ETV Bharat / state

ମତ୍ସ୍ୟ-ପ୍ରାଣୀ ସମାବେଶ ଉଦଘାଟିତ; ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

author img

By ETV Bharat Odisha Team

Published : Feb 17, 2024, 9:48 AM IST

Fisheries & Animal Resources Conference: ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଜନତା ମଇଦାନରେ ଉଦଘାଟିତ ହୋଇଛି । ଏହା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢ଼ନ୍ତୁ

ମତ୍ସ୍ୟ-ପ୍ରାଣୀ ସମାବେଶ
ମତ୍ସ୍ୟ-ପ୍ରାଣୀ ସମାବେଶ

ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଜନତା ମଇଦାନରେ ଉଦଘାଟିତ ହୋଇଛି । ଓଡ଼ିଶାରେ ପ୍ରଥମ ଥର ଏହି ସମାବେଶ ଆୟୋଜନ ହୋଇଛି । ଏହା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗକୁ ଧନ୍ୟବାଦ ଜଣାଇବା ସହ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଷୟରେ ଅବଗତ ହୋଇ ଏହାର ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଉଦଘାଟନୀ ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ସରକାର ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯକାରୀ କରିଛନ୍ତି । ଏଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ । ରାଜ୍ୟର ପ୍ରାଣୀପାଳକଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ ଭେଟେରିନାରୀ ୟୁନିଟ ଭ୍ୟାନର ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ଆଉ ୧୩୧ ମୋବାଇଲ ଭେଟେରିନାରୀ ୟୁନିଟ ଭ୍ୟାନ ରାଜ୍ୟରେ ସେବା ଯୋଗାଇବ ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯକ୍ରମ ଅଧିନରେ ବୈଜ୍ଞାନିକ ପଦ୍ଧତିରେ ଫାର୍ମିଂ ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । ବାୟୋ-ଫ୍ଲକ, କେଜ କଲଚର ମାଛଚାଷ, ସେକ୍ସ ସର୍ଟେଡ ସିମେନ ପଦ୍ଧତି ପରି ନୂଆ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟ ଚାଷୀଙ୍କ ଆୟ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ରେ ରାଜ୍ୟରୁ ପ୍ରାୟ ୬୦୦୦ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଉଛନ୍ତି । ଏଥିରେ ଚାଷୀ-ବୈଜ୍ଞାନିକ ଭାବବିନିମୟ, ଲାଇଭ ଆନିମଲ ଓ ଫିସ ଡେମୋନଷ୍ଟ୍ରେସନ, ଆଧୁନିକ ଫାର୍ମିଂ ପଦ୍ଧତିର ପ୍ରଦର୍ଶନୀ, ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯକ୍ରମ ରଖାଯାଇଛି ।


ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, "କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର ଉତ୍କର୍ଷ ଓ ଅଭିବୃଦ୍ଧି ସାଧନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୦୧୩-୧୪ରୁ ରାଜ୍ୟରେ ପ୍ରତି ବର୍ଷ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ କରାଯାଉଛି । ଗତ ୧୯୯୯-୨୦୦୦ରେ କୃଷି ବିଭାଗର ବଜେଟ ୨୭୮ କୋଟି ୫୮ ଲକ୍ଷ ଟଙ୍କା ଥିବାବେଳେ ମତ୍ସ୍ୟ ପ୍ରାଣୀସମ୍ପଦ ବିକାଶ ବିଭାଗର ବଜେଟ ୧୨୧ କୋଟି ୪୭ ଲକ୍ଷ ଟଙ୍କା ଥିଲା । ୨୦୨୩-୨୪ରେ ଏହା ବୃଦ୍ଧି ପାଇ କୃଷି ବିଭାଗର ବଜେଟ ୬୯୩୫ କୋଟି ୮୯ ଲକ୍ଷ ଟଙ୍କା ଥିବାବେଳେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବଜେଟ ୧୭୬୯ କୋଟି ୨୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଚଳିତ ୨୦୨୪-୨୫ ସମୁଦାୟ ବଜେଟ୍‌ରେ ଏହା ପୁଣି ବୃଦ୍ଧି ପାଇ କୃଷି ବିଭାଗର ବଜେଟ ୭୯୨୩ କୋଟି ୮୭ ଲକ୍ଷ ଟଙ୍କା ଥିବାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୯୩୭ କୋଟି ୬୫ ଲକ୍ଷ ଟଙ୍କାରେ ପହଞ୍ଚିଛି ।''

ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୮-୧୯ରେ ମାଛ ଉତ୍ପାଦନ ୭ ଲକ୍ଷ ୫୯ ହଜାର ମେଟ୍ରିକ ଟନ ଥିଲା । ଏହା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ରେ ୧୦ ଲକ୍ଷ ୫୨ ହଜାର ମେଟ୍ରିକ ଟନରେ ପହଞ୍ଚିଛି । ମାଛ ବିହନ ଉପଲବ୍ଧ କରାଇବା ପାଇଁ ବର୍ଷାଋତୁ ପୂର୍ବରୁ ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । କୁକୁଡ଼ା ମାଂସ ଉତ୍ପାଦନରେ ଓଡିଶା ଆତ୍ମନିର୍ଭରଶୀଳ ହୋଇପାରିଛି । ମାଛ ଯାଆଁଳ ଉତ୍ପାଦନ ୧୯୪ ପ୍ରତିଶତ ବୃଦ୍ଧି ପାଇ ୨୦୧୯-୨୦ରେ ୯୪ କୋଟି ୭୨ ଲକ୍ଷରୁ ୨୦୨୨-୨୩ରେ ୨୭୮ କୋଟି ୬୩ ଲକ୍ଷରେ ପହଞ୍ଚିଛି । ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୪ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ପାଇ ୨୦୧୮-୧୯ରେ ୨୯୬୯ କୋଟି ଟଙ୍କାରୁ ୨୦୨୨-୨୩ ରେ ୪୮୦୭ କୋଟି ଟଙ୍କାରେ ପହଞ୍ଚିଛି ।

ସେହିପରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ପ୍ରତିବଦ୍ଧତା ସ୍ୱରୂପ ଚାଷ କାର୍ଯ୍ୟ ସହିତ ବିଭାଗ ପକ୍ଷରୁ ମାଛଚାଷ ଓ ପ୍ରାଣୀପାଳନକୁ ପ୍ରୋତ୍ସାହିତ କରାଯାଉଛି । ଗତ ୨୦ ବର୍ଷରେ ଚାଷୀମାନଙ୍କ ଆୟବୃଦ୍ଧି ହେବା ସହିତ ମାଛ, ମାସଂ, କୁକୁଡ଼ା ଓ ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ମିଳିଛି । ମାଛଚାଷ ଓ ପ୍ରାଣୀପାଳନ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି । ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଏବଂ ଅନ୍ୟ କିଛି କାର୍ଯ୍ୟକ୍ରମରେ ଅତିକମରେ ୩୦ ପ୍ରତିଶତ କେବଳ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି ।"

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ କହିଛନ୍ତି, "ରାଜ୍ୟ ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ଜୀବନ ଧାରଣରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ।" ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, "କୃଷିଭିତ୍ତିକ ଅର୍ଥନୀତିରେ ଆୟବୃଦ୍ଧି ନିମନ୍ତେ ଫସଲ ଚାଷ ସହିତ ପ୍ରାଣିପାଳନ ଓ ମତ୍ସ୍ୟଚାଷ ଏକାନ୍ତ ଅପରିହାର୍ଯ୍ୟ । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଜଳବାୟୁ ସହନଶୀଳ ପ୍ରାଣୀପାଳନ ଓ ମାଛଚାଷକୁ ଆପଣାଇବାକୁ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଆୟୋଜିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ; ଯୋଗଦେବେ ୬ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଚାଷୀ-ପ୍ରାଣୀପାଳକ

ଏହି ଅବସରରେ ପଦ୍ମଶ୍ରୀ ବିଜେତା ମତ୍ସ୍ୟଚାଷୀ ବଟକୃଷ୍ଣ ସାହୁଙ୍କ ସମେତ ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିବା ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୩୦ ଜିଲ୍ଲାର ଚମ୍ପିଅନ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସବସିଡି ରାଶିର ଚେକ ପ୍ରଦାନ ହୋଇଥିଲା ।



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.