ETV Bharat / state

ଜଳସେଚନ କ୍ଷେତ୍ରରେ ବଡ଼ ପଦକ୍ଷେପ, ୩୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପର ଶୁଭାରମ୍ଭ

author img

By ETV Bharat Odisha Team

Published : Mar 2, 2024, 9:54 PM IST

CM Naveen
CM Naveen

Water Irrigation Projects: ଜଳସେଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ପଦକ୍ଷେପ । ୩୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପର କଲେ ଶୁଭାରମ୍ଭ । ଅଧିକ ପଢନ୍ତୁ

ଜଳସେଚନ କ୍ଷେତ୍ରରେ ବଡ଼ ପଦକ୍ଷେପ, ୩୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଜଳସେଚନ କ୍ଷେତ୍ରରେ ଆଜି (ଶନିବାର) ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଦିନକରେ ୩୦୩୭ କୋଟି ଟଙ୍କାରେ ୫୨ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ ପ୍ରକଳ୍ପର ଉଦଘାଟନ ହୋଇଛି । ୧୫ ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଆସୁଛି । ଏହା ସହିତ ନୂଆ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଉଛି । ଏହି ସବୁ ପ୍ରକଳ୍ପଗୁଡିକରେ ୫T ଉପକ୍ରମରେ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଉଛି । ଭୂତଳ ପାଇପଲାଇନ ଜରିଆରେ ଜଳସେଚନ ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇଛି । ଆଜିର ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡର କୁସୁମି ବ୍ୟାରେଜ ଉଦଘାଟିତ ହୋଇଛି । ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ଲାଗି ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାଦ୍ବାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ । ୩ ବ୍ଲକର ୪୯ ଗ୍ରାମର ୧.୫ ଲକ୍ଷ ଲୋକ ଉପକୃତ ହେବେ । ଏହା ସହିତ ୫ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପଲାଇନ ଦ୍ବାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି ।"

ଏହା ବି ପଢନ୍ତୁ- ମାନଯୋର ଜଳସେଚନ ପ୍ରକଳ୍ପ ସମ୍ପ୍ରସାରିତ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାଦ୍ବାରା କଟକ ଜିଲ୍ଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବ । ଏହାସହ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ୧ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ହାଡୁଆ ଡ୍ୟାମ ଓ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା । କଟକ ଡିମିରିଆ-ରାଉତପଡା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ବର-ଗୋପିନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପରି ୩ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ ଓ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହା ବି ପଢନ୍ତୁ- ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା କଳାହାଣ୍ଡି, ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଉଦଘାଟିତ

ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ଭାବେ ଓଡିଶାର ବିକାଶକୁ ଆଗେଇ ନେଉଛନ୍ତି । ପ୍ରତ୍ୟେକ ଚାଷୀଙ୍କ ଜମିକୁ ପର୍ଯ୍ୟାପ୍ତ ପରିମାଣର ପାଣି ପହଞ୍ଚିବ ସେ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟର ଚାଷୀ ଭାଇଭଉଣୀଙ୍କ ବିକାଶ ପଥରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି ।" କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଯୋଜନା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ସେ ଯାହା ବି କଥା ଦେଇଛନ୍ତି, ତାହା ନିଶ୍ଚୟ ପୂରଣ କରିବେ । ତାଙ୍କ ଜିଲ୍ଲା ଗସ୍ତ ସମୟରେ ଜଳସେଚନ ଉପରେ ଯେଉଁ ସବୁ ସମସ୍ୟା ବାବଦରେ ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସମାଧାନ ହୋଇ ସାରିଛି । ଆଜି ଭିତ୍ତି ପ୍ରସ୍ତର ଦିଆଯାଇଥିବା ପ୍ରକଳ୍ପଗୁଡିକ ପାଇଁ ସମସ୍ତଙ୍କ ସହଯୋଗ ମିଳିଲେ କାମ ଖୁବଶୀଘ୍ର ଶେଷ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.