ETV Bharat / state

ଶିମିଳିପାଳରେ ଜଳୁଛି ଜଙ୍ଗଲ, ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା - Fire In Forest

author img

By ETV Bharat Odisha Team

Published : Apr 29, 2024, 10:02 PM IST

ଜଳୁଛି ଜଙ୍ଗଲ, ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା
ଜଳୁଛି ଜଙ୍ଗଲ, ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା

Forest Fire In Odisha: ରାଜ୍ୟରେ ଚିନ୍ତାର କାରଣ ପାଲଟିଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

ଜଳୁଛି ଜଙ୍ଗଲ, ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏପଟେ ରାଜ୍ୟରେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବନ ବିଭାଗ ତ୍ୱରିତ ପଦକ୍ଷେପ ଏବଂ ସମସ୍ତ ବ୍ୟବସ୍ଥା ଯୋଗୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଯଦିଓ ରଜ୍ୟରେ ଜଙ୍ଗଲ ନିଆଁ କମ୍‌ ରହିଛି କିନ୍ତୁ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା ।

ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା
ଦେଶରେ ଦ୍ଵିତୀୟ ସ୍ଥାନରେ ଓଡ଼ିଶା

ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ)ର ତଥ୍ୟା ଅନୁସାରେ, ସାରା ଦେଶରେ ସୋମବାର ୧୫୩ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ ସର୍ବାଧିକ ୨୧ଟି ସ୍ଥାନରେ ଲାଗିଛି । ସେହିପରି ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୨ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି । ଏଫ୍‌ଏସ୍‌ଆଇର ଗତ ୫ ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି ।

୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୨ ହଜାର ୮୬୧, ୨୦୨୨ରେ ୩୧୯ ଓ ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଥିଲା । ତେବେ ଶିମିଳିପାଳରେ ଗତକାଲି ସୁଦ୍ଧା ୧୬ଟି ପଏଣ୍ଟରେ ନିଆଁ ଲାଗିଛି । ଯାହା ରାଜ୍ୟରେ ସମସ୍ତ ଜଙ୍ଗଲ ଅପେକ୍ଷା ଶିମିଳିପାଳରେ ଅଧିକ ରହିଛି ।

ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି, "ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁତ କମ ଜଙ୍ଗଲରେ ନିଆଁ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ନିଆଁ କମ ରହିଛି । ଯଦି କୌଣସି ଜଙ୍ଗଲରେ ନିଆଁ ଲାଗେ ତେବେ ତୁରନ୍ତ ଭାବରେ ବନ କର୍ମଚାରୀ ଏବଂ ଓଡରାଫ୍ ଟିମ ନିଆଁକୁ ଆୟତ୍ତ କରୁଛନ୍ତି । ଏହାସହ ଯେଉଁ ଭଳି ଭାବରେ ଉତ୍ତରାଖଣ୍ଡରେ ନିଆଁ ଲାଗିଛି ସେହି ତୁଳନାରେ ଓଡ଼ିଶା ଜଙ୍ଗଲରେ ନିଆଁ ଲାଗିନାହିଁ । ଆଗକୁ ମେ' ମାସ ରହିଥିବା ବେଳେ ଆହୁରି ଖରା ଅଧିକା ହେବାର ସମ୍ଭାବନା ରହିଛି । ତେଣୁ ସେନେଇ ଆମେ ପ୍ରସ୍ତୁତ ରହିଛୁ । ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକଙ୍କୁ ସଚେତନତା କରାଯାଉଛି । ଏହାସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।"


ସେପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, "ପୂର୍ବରୁ ମଧ୍ୟ ଓଡ଼ିଶା ଜଙ୍ଗଲରେ ନିଆଁ ଲାଗିବାର ନଜର ରହିଛି । କିଭଳି ଭାବରେ ଜଙ୍ଗଲରେ କମ ନିଆଁ ଲାଗିବ ସେନେଇ ଅଧିକରୁ ଅଧିକ ଭାବରେ ନିକଟବର୍ତ୍ତୀ ଗାଁ ଗହଳିରେ ଲୋକମାନଙ୍କୁ ସଚେତନତା ଆବଶ୍ୟକ । ଏହାସହ ଅଧିକରୁ ଅଧିକ ବନ କର୍ମଚାରୀମାନଙ୍କୁ ନିୟୋଜନ କରିବା ଆବଶ୍ୟକ । ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ନାହାନ୍ତି । ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଅନେକ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ରାଜ୍ୟରେ ଶିମିଳିପାଳରେ ଅଧିକ ନିଆଁ ଲାଗୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ଚିନ୍ତା ବଢାଇଲା ଜଙ୍ଗଲ ନିଆଁ, ବନାଗ୍ନୀରେ ଦେଶରେ ଓଡିଶା ପ୍ରଥମ - FSI REPORT ON FOREST FIRE

ସୂଚନା ଅନୁସାରେ, ଶିମିଳିପାଳ ସମେତ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ୩୦୦ ଫାୟାର ସ୍କ୍ୱାର୍ଡ ନିୟୋଜିତ ହୋଇଥିବା ବେଳେ ୩୦ ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ ଜଣ, ୨୨ଟି ସ୍ୱତନ୍ତ୍ର ଗାଡ଼ି, ଫାୟାର ସ୍କ୍ୱାର୍ଡ ପାଇଁ ୨୦ଟି ଗାଡ଼ି ଓ ଫାୟାର ବ୍ଲୋୟର୍ସ ୪୬୦ଟି ଇତ୍ୟାଦି ଦିଆଯାଇଛି । ସେପଟେ ଜଙ୍ଗଲ ନିଆଁ ୯୦ ପ୍ରତିଶତ ମନୁଷ୍ୟକୃତ । ଶୀକାର କରିବା ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲଗାଯାଉଛି । ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ ଏଥର କଡ଼ା ପଦକ୍ଷେପ ଗ୍ରହଣ କରିଛି । ଏହି ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.