ETV Bharat / state

ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 4, 2024, 7:30 AM IST

PM Modi Visit Odisha: ଓଡ଼ିଶାରେ ପ୍ରଧାନମନ୍ତ୍ରୀ କରିବେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ । ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ। ଏହାକୁ ଉଦଘାଟନ କରିବେ ମୋଦି । ଅଧିକ ପଢନ୍ତୁ

PM Modi Visit Odisha
PM Modi Visit Odisha

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସମୟରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । 3223 କୋଟିରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହିତ ଶିଳାନ୍ୟାସ କରିବେ । ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ପ୍ରଥମ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିବେ ମୋଦି । ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଦେଇ ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ଯାତ୍ରୀବାହୀ ଟ୍ରେନ ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଅପରାହ୍ନ 3ଟା 30 ମିନିଟରେ ପହଞ୍ଚିଥିବେ । ସେଠାରେ 19 ହଜାର 600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି ସହିତ କ୍ଷେତ୍ର ଗୁଡିକ ସହିତ ଜଡିତ ।

ଏହା ମଧ୍ୟ ପଢନ୍ତୁ-ମାର୍ଚ୍ଚ 5ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ ରହିଛି କାର୍ଯ୍ୟକ୍ରମ

ପାରାଦ୍ବୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ସେ ଓଡିଶାର ପାରାଦ୍ବୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ ମଧ୍ୟ ଉଦଘାଟନ କରିବେ । ଭାରତର ପୂର୍ବତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପାରାଦୀପରେ 0.6 MMTPA LPG ଆମଦାନୀ ସୁବିଧାକୁ ମଧ୍ୟ ଉଦଘାଟନ କରିବେ । ସେହିପରି ସଡକ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ NH-49 ସିଙ୍ଗଡ଼ା ଠାରୁ ବିଞ୍ଜବାହାଲ୍ ତିଳେଇବନି ଚାରି ଲେନ, NH-18 ର ବାଲେଶ୍ୱର-ଝରପୋଖରିଆ ଚାରି ଲେନ୍ ଏବଂ NH-16ର ଟାଙ୍ଗୀ- ଭୁବନେଶ୍ୱର ଚାରି ଲେନକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଏଥି ସମେତ ଚଣ୍ଡିଖୋଲରୁ ପାରାଦ୍ବୀପ ମଧ୍ୟରେ ଚାରି ଲେନରୁ ଆଠଟି ଲେନ ଅଧିକ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରେଳ ଭିତ୍ତିଭୂମି: ପ୍ରଧାନମନ୍ତ୍ରୀ 162 କିମି ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ଦୋହରିକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ ସୁବିଧା କ୍ଷମତାକୁ ବୃଦ୍ଧି କରାଇବା ସହ କେନ୍ଦୁଝର ଜିଲ୍ଲାରୁ ନିକଟ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଏବଂ ମାଙ୍ଗାନିଜ ଖଣିର ଦକ୍ଷ ପରିବହନକୁ ମଧ୍ୟ ସୁଗମ କରିବ । ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବା ଲକ୍ଷ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦଘାଟନ କରାଯିବ । ଏହା ସହ ନର୍ଲା ଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଟ୍ରେନ ଇଞ୍ଜିନ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା, କାଣ୍ଟାବାଞ୍ଜିରେ ୱାଗନ୍ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା ସମେତ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସହ ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ।


ଅନ୍ୟପଟେ ବାଂଶପାଣି-ଦୈତାରୀ-ଟମକା-ଜଖପୁରା ରେଳ ସେକ୍ସନର ଦୋହରୀକରଣ ଏବଂ ଖୋର୍ଦ୍ଧା ରୋଡ-ବାରଙ୍ଗ ସେକ୍ସନର 3ୟ ଲାଇନ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରାଯିବ । କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ ମୋଦି । କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଦେଇ ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ପ୍ରଥମ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିବେ l ଏହା ବ୍ୟତୀତ, ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବା ପ୍ରଚଳନକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।



ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.