ETV Bharat / state

ସାଢେ ଚାରି କୋଟି ଓଡ଼ିଆଙ୍କୁ ନବୀନଙ୍କ ଚିଠି, ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ୱାନ

author img

By ETV Bharat Odisha Team

Published : Mar 18, 2024, 7:51 AM IST

CM Naveen Patnaik
CM Naveen Patnaik

Naveen Patnaik Letter to People of Odisha: ସାଢେ ଚାରି କୋଟି ଓଡ଼ିଆଙ୍କୁ ଚିଠି ଲେଖିଲେ ନବୀନ । ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ୱାନ ରାଜ୍ୟବାସୀଙ୍କୁ କଲେ ଆହ୍ବାନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ସାଧାରଣ ନିର୍ବାଚନ ପୂର୍ବରୁ ସାଢ଼େ 4କୋଟି ଓଡ଼ିଆଙ୍କୁ ଚିଠି ଲେଖିଛନ୍ତି ନବୀନ । ଆଗାମୀ ଦିନରେ ଓଡିଶା କିଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥିତିରେ ରହିବ ସେ ନେଇ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଓଡିଶାକୁ ସଶକ୍ତ କରିବା,ଆଉ କିଛି ଦିନରେ ଓଡିଶା ନୂଆ ଇତିହାସ ସୃଷ୍ଟି କରିବ । ଓଡିଶା ସବୁ ଥିରେ ଏକ ନମ୍ବର । 2036 ସୁଧା ସବୁ କ୍ଷେତ୍ରରେ ଓଡିଶା ଏକ ନମ୍ବର ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ ।

'ଓଡ଼ିଶାଙ୍କ ସେବା ପାଇଁ ସୁଯୋଗ ପାଇବା ମୋର ସୌଭାଗ୍ୟ': ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, '' ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଆପଣ ମାନେ ଦେଇଥିବାଭଲପାଇବା ଓ ଅକୁଣ୍ଠ ବିଶ୍ବାସ ନିକଟରେ ମୁଁ କୃତଜ୍ଞ । ସାଢ଼େ ଚାରି କୋଟି ଓଡ଼ିଶାଙ୍କ ସେବା ପାଇଁ ସୁଯୋଗ ପାଇବା ମୋର ପରମ ସୌଭାଗ୍ୟ । ଆଉ କିଛି ମାସ ମଧ୍ୟରେ ମୋ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସମସ୍ତଙ୍କ ପାଖରେ ଅଛି । ମୋ ଉପରେ ଆପଣ କରିଥିବା ବିଶ୍ୱାସ ମୋତେ ଆହୁରି ଦୃଢ଼ତାର ସହ କାମ କରିବାକୁ ପ୍ରେରଣା ଯୋଗାଇଛି । ''

ଏହା ମଧ୍ୟ ପଢନ୍ତୁ-ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, 'ବିକଶିତ ଭାରତ ଗଠନ ପାଇଁ ଆପଣଙ୍କ ସମର୍ଥନ ଚାହେଁ'

'ସମସ୍ତେ ମିଶି ଗଠନ କରିବା ଶସକ୍ତ ଓଡ଼ିଶା': '' ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ଆମେ ସମସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ କରିବା । ଯୁବତୀ, ଯୁବକ, ମହିଳା, ଉଦ୍ୟୋଗୀ ତଥା ଚାଷୀ ଓ ଜନଜାତି ଭାଭ ଭଉଣୀମାନଙ୍କ ହାତରେ ରହିବ ରାଜ୍ୟ ବିକାଶର ମଙ୍ଗ । ''

ଓଡ଼ିଶା ବିକାଶକୁ ନୂଆ ଦିଗ ଦେଇଛି 5T ମନ୍ତ୍ର: '' ବିଗତ ପାଞ୍ଚ ବର୍ଷରେ 5T ମନ୍ତ୍ର ଓଡ଼ିଶା ବିକାଶକୁ ନୂଆ ଦିଗ ଦେଇଛି । ରାଜ୍ୟ ସମୃଦ୍ଧିର ଏକ ମାଇଲଖୁଣ୍ଟ ଭାବେ ଇତିହାସ ଏହାକୁ ସବୁବେଳେ ମନେ ରଖିବ । ଏବେ ସାରା ରାଜ୍ୟରେ, ସବୁ ବର୍ଗର ଲୋକଙ୍କ ମଧ୍ୟରେ ରୂପାନ୍ତରଣ ପରିଲକ୍ଷିତ ହେଉଛି । କମ୍ ସମୟ ମଧ୍ୟରେ ଆମ ସ୍ବଚ୍ଛ ଶାସନ, ସମ୍ମିଳିତ ଉଦ୍ୟମ ଏବଂ ବୈଷୟିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ବିରାଟ ରୂପାନ୍ତରଣ ଆଣିଛି । ''

ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ରାଉରକେଲା: ''ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଦିଗରେ ବିଶ୍ବର ଅତ୍ୟାଧୁନିକ ଦକ୍ଷତା ତାଲିମ ସୁନିଶ୍ଚିତ କରି ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବର୍ତ୍ତମାନ ଏକ ବ୍ରାଣ୍ଡରେ ପରିଣତ ହୋଇଛି । ‘ସ୍ବୟମ୍’ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଆଗକୁ ବଢ଼ିବାକୁ ବାଟ ଦେଖାଉଛି । ମାତ୍ର ୧୫ ମାସରେ ରାଉରକେଲାରେ ବିଶ୍ୱର ସର୍ବବୃହତ ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍’ ପ୍ରତିଷ୍ଠା କରି ଆମେ ବିରଳ କୀର୍ତ୍ତିମାନ ସୃଷ୍ଟି କରିଛୁ । ଏହା ଓଡ଼ିଶାକୁ ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ପରିଚୟ ଦେଇଛି । ''

ବିଭିନ୍ନ ଯୋଜନାକୁ ଯୋଜନାକୁ ପ୍ରଶଂସା: '' 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା' ପ୍ରତିଟି ଓଡ଼ିଆଙ୍କ ସ୍ବାସ୍ଥ୍ୟର ସୁରକ୍ଷା କବଚ ସାଜିଛି । ‘ମିଶନ ଶକ୍ତି' ମା’ମାନଙ୍କୁ ସଶକ୍ତ କରିଛି । ‘ଆମ ବ୍ୟାଙ୍କ’, ‘ଲକ୍ଷ୍ମୀ’ ଓ ‘ଲାଭ’ ପରି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେଇଛି । ‘ସ୍କୁଲ ରୂପାନ୍ତରଣ’ ଶିକ୍ଷାରେ ସମୃଦ୍ଧି ଆଣି ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରୁଛି । ଆମ ଚାଷୀ ଭାଇଙ୍କ କଲ୍ୟାଣରେ ‘କାଳିଆ’ ଆଶା ଓ ଭରସା ସାଜିଛି । ବଲାଙ୍ଗୀରର ‘ଲୋୟର ସୁକତେଲ ପ୍ରକଳ୍ପ’ ଓ ‘ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ’ ଚାଷୀଙ୍କୁ ନୂଆ ଆଶା ଦେଖାଇଛି । ଆମ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ସହ ଓଡ଼ିଶା ଏବେ ଶିଳ୍ପ ସମୃଦ୍ଧ ହୋଇ ଉଠୁଛି । ''

୨୦୩୬ରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ: ''ଆମ ରାଜ୍ୟ ଏବେ ଉଜ୍ଜଳମୟ ଭବିଷ୍ୟତ ଦିଗରେ ଆଗକୁ ବଢୁଛି । ୨୦୩୬ରେ ଆମେ ଆମ ପ୍ରିୟ ଓଡ଼ିଶା ରାଜ୍ୟ ଗଠନର ଏକଶହ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏହି ସମୟ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଆମେ ଦୃଢ଼ ସଙ୍କଳ୍ପର ସହ ଆଗକୁ ବଢ଼ୁଛୁ । ''

ରାଜ୍ୟର ଯୁବମାନେ ଗଢ଼ିବେ ‘ନୂଆ ଓଡ଼ିଶା’: '' ଆଜିର ସମୟ ଏବଂ ଆଗାମୀ ଦଶନ୍ଧି ଯୁବ ସମାଜ ପାଇଁ ଉଦ୍ଦିଷ୍ଟ ତଥା ସେମାନଙ୍କ ଦଶନ୍ଧି ହେବାକୁ ଯାଉଛି । ବିକାଶର ଡୋରି ଯୁବ ସମାଜ ହାତରେ । ଆମ ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ବ୍ୟାପକ ନିଯୁକ୍ତି ସୁନିଶ୍ଚିତ କରିବା ହେଉଛି ଆମର ସର୍ବାଧିକ ପ୍ରାଥମିକତା । ରାଜ୍ୟର ଯୁବମାନେ ଗଢ଼ିବେ ‘ନୂଆ ଓଡ଼ିଶା’। ଏହା ହେବ ଏପରି ଓଡ଼ିଶା ଯେଉଁଠି ଲୋକଙ୍କ ସମୃଦ୍ଧି ହେବ ସୁନିଶ୍ଚିତ । ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ି ଓଡ଼ିଶା ସାଜିବ ସମସ୍ତଙ୍କ ମାର୍ଗଦର୍ଶକ। । ''

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.