ETV Bharat / state

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଢ଼ାବା ମାଲିକ !

author img

By ETV Bharat Odisha Team

Published : Feb 3, 2024, 10:03 PM IST

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା
ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

Biramitrapur Murder Case: ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ଦୁଇ ଭାଇଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ରାଉରକେଲା/ବୀରମିତ୍ରପୁର: ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ପଛପଟେ ଜଣେ ଯୁବକଙ୍କୁ ଚୋରି ସନ୍ଦେହରେ ପିଟିପିଟି ଦୁଇ ଭାଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତକ ହେଲେ ସେନ୍‌କା ଲାକ୍ରା (୪୦)। ସେପଟେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥର ବିଜାବାହାଲ ଠାରେ ଦୁଇଭାଇ ସୁରେଶ ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କ ଏକ ଢାବା ରହିଛି । ଏହି ଢାବାରୁ ଗତ କିଛି ଦିନ ତଳେ ଲୁହା ଛଡ଼ ଚୋରି ହୋଇଥିଲା । ଏହି ଲୁହାଛଡ଼ ସେନ୍‌କା ଚୋରି କରିଥିବା ଦୁଇ ଭାଇ ସନ୍ଦେହ କରି ଆଜି ସକାଳେ ତାଙ୍କୁ ଢାବାକୁ ଡାକିଥିଲେ । ଢାବା ପଛପଟକୁ ନେଇ ସେନ୍‌କାଙ୍କ ହାତଗୋଡ଼କୁ ରଶିରେ ବାନ୍ଧି ଏକ ଫାଇବର ବାଡ଼ିରେ ନିସ୍ତୁକ ପିଟିଥିଲେ । ଠିକ ସେହି ସମୟରେ ଖବର ପାଇ ସେନ୍‌କାଙ୍କ ସାନଭାଇ ଜେନା ଲାକ୍ରା ସେଠାରେ ପହଞ୍ଚି ଭାଇକୁ ନପିଟିବା ଲାଗି କହିଥିଲେ । ହେଲେ ସୁରେଶ ଓ ସନ୍ତୋଷ ତାଙ୍କୁ ଗାଳିଗୁଲଜ କରିବା ସହ ପିଟିବା ଲାଗି ଗୋଡ଼ାଇ ଥିଲେ । ଫଳରେ ଭୟରେ ସେ ଦୌଡ଼ି ପଳାଇ ଯାଇଥିଲେ ।

ସେପଟେ ସେନ୍‌କା ସେଠାରେ ଅଚେତ ହୋଇ ପଡ଼ିବାରୁ ଭୟଭିତ ହୋଇ ତାଙ୍କୁ ଚିକିତ୍ସା ପାଇଁ ନେବା ଲାଗି ଦୁଇ ଭାଇ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ । ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା । ମାତ୍ର ସେତେବେଳକୁ ସେନ୍‌କାଙ୍କ ମୃତ୍ୟୁ ଘଟି ସାରିଥିବାରୁ ଆମ୍ବୁଲାନ୍ସ ଚାଳକ ସେଠାରୁ ପଳାଇ ଯାଇଥିଲେ । କିଛି ଉପାୟ ନପାଇ ଦୁଇଭାଇ ନିଜ କାରରେ ସେନ୍‌କାଙ୍କୁ ଆଣି କୁଆରମୁଣ୍ଡା ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୃତ୍ୟୁ ଘଟିସାରିଛି । ଡାକ୍ତର ଏନେଇ ତୁରନ୍ତ କୁଆରମୁଣ୍ଡା ଫାଣ୍ଡିକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଗାଈ ଫସଲ ଖାଇବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା!

ଅପରପକ୍ଷରେ ସୁରେଶ ଓ ସନ୍ତୋଷ ତାଙ୍କ ଭାଇଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ଜେନା ଲାକ୍ରା ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ଡାକ୍ତରଖାନାରେ ରଖିଛି । ପ୍ରଥମେ ପୋଲିସ ଅଭିଯୁକ୍ତ ସୁରେଶ ପଣ୍ଡାଙ୍କୁ ଥାନାରେ ଅଟକ ରଖିଥିବା ବେଳେ ତାଙ୍କ ସାନଭାଇ ସନ୍ତୋଷ ଫେରାର ହୋଇଯାଇଥିଲା । ବର୍ତ୍ତମାନ ଦୁଇ ଅଭିଯୁକ୍ତ ପୋଲିସ କବଳରେ ଅଛନ୍ତି । ଏହାସହ ମୃତଦେହକୁ ନେଇ ଯାଇଥିବା କାରକୁ ମଧ୍ୟ ଜବତ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.