ETV Bharat / state

ସ୍ବଚ୍ଛ ନିର୍ବାଚନ ପାଇଁ ସଜାଗ ପୋଲିସ ପ୍ରଶାସନ, ସୋସିଆଲ ମିଡିଆ ଉପରେ ତୀକ୍ଷ୍‌ଣ ନଜର - Police Eyes on Social Media

author img

By ETV Bharat Odisha Team

Published : May 4, 2024, 7:01 PM IST

Police Eyes on Social Media: ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ବାଲେଶ୍ବର ପୋଲିସ ପ୍ରଶାସନ । ବିଭିନ୍ନ ସ୍ଥାନରେ ଚାଲିଛି ନାକା ଚେକିଂ । ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ସାଇବର ଥାନାର ସୋସିଆଲ ମିଡିଆ ମନିଟରିଂ ଟିମ ଗଠନ ହୋଇଛି । ଅଧିକ ପଢ଼ନ୍ତୁ

Police Eyes on Social Media
Police Eyes on Social Media (ETV BHARAT ODISHA)

Police Eyes on Social Media (ETV BHARAT ODISHA)

ବାଲେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ରାଜନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା 7 ତାରିଖ ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ 14 ତାରିଖ ଯାଏଁ ଚାଲିବ । ଏଥିପାଇଁ ନିର୍ବାଚନ ପ୍ରକ୍ରିୟା କିଭଳି ସୂଚାରୁ ଭାବେ ପରିଚାଳନା କରିହେବ, ସେନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି । ସ୍ବଛ ଏବଂ ଅବାଧ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ କରିବା ସହ ସହରାଞ୍ଚଳରେ ପୋଲିସ ଚେକିଂ ଆଦି ଜାରି ରହିଛି ।

ନିୟମିତ ଭାବେ ପୋଲିସ ସହିତ ଅବକାରୀ, ଆରଟିଓ, CRPF ଯବାନ, ବନ ବିଭାଗର ଟିମ ମିଳିତ ଭାବେ ଚେକିଂ କରୁଥିବା ଜଣାପଡ଼ିଛି । ରାତ୍ରିକାଳୀନ ପାଟ୍ରୋଲିଂ ସାଙ୍ଗକୁ ଫ୍ଲାଇଂ ସ୍କ୍ବାର୍ଡ ମଧ୍ୟ କାର୍ଯ୍ୟ ସମ୍ପାଦିତ କରୁଛନ୍ତି । ଏ ସମ୍ପର୍କରେ ଆମେ ଆଲୋଚନା କରିଥିଲୁ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ସହ । ସେ କହିବା ଅନୁସାରେ, ବାଲେଶ୍ବରର ବର୍ଡରରେ ସମୁଦାୟ 11ଟି ନାକା ପଏଣ୍ଟ କରାଯାଇଛି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭଦ୍ରକ ସୀମାରେ 6ଟି ନାକା ପଏଣ୍ଟରେ ପୋଲିସ ମୁତୟନ ରହିଛନ୍ତି । ସେହିପରି 24ଟି ଫ୍ଲାଇଂ ସ୍କ୍ବାର୍ଡ ଟିମ ଜିଲ୍ଲାରେ ନିର୍ବାଚନ ଦାୟିତ୍ୱ ପାଇଁ ମୁତୟନ ହୋଇଛନ୍ତି । ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ଜିଲ୍ଲାରେ ସମୁଦାୟ 25ଟି ଟିମକୁ ସକ୍ରିୟ କରାଯାଇଛି । ନାମାଙ୍କନ ଦାଖଲ ପ୍ରକ୍ରିୟା ପରେ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ 24ଟି ପୁଣି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଏସ୍‌ପି କହିଛନ୍ତି । ସେହିଭଳି ବାହାର ରାଜ୍ୟରୁ ଯେମିତି କୌଣସି ନିଶାଦ୍ରବ୍ୟ ବିଶେଷ କରି ବ୍ରାଉନସୁଗାର କାରବାର ଉପରେ ରୋକ ଲଗାଇବା ଉପରେ ନଜର ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚେକିଂ ବେଳେ କାରରୁ ପୁଳା ପୁଳା ଟଙ୍କା ଜବତ - Cash Seized

ବର୍ତ୍ତମାନ ସୋସିଆଲ ମିଡିଆରେ ନଜର ରଖିବା ପାଇଁ ସାଇବର ଥାନାର ଟିମ ଗଠନ କରି ସୋସିଆଲ ମିଡିଆ ମନିଟରିଂ ଟିମ ଗଠନ ହୋଇଛି । ଯେଉଁଥିରେ ଆପତ୍ତିଜନକ କିମ୍ବା କିଛି ଫେକ୍‌ ନ୍ୟୁଜ ଏବଂ ଉସୁକେଇଲା ଭଳି ପୋଷ୍ଟ ଉପରେ ନଜର ରଖାଯାଇଛି । ବାଲେଶ୍ବର ପୋଲିସ ସେହିପରି ସମୁଦାୟ 32ଟି ପୋଷ୍ଟ ବାବଦରେ ରିପୋର୍ଟ କରିଥିବା ଜଣାପଡ଼ିଛି । ଏହାସହ ସି-ଭିଜିଲ ଆପ୍‌ ଜରିଆରେ ଅଭିଯୋଗ ଆସିଥିବା ଏକ ମାମଲା ରେମୁଣା ଥାନାରେ ରୁଜୁ କରାଯାଇଛି । ଜଣେ ବରିଷ୍ଠ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଛି । ଫେସ୍‌ବୁକ୍‌, ମେଟା, ଏକ୍ସ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ନିର୍ବାଚନ, ପ୍ରାର୍ଥୀ, ଦଳୀୟ ନେତା ଓ ବିଭିନ୍ନ ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ବିଭ୍ରାନ୍ତକାରୀ ପୋଷ୍ଟ ଉପରେ ନଜର ରଖାଯାଇଛି । ହ୍ବାଟସ୍‌ଆପ୍‌ ଗୃପରେ ବିବାଦୀୟ ପୋଷ୍ଟ ଆସୁଥିବାରୁ ଏହି ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବ୍ୟକ୍ତି ଓ ଗୃପର ସଦସ୍ୟମାନେ ପ୍ରକୃତ ଘଟଣା କଣ ଏବଂ ସେମାନଙ୍କ ନିକଟକୁ ଅସୁଥିବା ତଥ୍ୟ ପଛରେ କେତେ ସତ୍ୟତା ରହିଛି, ତା'ଉପରେ ସମୀକ୍ଷା କରିବା ଆବଶ୍ୟକ ବୋଲି କୁହାଯାଇଛି । କୌଣସି ମେସେଜ କିମ୍ବା ପୋଷ୍ଟ ବାବଦରେ ତର୍ଜମା ନକରି ରିପୋଷ୍ଟ କିମ୍ବା ଫରୱାର୍ଡ ନକରିବାକୁ ଆହ୍ବାନ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.