ETV Bharat / state

୧୩୩ ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 29, 2024, 6:34 AM IST

୧୩୩ ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
୧୩୩ ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Mobile Veterinary Unit vehicles: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଛନ୍ତି ।

ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଯୋଗଦାନ ସର୍ବଦା ରହିଆସିଛି । କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ରାଜ୍ୟ ସରକାର କୃଷକମାନଙ୍କ ଆୟବୃଦ୍ଧି କରି ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରାଣୀ ସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀ ମାନଙ୍କର ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି ।

ଅଧିକ ପଢନ୍ତୁ- ମତ୍ସ୍ୟ-ପ୍ରାଣୀ ସମାବେଶ ଉଦଘାଟିତ; ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପ୍ରାଣୀ ସମ୍ପଦର ସୁରକ୍ଷା ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହିତ ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି । ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରୀ ୟୁନିଟ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଯାଇ ପ୍ରାଣୀ ଚିକିତ୍ସା କରାଯାଇପାରୁଛି ।

ପୀଡ଼ିତ ପ୍ରାଣୀଙ୍କୁ ଜରୁରୀ ସ୍ବାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରୁଛି । ପୂର୍ବରୁ ଏହି ମୋବାଇଲ ୟୁନିଟ ଗୁଡ଼ିକ ଭଡ଼ାଗାଡ଼ି ମାଧ୍ୟମରେ କରାଯାଉଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଗୋଟି ମୋବାଇଲ ଭେଟେରିନାରୀ ୟୁନିଟ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଗତ ସେପେମ୍ବର ୮ ତାରିଖରେ ଲୋକାର୍ପିତ କରିଥିଲେ । ଗତକାଲି ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୧୩୩ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି ।

ଏହା ଦ୍ବାରା ପ୍ରାଣୀ ଚିକିତ୍ସା ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ପାରିଛି । ଏହି ମୋବାଇଲ ୟୁନିଟରେ ଆସ୍ତ୍ରୋପଚାରର ସୁବିଧା ମଧ୍ୟ ରହିଛି । ଏହା ମାଧ୍ୟମରେ ପ୍ରାଣୀମାନଙ୍କର ଟୀକାକରଣ ଓ ରୋଗ ନିର୍ଣ୍ଣୟ ସେବା ମଧ୍ୟ ଉପଲବ୍ଧ କରାଯାଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇ ପାରିଛି । ପୂର୍ବରୁ ସ୍ଥିର କରାଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଏହି ମୋବାଇଲ ୟୁନିଟ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ୫ଟି ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ଜିପିଏସ ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକର ଅବସ୍ଥାନ ଟ୍ରାକିଂ କରାଯାଇ ପାରୁଛି ।

ଏଥି ସହିତ ଗତକାଲି ସହରାଞ୍ଚଳରେ ୬ ଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍ସ ସେବା ଯାନର ମଧ୍ୟ ଲୋକାର୍ପିତ ହୋଇଛି । ଯାହା ଦ୍ବାରା ପୀଡ଼ିତ ଓ ଆହତ ବୁଲା ଗାଈଗୋରୁ ଓ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇ ହେବ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.