ETV Bharat / state

ରାଜ୍ୟରେ ଉପର ମୁହାଁ ପାରଦ, ଆରମ୍ଭ ହେଲାଣି ତାତି

author img

By ETV Bharat Odisha Team

Published : Feb 6, 2024, 10:19 PM IST

Odisha Weather Update: ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଉଭାନ ହେଉଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଉପର ମୁହାଁ ପାରଦ
ରାଜ୍ୟରେ ଉପର ମୁହାଁ ପାରଦ

ରାଜ୍ୟରେ ଉପର ମୁହାଁ ପାରଦ

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ ହେଲାଣି ପାରଦ । ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଉଭାନ ହେଉଛି ଶୀତ । ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଥିବା ବେଳେ ଆଜି ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ ହୋଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ଓଡିଶାର ଦକ୍ଷିଣ ଉପକୂଳ ସମେତ ପାଶ୍ୱବର୍ତ୍ତୀ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଥିବା ବେଳେ ଘନ କୁହୁଡ଼ିକୁ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡ । ଏହାସହ ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ପରବର୍ତ୍ତୀ ଦୁଇଦିନ ପରେ ପୁଣି ୨ରୁ ତିନି ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.....ରାଜ୍ୟରୁ ଶୀତ ଗାଏବ, ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଅନ୍ୟପଟେ ଆସନ୍ତା ୧୦ ,୧୧ ଓ ୧୨ ତାରିଖ ବେଳକୁ ରାଜ୍ୟର କିଛି ଅଂଚଳରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତ ଶୁଖିଲା ରହିଥିବା ବେଳେ ଦିନର ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ଓଡ଼ିଶାର ପ୍ରାୟ ସ୍ଥାନରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଏହି କ୍ରମରେ ପୁରୀରେ ୨୪ ଡିଗ୍ରୀ, ପାରାଦ୍ବୀପରେ ୨୩ ଡିଗ୍ରୀ, କେନ୍ଦ୍ରାପଡା ୨୨.୪ ଡିଗ୍ରୀ, ଗୋପାଳପୁର ୨୧.୯ ଡିଗ୍ରୀ , ଚାନ୍ଦବାଲି ୨୧.୯ ଡିଗ୍ରୀ, ବାଲେଶ୍ୱର ୨୧.୭ଡିଗ୍ରୀ, ଭୁବନେଶ୍ୱର ୨୧.୨ ଡିଗ୍ରୀ ଓ କଟକରେ ୨୦ ଡିଗ୍ରୀ ଏହିଭଳି ୧୫ ଟି ସ୍ଥାନରେ ୨୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୦.୯ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ କେନ୍ଦୁଝର ଓ ଭବାନୀପାଟଣାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.