ETV Bharat / state

ବିଦ୍ୟାଳୟ ପାଠାଗାରରେ ମୁକ୍ତ 'ପୁସ୍ତକ ବ୍ୟାଙ୍କ', ପିଲାଙ୍କଠୁ ହେବ ପୁରୁଣା ବହି ସଂଗ୍ରହ - Free Book Bank

author img

By ETV Bharat Odisha Team

Published : Apr 10, 2024, 12:43 PM IST

Free Book Bank
Free Book Bank

Free Book Bank: ବିଦ୍ୟାଳୟ ପାଠାଗାରରେ ହେବ ମୁକ୍ତ ପୁସ୍ତକ ବ୍ୟାଙ୍କ । ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସାରିଥିବା ପିଲାଙ୍କଠାରୁ ସଂଗ୍ରହ କରାଯିବ ପୁରୁଣା ବହି । ସଂଗୃହିତ ପୁସ୍ତକ ଗୁଡିକକୁ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ବଣ୍ଟନ କରାଯିବ । ଅଧିକ ପଢନ୍ତୁ

ଭୁବନେଶ୍ୱର: ବିଦ୍ୟାଳୟ ପାଠାଗାରରେ ହେବ ମୁକ୍ତ 'ପୁସ୍ତକ ବ୍ୟାଙ୍କ' । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମୁକ୍ତ ପୁସ୍ତକ ବ୍ୟାଙ୍କ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସାରିଥିବା ପିଲାଙ୍କଠାରୁ ପୁସ୍ତକ ସଂଗ୍ରହ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ଉଦ୍ୟମ କରିବେ ଏବଂ ଏହି ସଂଗୃହିତ ପୁସ୍ତକ ଗୁଡିକକୁ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ବଣ୍ଟନ କରାଯିବ ଓ 'ପୁସ୍ତକ ବ୍ୟାଙ୍କ'ରେ ରଖାଯିବ ।

ଶିକ୍ଷା ବିଭାଗ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଅଧାରୁ ପାଠ ଛାଡିଥିବା ପିଲାଙ୍କ ଚିହ୍ନଟ ଓ ପଞ୍ଜୀକରଣ କରିବାକୁ ପ୍ରୟାସ କରାଯିବ । ଅଷ୍ଟମ ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ନବମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରାଯିବା ସହ ଡ୍ରପ୍ ଆଉଟ୍ (ଅଧାରୁ ସ୍କୁଲ ଛାଡିଥିବା) ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ପୁନଃପଞ୍ଜୀକରଣ କରିବା ପାଇଁ ମନେଇବା ସହ ଆବଶ୍ୟକ ପଡ଼ିଲେ କାଉନସେଲିଂ କରାଯିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି - Free Book To Private School Student

ଅନ୍ୟପଟେ ଚଳିତ ଶିକ୍ଷାବର୍ଷ ନିମନ୍ତେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃତ୍ତି ପାଇଁ କେତେକ ଅବକାସକାଳୀନ ଗୃହକାର୍ଯ୍ୟ ଦିଆଯିବ । ଏହା ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ପୂର୍ବ ଶ୍ରେଣୀର ଧାରଣା ଗୁଡିକକୁ ଦୃଢ଼ୀକରଣ କରିବା ଓ କିଛି ମାତ୍ରାରେ ନୂତନ ଶ୍ରେଣୀର ପାଠକୁ ଶିଖିପାରିବେ । ଏଥିପାଇଁ ବିଭିନ୍ନ ବିଷୟ ଯଥା ସାହିତ୍ୟ ଗଣିତ, ଇଂରାଜୀ ଆଦି ବିଷୟ ପାଠ୍ୟକ୍ରମରୁ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଚିହ୍ନଟ କରିବା ଛାତ୍ରଛାତ୍ରୀଙ୍କୁ କୁହାଯିବ ।


ଏହାସହ ବିଦ୍ୟାଳୟ ଆସବାବପତ୍ର ଗୁଡିକର ରକ୍ଷଣାବେକ୍ଷଣ ସମେତ ସୁପରିଚାଳନା ଆଦିକୁ ଧ୍ୟାନ ଦିଆଯିବ । ଗ୍ରୀଷ୍ମ ଛୁଟି ସମୟରେ ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନ ପ୍ରୟୋଗଶାଳା, ଇ-ଲାଇବ୍ରେରୀ, ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟାଳୟ ପରିସର ଏବଂ କ୍ରୀଡା ଉପକରଣ ଆଦିକୁ ଗ୍ରୀଷ୍ମ ଛୁଟି ସମୟରେ ସଠିକ ଭାବରେ ରକ୍ଷଣାବେକ୍ଷଣ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ୟୁଡ଼ାଇସ ପ୍ଲସକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ୟୁଡ଼ାଇସ ପ୍ଲସରେ ବିଦ୍ୟାଳୟର ଶିକ୍ଷା ଓ ସାକ୍ଷରତା ଉପରେ କିଭଳି ଭାବରେ ସଠିକ ଭାବରେ ଡାଟା ଅପଲୋଡ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ 12 ଏପ୍ରିଲରେ ଉଚ୍ଚ ମାଧ୍ୟମିକ ପ୍ରଧାନ ଶିକ୍ଷକଙ୍କ ସପ୍ତମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଗକୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାରଙ୍କ ଏହି ସବୁ ନିଷ୍ପତି ଉପରେ ବୈଠକରେ ଆଲୋଚନା କରାଯିବ ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.