ETV Bharat / state

ଗୋବରୀ ନଦୀରୁ ମୃତ ଡ଼ଲଫିନ ଉଦ୍ଧାର, ଡଙ୍ଗା ମାଡରେ ମୃତ୍ୟୁ ସନ୍ଦେହ

author img

By ETV Bharat Odisha Team

Published : Feb 9, 2024, 4:32 PM IST

ଉଦ୍ଧାର ହେଲା ମୃତ ଡ଼ଲଫିନ
ଉଦ୍ଧାର ହେଲା ମୃତ ଡ଼ଲଫିନ

Dolphin Found Dead: ଉଦ୍ଧାର ହେଲା ମୃତ ଡଲଫିନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ପଞ୍ଚାୟତ ଗୋବରୀ ନଦୀରେ ମୃତ ଡଲଫିନ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଉଦ୍ଧାର ହେଲା ମୃତ ଡ଼ଲଫିନ

କେନ୍ଦ୍ରାପଡା: ଅସୁରକ୍ଷିତ ଡଲଫିନ ! ଗୋବରୀ ନଦୀରୁ ମିଳିଲା ମୃତ ଡଲଫିନ । ଗତକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ପଞ୍ଚାୟତ ଗୋବରୀ ନଦୀରେ ଡଲଫିନଟି ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ବିକ୍ରି ଉଦ୍ଦେଶ୍ୟରେ ତାକୁ ଉଦ୍ଧାର କରିଥିଲେ । ତେବେ ଡ଼ଲଫିନଟି ପ୍ରାୟ ୩/୪ ଦିନ ତଳେ ମୃତ୍ୟୁ ହୋଇଥିବ ଅନୁମାନ କରାଯାଉଛି । ଏନେଇ ବନବିଭାଗକୁ ସୂଚନା ଦିଆଯାଇଛି ।

ଗତକାଲି (ଗୁରବାର) କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ପଞ୍ଚାୟତ ଜଅଁରା ଗ୍ରାମ ନିକଟ ଗୋବରୀ ନଦୀରୁ ଏକ ମୃତ ଡ଼ଲଫିନକୁ ଉଦ୍ଧାର କରାଯାଇଛି । ଜଅଁରା ଗ୍ରାମର କେତେକ ଲୋକ ସନ୍ଧ୍ୟାରେ ଗୋବରୀ ନଦୀରେ ଏକ ବଡ଼ମାଛ ଭାସୁଥିବା ଦେଖିଥିଲେ । ଅନ୍ଧାର ହୋଇଥିବାରୁ ମାଛଟିକୁ ସଠିକ ଭାବରେ ଚିହ୍ନଟ ହୋଇପାରି ନଥିଲା । ଏହାକୁ ଧରି ବିକ୍ରି କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ଏକ ଦେଶୀ ଡ଼ଙ୍ଗା ସହାୟତାରେ ନଦୀ ଭିତରକୁ ଯାଇଥିଲେ । ନିକଟକୁ ଯାଇ ଉକ୍ତ ମାଛଟିକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଉପରକୁ ଆଣିବା ପରେ ଏହା ମାଛ ନୁହେଁ ବରଂ ଡ଼ଲଫିନ ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... କଟକରେ ବାଘ ଛାଲ ଡିଲ୍, 2 ମାଫିଆଙ୍କୁ ଗିରଫ କଲା ବନ ବିଭାଗ

ମୃତ ଡ଼ଲଫିନର ଗଳିତ ଅବସ୍ଥାକୁ ଦେଖିଲେ ତାର ମୃତ୍ୟୁ ତିନି ଚାରି ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି । ଡ଼ଲଫିନଟିର ଲମ୍ବ ପ୍ରାୟ ୬ରୁ ୭ ଫୁଟ ବୋଲି ଆକଳନ କରାଯାଉଛି । ଏହା ଗଳିତ ଅବସ୍ଥାକୁ ଚାଲି ଆସିଥିବାରୁ ଏହାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଆଜି ସକାଳୁ ବନବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ କଇଁଛ ମାନଙ୍କର ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ତେଣୁ ଜାତୀୟ ଉଦ୍ୟାନ ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗା ଗୁଡିକୁ ନିଷେଧ କରାଯାଇଛି । ତା ସତ୍ତ୍ବେ ମାଫିଆ ମାନେ ବନବିଭାଗକୁ ଚକମା ଦେଇ ଯନ୍ତ୍ରଚାଳିତ ବୋଟ ବ୍ୟବହାର କରୁଛନ୍ତି । ଫଳ ସ୍ବରୁପ ଡ଼ଲଫିନଟିର ଡଙ୍ଗା ମାଡରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗତ ଦୁଇବର୍ଷ ଧରି ଡ଼ଲଫିନ ସଂଖ୍ୟା କେନ୍ଦ୍ରାପଡା ଜିଲ୍ଲା ପାଇଁ ଶୁଭ ଖବର ଆଣିଛି । କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନର ଅନେକ ସ୍ଥାନରୁ ୫ଟି ଡ଼ଲଫିନର ମୃତଦେହ ଉଦ୍ଧାର କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.