ETV Bharat / state

ମାଘରେ ବାଘର ତାତି, ଏବେଠୁ ଅସହ୍ୟ ହେଲାଣି ଖରା

author img

By ETV Bharat Odisha Team

Published : Feb 7, 2024, 8:07 PM IST

ମାଘରେ ବାଘର ତାତି
ମାଘରେ ବାଘର ତାତି

Odisha Weather Update: ଫେବୃଆରୀରେ ବୈଶାଖର ତାତି ଅନୁଭବ ହେଉଛି । ରାଜ୍ୟରୁ ଶୀତ ଗାଏବ ଥିବାବେଳେ କ୍ରମାଗତ ତାତି ବଢୁଛି । ଅଧିକ ପଢ଼ନ୍ତୁ

ମାଘରେ ବାଘର ତାତି

ଭୁବନେଶ୍ବର: ରାଜ୍ୟରୁ ଶୀତ ଗାଏବ ଥିବାବେଳେ ମାଘରେ ବାଘ ଭଳି ଖରା ହେଲାଣି । ଫେବୃଆରୀରେ ବୈଶାଖର ତାତି ଅନୁଭବ ହେଉଛି । ଏଥର ବିଳମ୍ବରେ ଶୀତ ପଡ଼ିଥିଲେ ମଧ୍ୟ ଜଲ୍‌ଦି ଫେରିଛି ତାତି । ଏହାସହ ରାତିରେ କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ସେପଟେ ଆଉ କିଛି ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଗରମରେ ସନ୍ତୁଳି ହେଲେଣି ରାଜ୍ୟବାସୀ । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏହିପରି ତାପମାତ୍ରା ଆସନ୍ତା ୩ ଦିନ ଯାଏଁ ଜାରି ରହିବ । ସେହିପରି ଆସନ୍ତା ୯ ଓ ୧୦ ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଆସନ୍ତା ୧୦ ,୧୧ ,୧୨ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାର କିଛି କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା , ମୟୁରଭଞ୍ଜ ହାଲୁକା ବର୍ଷାର ସମ୍ଭାବନା ରହିଥିବା ବେଳେ ୧୧ରେ ବର୍ଷାର ପରିମାଣ ଟିକେ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି କରି ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ବର୍ଷାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟରେ ଉପର ମୁହାଁ ପାରଦ, ଆରମ୍ଭ ହେଲାଣି ତାତି

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୬ ଡ଼ିଗ୍ରୀ ଯାଏଁ ଅଧିକ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ରାଜ୍ୟର ୧୩ ଟି ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିଲା । ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ୩୪. ୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ମଧ୍ୟ ୩୪ ଉପରେ ରହିଛି ।

ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ସେପଟେ ପ୍ରଶାନ୍ତ ମହାସାଗରେ ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ ହେଉଥିବା କହୁଛି ବିଭାଗ । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଥିବା ବେଳେ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.