ETV Bharat / state

କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳକୁ ନେଇ ରାଜନୀତି, ଶ୍ରେୟ ନେବାକୁ କଂଗ୍ରେସର ପ୍ରୟାସ

author img

By ETV Bharat Odisha Team

Published : Mar 5, 2024, 7:00 AM IST

କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳ
କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳ

Congress Pressmeet: ହରିଦାସପୁର- ପାରାଦ୍ବୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ପ୍ରସଙ୍ଗରେ କେନ୍ଦ୍ରାପଡ଼ାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଅଢିକ ପଢ଼ନ୍ତି

କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳ

କେନ୍ଦ୍ରାପଡା: ପୁରଣ ହେବ କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ବପ୍ନ । ଜିଲ୍ଲା ଦେଖିବ ପ୍ରଥମ ଯାତ୍ରୀବାହୀ ଟ୍ରେନ । ବହୁ ଦିନର ଦାବି ପରେ ପ୍ରଥମ କରି ଜିଲ୍ଲାରେ ଗଡ଼ିବାକୁ ଯାଉଛି ଯାତ୍ରୀବାହୀ ରେଳ । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ପ୍ରଥମ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିବେ । ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଦେଇ ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ଯାତ୍ରୀବାହୀ ଟ୍ରେନ । ଏନେଇ ଖବର ପ୍ରଚାର ପ୍ରସାର ପରେ ବିଭିନ୍ନ ରାଜନୈତିକ ଦଳ ପରସ୍ପର ବାଃ ବାଃ ନେବାକୁ ଚେଷ୍ଟା କରିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରାପଡା ଜିଲ୍ଲାବାସୀ, ବିଶେଷକରି କେନ୍ଦ୍ରାପଡା ଟାଉନ ଓ ବ୍ଲକ କଂଗ୍ରେସ କର୍ମୀମାନଙ୍କୁ ଏହି ଯାତ୍ରୀବାହୀ ରେଳ ଚଳାଚଳ କରିବା ଆନ୍ଦୋଳନ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ।

ଆଜିଠାରୁ (ମଙ୍ଗଳବାର) ଜିଲ୍ଲାରେ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ ସେବା । ଏହା ପୂର୍ବରୁ ଗତକାଲି (ସୋମବାର) ଏକ ପ୍ରେସମିଟ କରି କଂଗ୍ରେସ ମଧ୍ୟ ଶ୍ରେୟ ନେବାକୁ ପ୍ରୟାସ କରିଛି । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, "କେନ୍ଦ୍ରାପଡା ଜିଲ୍ଲାକୁ ପ୍ୟାସେଞ୍ଜର ଟ୍ରେନ ଚାଲିବା ପାଇଁ ତିନୋଟି ବଡ଼ ଆନ୍ଦୋଳନ କରାଯାଇଥିଲା । ଯେପରିକି 'ମାଟି ପାଇଁ ପାଟି ଖୋଲ', 'ମାଟି ପାଇଁ ମାଡିଚାଲ' ଓ ସଦ୍ୟ ଶେଷ ହୋଇଥିବା 'ମାଟି ପାଇଁ ଜେଲ ଚାଲ' ଆନ୍ଦୋଳନ କରିଥିଲା କଂଗ୍ରେସ । ଏହାସହ ବାରମ୍ବାର ବିଭିନ୍ନ ଫୋରମରେ ଦାବି କରିବା ଏବଂ ରେଲୱେ ଡିଆରଏମଙ୍କୁ ତତ୍କାଳୀନ କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଓ ଆଳି କଂଗ୍ରେସ ନେତା ଦେବେନ୍ଦ୍ର ନାଥ ଶର୍ମା, ଜଟଣୀ ବିଧାୟକ ସୁର ରାଉତରାୟ ଭେଟିଥିବା ବେଳେ ପୁର୍ବରୁ ବହୁବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଗତ ୨ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଦ୍ବାରା କେନ୍ଦ୍ରାପଡା ଜିଲ୍ଲାକୁ ପ୍ୟାସେଞ୍ଜର ଟ୍ରେନ ଚାଲିବାକୁ ଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସେପଟେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କଂଗ୍ରେସ ନେତା ଗଣେଶ୍ୱର । କେନ୍ଦ୍ରାପଡା ଜିଲ୍ଲାରୁ ଅଧିକ ଲୋକେ କଲିକତାରେ କାମ କରି ସେମାନଙ୍କ ଜୀବିକା ନିର୍ବାହ କରୁଥିବାରୁ କଲିକତାକୁ ପ୍ୟାସେଞ୍ଜର ଟ୍ରେନ ଚାଲିବା ପାଇଁ ଦାବି ଜଣାଇଛନ୍ତି ଗଣେଶ୍ୱର । ତେବେ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଦେଇ ଆସନ୍ତା ୮ ତାରିଖରୁ ମେମୁ ଟ୍ରେନ ପାରାଦ୍ୱୀପରୁ କେନ୍ଦୁଝରଗଡ଼ ଗଡ଼ିବାକୁ ଥିବା ବେଳେ ଏହି ଟ୍ରେନ କେନ୍ଦୁଝରଗଡ଼, ନରଣପୁର, ବସନ୍ତପୁର, ସୀତାବାଞ୍ଜି, ନୀଳକଣ୍ଠେଶ୍ୱର, ହରିଚନ୍ଦନପୁର, ଚିଲିକିଦାରା, ଶଗଡପଟା, ଟାଙ୍ଗିରିଆପାଳ, ଟମକା, ବାଘୁଆପାଳ, ସୁକିନ୍ଦା ରୋଡ଼, ଯଖପୁରା, ଜେନାପୁର, ହରିଦାସପୁର, ଚଣ୍ଡିଖୋଲ ରୋଡ଼, ଲଳିତଗିରି, ବାଜିପଡା, କେନ୍ଦ୍ରାପଡା, ମାର୍ଶାଘାଇ ରୋଡ଼, କଳାଗଡ଼ ଓ ନୂଆଗାଁ ଆଦି ଷ୍ଟେସନରେ ରହଣି ସହ ପାରାଦ୍ୱୀପରେ ପହଞ୍ଚିବା ନେଇ ସୂଚନା ମିଳିଛି ।

ଇଟିିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.