନରେ ଉତ୍କର୍ଷ ସେବା ପାଇଁ ରଞ୍ଜନ କୁମାର ଭୋଇ, ରେଙ୍ଗାଲି ବୋରୱେଲ୍‌ରୁ ନବଜାତକ ଶିଶୁକୁ ଉଦ୍ଧାର କ୍ଷେତ୍ରରେ ପ୍ରଭାତ କୁମାର ସାହୁଙ୍କୁ ଉତ୍କର୍ଷ ସେବା ପାଇଁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହାଉସିଂ ସୋସାଇଟିକୁ ଅଗ୍ନିଶମ ଡିଜିଙ୍କ ପରାମର୍ଶ, ବୟସ୍କଙ୍କ ପାଇଁ କରନ୍ତୁ ଆପତକାଳୀନ ବନ୍ଦୋବସ୍ତ - Fire Safety Week

ଏହି ଅବସରରେ ପରେଡ୍‌ ପରିବେଷଣ ସହ ଅଗ୍ନିଶମ ସେବାଦ୍ବାରା ଅଗ୍ନିଶମ ସୁରକ୍ଷା କ୍ଷେତ୍ରରେ ବ୍ୟବହାର ହେଉଥିବା ସରଞ୍ଜାମ ଓ ଜ୍ଞାନକୌଶଳ ପ୍ରଦର୍ଶନ ହୋଇଛି । ନିଆଁ ଲାଗିଲେ କିଭଳି ଅଗ୍ନି ନିର୍ବାପକ ପେଣ୍ଡୁ ବ୍ୟବହାର କରି ନିଆଁ ଲିଭାଇ ହେବ, ପାଣି ଭିତରୁ ଉଦ୍ଧାର କରାଯିବ, ଘରେ ନିଆଁ ଲାଗିଲେ ଉଦ୍ଧାର କାର୍ଯ୍ୟ ସହ କିପରି ନିଆଁ ଲିଭାଯାଇଥାଏ, ସୁଉଚ୍ଚ କୋଠାରୁ ଉଦ୍ଧାର‌ କାର୍ଯ୍ୟ କିପରି ହୋଇପାରିବ, ମେସିନ‌୍‌ ବ୍ୟବହାର ସହ ତେଲ ଟାଙ୍କି ବା ରାସ୍ତାରେ ପେଟ୍ରୋଲିୟମ ପଦାର୍ଥରେ ନିଆଁ ଲାଗିଲେ କିପରି ଉଦ୍ଧାର କରି ନିଆଁକୁ ଆୟତ କରାଯାଏ, ଏସବୁ ମଧ୍ୟ ପ୍ରଦର୍ଶନ ହୋଇଥିଲା । ସମସ୍ତ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ସହ ରାଷ୍ଟ୍ର ଗଠନରେ ନିମଗ୍ନ ହେବାକୁ ପରାମର୍ଶ ଦେଇଥିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.