ETV Bharat / state

ଏମସିଏଲ ଦ୍ବାରା ପ୍ରଭାବିତ ସ୍କୁଲ ଓ ଗ୍ରାମ, କେବେ ଦୂର ହେବ ସମସ୍ୟା

author img

By ETV Bharat Odisha Team

Published : Mar 14, 2024, 10:12 AM IST

Updated : Mar 14, 2024, 2:55 PM IST

ଏମସିଏଲ ଦ୍ବାରା ପ୍ରଭାବିତ ସ୍କୁଲ ଓ ଗ୍ରାମ
ଏମସିଏଲ ଦ୍ବାରା ପ୍ରଭାବିତ ସ୍କୁଲ ଓ ଗ୍ରାମ

Coal Mining Impact: ବିସ୍ଥାପିତଙ୍କ କରୁଣ କାହାଣୀ । ଜନବସତି ନିକଟରେ କୋଇଲା ଖଣି ଥିବାରୁ ଝାରସୁଗୁଡା ଜିଲ୍ଲା ଯୋରାବଗା ଗ୍ରାମରେ ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ଅଧିକ ପଢ଼ନ୍ତୁ

ଏମସିଏଲ ଦ୍ବାରା ପ୍ରଭାବିତ ସ୍କୁଲ ଓ ଗ୍ରାମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଯୋରାବଗା ଗ୍ରାମର ଗୌରପଡ଼ା । କୋଇଲା ଖଣି ଠାରୁ ମାତ୍ର କିଛି ମିଟର ଦୂରରେ ରହିଛି ଏହି ଗାଁ । ଏଠାରେ ପ୍ରାୟ ୪୦ଟି ପରିବାର ବସବାସ କରନ୍ତି । ଏମାନେ ସବୁବେଳେ ଭୟଭୀତ ଅବସ୍ଥାରେ ବାସ କରୁଛନ୍ତି । ତେବେ ଏମାନଙ୍କୁ ଏପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ନମିଳିବା ସାଙ୍ଗକୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇ ନାହିଁ । ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ MCL କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବି ଏମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରାଯାଇଛି । ଖାଲି ସେତିକି ନୁହେଁ ଏଠାରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ମଧ୍ୟ ଛୁଆମାନେ ଭୟଭୀତ ଅବସ୍ଥାରେ ପାଠ ପଢୁଥିବା ଦେଖାଯାଇଛି ।

ଝାରସୁଗୁଡା ଜିଲ୍ଲାର ଯୋରାବଗା ଗ୍ରାମରେ ୧୯୬୫ରେ TSCO କମ୍ପାନୀର ଖଡ଼ି ପଥର ମାଇନ୍ସ ରହିଥିଲା । ସେହି ସମୟରେ ସାବଳ ଓ କୋଦାଳରେ ଖଡ଼ି ପଥର ଖନନ କରୁଥିଲେ କର୍ମଚାରୀ । ସେହି ସମୟରେ କିଛି ସ୍ଥାନୀୟ ଲୋକମାନେ ସେହି TSCO ମାଇନ୍ସରେ ଚାକିରି ମଧ୍ୟ କରୁଥିଲେ । ୧୯୮୦ ମସିହାରେ PTS ନାମକ କମ୍ପାନୀ BOCM ଠାରୁ କୋଇଲା ପରିବହନ ଆରମ୍ଭ କରିଥିଲା । ପରେ ପରେ ଯୋରାବଗା ଠାରେ ମାଇନ୍ସ ହେବା ନେଇ MCL ପକ୍ଷରୁ କୋଇଲା ଖନନ ପାଇଁ ସର୍ଭେ ମଧ୍ୟ ଆରମ୍ଭ ହେଲା । ପୁଣିଥରେ ୧୯୯୩ ମସିହାରେ MCL ପକ୍ଷରୁ ସର୍ଭେ କରାଯାଇଥିଲା । ଏମିତି କରି ପୁଣି ୨୦୧୭ ଡିସେମ୍ବରରେ ସର୍ଭେ କରାଯାଇଥିଲା । ସର୍ଭେ ହେବାର ପ୍ରାୟ ୪ ବର୍ଷରେ ସ୍ଥାନୀୟ ଜନସାଧାରଣଙ୍କୁ ନଜଣାଇ ଯୋରାବଗା ଠାରେ ମାଇନ୍ସ ଆରମ୍ଭ କରାଯାଇଥିଲା । ଜନବସତି ଠାରୁ ପ୍ରାୟ ୧୦ରୁ ୫୦ ମିଟର ଦୂରରେ ରହିଛି ମାଇନ୍ସ । ଏତିକି କମ ଦୂରତାରେ ମାଇନ୍ସ ଥିବାରୁ ଏଠାରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ବହୁଜନ ସମାଜ ପାର୍ଟିର ବିଶାଳ ଶୋଭାଯାତ୍ରା, ଜିତୁ ଜାକେସିକାଙ୍କ ଗିରଫ ପ୍ରତିବାଦରେ ଘେରିଲେ ଥାନା

କେତେବେଳେ ମାଇନ୍ସ ବିସ୍ଫୋରଣ ଯୋଗୁଁ କାହା ଘରର କାନ୍ଥରେ ଫାଟ ଦେଖାଦେଉଛି ତ ଆଉ କେଉଁ ଘରର ଛାତରେ ଫାଟ ହୋଇଛି । ଏଥିସହ ବାୟୁ ପ୍ରଦୂଷଣ ଭିତରେ ଲୋକେ ନିଜ ଜୀବନ ଅତିବାହିତ କରୁଥିବା ଦେଖାଦେଇଛି । ଏହି ସମସ୍ତ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କ ଠାରୁ MCL କର୍ତ୍ତୃପକ୍ଷଙ୍କ ଯାଏଁ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଯୋରାବଗାରେ ଥିବା ଆଶ୍ରମ ବିଦ୍ୟାଳୟ କୋଇଲା ଖଣି ଠାରୁ ମାତ୍ର ୧୦ରୁ ୨୦ ମିଟର ଦୂରରେ ରହିଛି । ଏହି ବିଦ୍ୟାଳୟରେ ପ୍ରାୟ ୧୫୦ଜଣ ଆଦିବାସୀ, ହରିଜନ ଛାତ୍ରଛାତ୍ରୀ ପାଠ ପଢନ୍ତି ।

କୋଇଲା ଖଣି ଏହି ବିଦ୍ୟାଳୟ ପାଖରେ ଥିବାରୁ ଖଣିର ପ୍ରଦୂଷଣ ବିଦ୍ୟାଳୟ ଭିତରକୁ ଆସି ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିବା ସହିତ ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନକୁ ମଧ୍ୟ ପ୍ରଦୂଷିତ କରୁଥିବା ଦେଖାଦେଇଛି । ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କିମ୍ବା ବିଦ୍ୟାଳୟକୁ ସ୍ଥାନାନ୍ତରଣ ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ତେବେ ଏହି ବିସ୍ଥାପିତଙ୍କ ସମସ୍ୟା ଦୂର କରିବ କିଏ ଏବଂ କେବେ ଖଣି ବିସ୍ଥାପିତ ପରିବାର ଏକ ସୁସ୍ଥ ସମାଜରେ ରହିବେ ତାହା ସମୟ ହିଁ କହିବ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Mar 14, 2024, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.