ETV Bharat / state

ବହୁଜନ ସମାଜ ପାର୍ଟିର ବିଶାଳ ଶୋଭାଯାତ୍ରା, ଜିତୁ ଜାକେସିକାଙ୍କ ଗିରଫ ପ୍ରତିବାଦରେ ଘେରିଲେ ଥାନା

author img

By ETV Bharat Odisha Team

Published : Mar 12, 2024, 10:48 PM IST

BSP Protest
BSP Protest

BSP Protest Infront of Muniguda Police Station: ଦଳିତଙ୍କୁ ନ୍ୟାୟ ଓ ଜିତୁ ଜାକେସିକାଙ୍କୁ ନିସର୍ତ୍ତ ଖଲାସ ଦାବିରେ ମୁନିଗୁଡାରେ ବହୁଜନ ସମାଜ ପାର୍ଟିର ଥାନା ଘେରାଉ । ଅଧିକ ପଢନ୍ତୁ

BSP Protest

ରାୟଗଡା: ମୁନିଗୁଡାରେ ବିଏସପି ନେତା ଜିତୁ ଜାକେସିକାଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ । ହଜାର ହଜାର ସଂଖ୍ୟାରେ ଡଙ୍ଗରିଆ, ଆଦିବାସୀ ଓ ଦଳିତ ବର୍ଗର ପୁରୁଷ ମହିଳା ଦଳିତଙ୍କୁ ନ୍ୟାୟ ଓ ଜିତୁ ଜାକେସିକାଙ୍କୁ ନିସର୍ତ୍ତ ଖଲାସ ଦାବିରେ ମୁନିଗୁଡାରେ ବହୁଜନ ସମାଜ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ଦଳ ପକ୍ଷରୁ ଥାନା ଘେରାଉ ମଧ୍ୟ କରାଯାଇଥିଲା ।

ଏହି ଶୋଭାଯାତ୍ରା ମୁନିଖୋଲ ପଡିଆରୁ ବାହାରି ସହର ପରିକ୍ରମା କରିବା ପରେ ଥାନା ନିକଟରେ ପହଞ୍ଚି ବିକ୍ଷୋଭ ସହ ଘେରାଉ କରାଯାଇଥିଲା । ଗତ 23 ତାରିଖ ଦିନ ସକଟା ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଥିବା ଘଟଣାରେ ଜିତୁଙ୍କୁ ଗିରଫ କରାଯାଇଥିବା ବେଳେ ଜିତୁଙ୍କ ପାଲଟା ଏତଲା କ୍ରମେ ସମ୍ପୃକ୍ତ ଡାକ୍ତର ଗିରଫ ହୋଇନଥିବା ପ୍ରତିବାଦ କରାଯାଇଛି । ସୂଚନାଯୋଗ୍ୟ, ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମରା ଘଟଣାରେ ଅଭିଯୁକ୍ତ ବିଏସପି ନେତା ଜିତୁ ଜାକେସିକାଙ୍କୁ ମୁନିଗୁଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ସୁଧା ଜାମିନ ନମିଳିବାରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ନାହାନ୍ତି ଆବଶ୍ୟକ ଡାକ୍ତର, ଅଚଳ ଏକ୍ସରେ ମେସିନ

ଗତ 20 ତାରିଖ ଦିନ ସକଟା ଉପସ୍ବାସ୍ଥ୍ୟକେନ୍ଦ୍ରରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମରା ଭିଡିଓ ଭାଇରାଲ ହେବା ପରେ ପୋଲିସ ତତ୍ପରତା ଦେଖାଇ ଜିତୁଙ୍କୁ ଗିରଫ କରିଥିଲା । ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶକଟା ଗ୍ରାମରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ ପରିଦର୍ଶନ କାର୍ଯ୍ୟକ୍ରମ ଥିବାବେଳେ ବିଏସପି ନେତା ଜିତୁ ଜାକେସିକା ନିଜ ସମର୍ଥକଙ୍କ ସହ ପହଞ୍ଚି ଉପସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଥିଲେ ଓ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲା ପକାଇ ଦେଇ ବାହାରକୁ ଛାଡ଼ିନଥିଲେ । ଖବର ପାଇ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସବ୍ୟସାଚୀ ମହାପାତ୍ର ସେଠାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଏସପି ନେତା ଜିତୁ ଜାକେସିକାଙ୍କ ସହ ଯୁକ୍ତିତର୍କ ହୋଇଥିଲା ଓ ପରେ ଡାକ୍ତରଙ୍କୁ ମାଡ ମରାଯାଇଥିଲା । ତେବେ ଶୀଘ୍ର ଜିତୁଙ୍କୁ ଖଲାସ କରାଯିବା ସହ ସଂପୃକ୍ତ ଡାକ୍ତରଙ୍କୁ ଗିରଫ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେ ସାରା ଓଡିଶାରେ ଆନ୍ଦୋଳନ କରାଯିବ ବୋଲି ବିଏସପି ତରଫରୁ ଧମକ ଦିଆଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.