ETV Bharat / state

ଆସନ୍ତା ସପ୍ତାହେ ଗୁରୁତ୍ବପୂର୍ଣ୍ଣ; ଏସବୁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ ସିଏସ - Chief Secretary Of Odisha

author img

By ETV Bharat Odisha Team

Published : Apr 29, 2024, 11:00 PM IST

ରାଲି ଓ ସଭାରେ ପାନୀୟ ଜଳ ସହ ଓଆରଏସ ବ୍ୟବସ୍ଥା କରିବାକୁ ସିଏସଙ୍କ ପରାମର୍ଶ
ରାଲି ଓ ସଭାରେ ପାନୀୟ ଜଳ ସହ ଓଆରଏସ ବ୍ୟବସ୍ଥା କରିବାକୁ ସିଏସଙ୍କ ପରାମର୍ଶ

Chief Secretary Of Odisha Meeting On Election Rallies: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ନିର୍ବାଚନୀ ତାତି ମଧ୍ୟ ବଢିଛି । ନିର୍ବାଚନୀ ସଭା ଓ ରାଲିକୁ ନେଇ ଏପରି ପରାମର୍ଶ ଦେଲେ ସିଏସ ।

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି । ଏହି ସବୁ ସ୍ଥାନରେ ଆବଶ୍ୟକ ପରିମାଣରେ ପାନୀୟ ଜଳ ଓ ଓଆରଏସ ରଖାଯିବା ଆବଶ୍ୟକ । ଯାହା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଜି (ସାମବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ ଚଳିତ ନିର୍ବାଚନ, ଜଙ୍ଗଲ ନିଆଁ, ବିଜୁଳି ସମସ୍ୟା ଓ ପାନୀୟ ଜଳ ବ୍ୟବସ୍ଥା ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ ଦଳମାନେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସର ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ ସହ ନିୟମିତ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ସେହିପରି ଜଳଛତ୍ରକୁ ଅଧ‌ିକ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗଣମାଧ୍ଯମ ଜରିଆରେ ଅଂଶୁଘାତ ଓ ଅଦିନିଆ ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ପାଇଁ ସେ ବିଭିନ୍ନ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନମାନେ ଓଡ଼ିଶା ଡିଜାଷ୍ଟର ରିସୋର୍ସ ନେଟୱାର୍କ (ଓଡ଼ିଆରଏନ) ପୋର୍ଟାଲର ସାହାଯ୍ୟ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ଓ ତାହାର ପ୍ରଶମନ ପାଇଁ ନିଆଯାଉଥ‌ିବା ପଦକ୍ଷେପ, ପ୍ରତ୍ୟେକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ସଂପର୍କିତ ସଚେତନତା ବାର୍ତ୍ତା ଲଗାଇବା ଓ ଡାକ୍ତରଖାନାମାନଙ୍କର ଆଇସିୟୁ ଗୁଡିକର ସୁବ୍ୟବସ୍ଥା ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରେ ଜଳୁଛି ଜଙ୍ଗଲ, ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା - Fire In Forest


ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଭିସି ଜରିଆରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.