ETV Bharat / state

ହାଉସିଂ ସୋସାଇଟିକୁ ଅଗ୍ନିଶମ ଡିଜିଙ୍କ ପରାମର୍ଶ, ବୟସ୍କଙ୍କ ପାଇଁ କରନ୍ତୁ ଆପତକାଳୀନ ବନ୍ଦୋବସ୍ତ - Fire Safety Week

author img

By ETV Bharat Odisha Team

Published : Apr 14, 2024, 10:10 PM IST

Fire Safety Week
Fire Safety Week

Fire Safety Week: ସୁ-ଉଚ୍ଚ କୋଠାରେ ନିଆଁ ଲାଗିଲେ ବୟସ୍କ ଲୋକଙ୍କୁ ସୁରକ୍ଷିତ ଓହ୍ଲାଇବା ମୁସ୍କିଲ । ସଠିକ ବନ୍ଦୋବସ୍ତ କରିବାକୁ ହାଉସିଂ ସୋସାଇଟିକୁ ଅଗ୍ନିଶମ ଡିଜିଙ୍କ ପରାମର୍ଶ । ଅଧିକ ପଢ଼ନ୍ତୁ

Fire Safety Week

ଭୁବନେଶ୍ବର: ସୁ-ଉଚ୍ଚ ବା ୧୦ ମହଲା କୋଠାରେ ବି ନିଆଁ ଲାଗିଲେ ବୟସ୍କ ଲୋକଙ୍କୁ ତଳକୁ ଓହ୍ଲାଇବା ମୁସ୍କିଲ । ନିଆଁ ଲାଗିବା ଭଳି ଆପତକାଳୀନ ସମୟରେ ସିଡ଼ିରେ ଚାଲିକି ଓହ୍ଲାଇବା ସମ୍ଭବ ନୁହେଁ । ଏଥିପାଇଁ ହାଉସିଂ ସୋସାଇଟିକୁ କିଛି ବନ୍ଦୋବସ୍ତ କରିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି । ବରମୁଣ୍ଡା ଅଗ୍ନିଶମ ସେବା ତାଲିମ ପଡିଆରେ ୮୦ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ଓ ସହୀଦ ସପ୍ତାହ ପାଳନ ଅବସରରେ ଯୋଗଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ଅଗ୍ନିଶମ ଡିଜି କହିଛନ୍ତି, "ସବୁ ଛୋଟ ବଡ଼ ଅନୁଷ୍ଠାନ, ଅଟ୍ଟାଳିକା, ଘର ପ୍ରତିଷ୍ଠାନ ଓ କଳକାରଖାନା ସବୁଠାରେ ବିପଦ ଅଛି ନିଆଁ ଦୁର୍ଘଟଣା ହେବାର । କେତେକ ଅଟ୍ଟାଳିକା ଓ ପ୍ରତିଷ୍ଠାନକୁ ଅଗ୍ନି ସୁରକ୍ଷା ପାଇଁ ପ୍ରମାଣ ପତ୍ର ନେବାକୁ ପଡେ । ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । କିନ୍ତୁ ଦେଖାଯାଉଛି, ଟଙ୍କା ପାଇଁ କିଛି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ସମସ୍ତେ ସଚେତନ ରୁହନ୍ତୁ, ମଣିଷ ଜୀବନ ଅମୂଲ୍ୟ । ଅଳ୍ପ କିଛି ଟଙ୍କା ବଞ୍ଚାଇବାକୁ ଯାଇ ଜୀବନ ଯିବା ଉଚିତ ନୁହେଁ । ଯଦି ଜଣେ ଲୋକ ଡାକ୍ତରଖାନା ଯାଏ, ମଲକୁ ଯାଏ ବା ସିନେମା ହଲକୁ ଯାଏ, ସେ ଭାବେ ସେଠାରେ ଅଗ୍ନି ସୁରକ୍ଷା ପାଇଁ ବନ୍ଦୋବସ୍ତ ଥିବ । ସେହିପରି ଉଚ୍ଚ ଅଟ୍ଟାଳିକାରେ ୫-୬ ମହଲା ବା ୮-୧୦ ମହଲା ଉପରେ ବୟସ୍କ ଲୋକଟିଏ ଥିଲେ ହୁଏତ ସେ ଜାଣିଛି ଅଗ୍ନିଶମ ସୁରକ୍ଷା ନେଇ ଯଦି ସମସ୍ୟା ସୃଷ୍ଟି ହେବ ସେ ଚାଲିକି ତଳକୁ ଓହ୍ଲାଇବା ସମ୍ଭବ ନୁହେଁ । ହାଉସିଂ ସୋସାଇଟି ଏଥିପ୍ରତି ଯତ୍ନବାନ ହେବା ଉଚିତ, ସେଠାରେ ଏଭଳି‌ ବନ୍ଦୋବସ୍ତ କରିବା ଉଚିତ ଯାହା ଫଳରେ କୌଣସି ଅସୁରକ୍ଷିତ ସ୍ଥିତି ଉତ୍ପନ୍ନ ହେବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ସେ ଆହୁରି କହିଛନ୍ତି, "ଅଗ୍ନିଶମ ବିଭାଗ କାହାକୁ ହଇରାଣ କରିବା ପାଇଁ ନୁହେଁ, କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ପରାମର୍ଶ ଦିଏ । ଆମେ ଯେଉଁ ପରାମର୍ଶ ଦେଉ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର । ପାଣି ଟାଙ୍କି ବା ହୋସ ପାଇପ ବା ଅନ୍ୟାନ୍ୟ ବ୍ୟବସ୍ଥା କରିବାର ବନ୍ଦୋବସ୍ତ ପ୍ରତି ହାଉସିଂ ସୋସାଇଟି ବା ପ୍ରତିଷ୍ଠାନ କରିବା ଆବଶ୍ୟକ । ୨୦୨୩ରେ ୨୭,୩୨୨ଟି ଅଗ୍ନିଶମଜନିତ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୩୨ଟି ଜୀବନ ଯାଇଛି । କିନ୍ତୁ ୨୫୯ଜଣଙ୍କୁ ବଞ୍ଚାଇବାରେ ଅଗ୍ନିଶମ ବିଭାଗ ସଫଳ କରିଛି । ନିଆଁ ଯୋଗୁଁ ୨୬ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ୨୦୨୩ରେ । ସେହିପରି ଗତବର୍ଷ ୨୯କୋଟିର ସମ୍ପତିକୁ ସୁରକ୍ଷା ଦେବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ରାଜ୍ୟରେ ଫାୟାର ଷ୍ଟେସନ ସଂଖ୍ୟା ୩୪୫ରେ ପହଞ୍ଚିଛି । ସମସ୍ତ ଅଗ୍ନିଶମ କର୍ମଚାରୀମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ ।" ରାଷ୍ଟ୍ର ନିର୍ମାଣରେ ନିମଗ୍ନ ରହିବାକୁ ମଧ୍ୟ ଆଗ୍ନିକମାନଙ୍କୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି ।

ତେବେ ପ୍ରତିବର୍ଷ ୧୪ ଏପ୍ରିଲରୁ ଅଗ୍ନିଶମ ସପ୍ତାହ ଓ ସହୀଦ ସପ୍ତାହ ଭାବେ ପାଳନ କରାଯାଏ । କାରଣ ୧୯୪୪ ମସିହାରେ ମୁମ୍ବାଇର ଭିକ୍ଟୋରିଆ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୨୩୯ ଜଣଙ୍କ ସହ ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଯାଇଥିଲା । ଏଥିରେ ୪୦୬ ଜଣ ଆହତ ହୋଇଥିଲେ । ସେହିଦିନଠାରୁ ଆଜିର ଦିନକୁ ସହୀଦ ଦିବସ ଭାବେ ପାଳନ କରାଯାଏ । ଏ ବର୍ଷର ଥିମ୍‌ ରହିଛି 'ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା‌' । ଏହି ଅବସରରେ ବାଲେଶ୍ବର ବାହାନଗା ଦୁର୍ଘଟଣାରେ ସେବା ଯୋଗାଇ ବେଷ୍ଟ ଆସିଷ୍ଟାଣ୍ଟ ଫାୟାର ଅଫିସର ଭାବେ ପୂର୍ଣ୍ଣଚନ୍ଦ୍ର ମାର୍‌ଣ୍ଡିଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଅନ୍ୟମାନଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.