ETV Bharat / politics

ପୁରୀରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର - Arup Patnaik Campaign

author img

By ETV Bharat Odisha Team

Published : May 16, 2024, 8:49 AM IST

Lok Sabha Election 2024: ପୁରୀରେ ବିଜେଡିର ଜୋରଦାର ପ୍ରଚାର । କର୍ମୀ ସମ୍ମିଳନୀରେ ଭୋଟ ମାଗିଲେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଉପସ୍ଥିତ ଥିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ଅଧିକ ପଢନ୍ତୁ

ପୁରୀରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର
ପୁରୀରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର (PIC-ETV Bharat Odisha)

ପୁରୀରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର (PIC-ETV Bharat Odisha)

ପୁରୀ: ଲୋକସଭା ଓ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡ଼ାଇବାକୁ କଳବଳ ଓ ସବୁ କୌଶଳ ଖଟାଇ ଦେଇଛି । ଚଳିତ ନିର୍ବାଚନରେ କିଭଳି ଦଳ ବିପୁଳ ସଂଖ୍ୟାରେ ଭୋଟ ହାସଲ କରିବ, ସେନେଇ ଘନ ଘନ ବୈଠକ ସହ ରଣନୀତି ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ଗତକାଲି (ବୁଧବାର) ସଂଧ୍ୟାରେ ପୁରୀ ପୌରପାଳିକାର 20 ନମ୍ବର ୱାର୍ଡରେ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସ୍ଥାନୀୟ ନେତା ତଥା ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସହ ବହୁ ବରିଷ୍ଠ ଦଳୀୟ ନେତାଙ୍କ ଉପସ୍ଥିତିରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଚଳିତ ନିର୍ବାଚନରେ ଦଳ କିଭଳି ବିପୁଳ ଭୋଟରେ ଜିତିବ ସେନେଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

ପୁରୀ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ କହିଛନ୍ତି, ସେ ପୁରୀ ମାଟିର ପୁଅ । ନିଜ ମାଟି ମା’ର ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି । ପୁରୀ ସହରରେ ଅନେକ ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହେଇଛି । ପୁରୀକୁ ‘ବିଶ୍ଵ ଐତିହ୍ୟ ନଗରୀ’ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଣୁ ଲୋକମାନେ ବିକାଶ କାର୍ଯ୍ୟକୁ ସମର୍ଥନ ଦେଇ ଚଳିତ ନିର୍ବାଚନରେ ‘ଶଙ୍ଖ’ ଚିହ୍ନକୁ ବିପୁଳ ଭୋଟରେ ଜିତାଇବାକୁ ଯାଉଛନ୍ତି । ଚଳିତ ମାସ 20 ତାରିଖରେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ’ କାର୍ଯ୍ୟକ୍ରମ ଥିବାବେଳେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ଅରୂପ । ସେ କହିଛନ୍ତି, ସେ କେବଳ ନିଜ କାର୍ଯ୍ୟ ଉପରେ ଫୋକସ କରନ୍ତି । ଅନ୍ୟ କାହା ବିଷୟରେ ସେ କିଛି ମତାମତ ଦେବେନାହିଁ ।

ଏହା ମଧ୍ୟ ପଢନ୍ତୁ:- ଆସୁଛନ୍ତି ଖଡ୍‌ଗେ: ଭୁବନେଶ୍ବରରେ ପ୍ରେସମିଟ୍‌, କନ୍ଧମାଳରେ କରିବେ ପ୍ରଚାର - Mallikarjun Kharge to visit Odisha

ସେପଟେ କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବେ ତୃଣମୂଳ ସ୍ତରରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା, ସ୍ୱଚ୍ଛ ଶାସନ ଓ ବିକାଶମୂଳକ କାର୍ଯ୍ୟକୁ ରାଜ୍ୟବାସୀ ବେଶ ପସନ୍ଦ କରୁଛନ୍ତି । ଏଣୁ ଆଗାମୀ ଦିନରେ ପୁରୀ ଭୋଟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଶୀର୍ବାଦ ସ୍ବରୂପ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ । ଏଠାରେ ମୋଦି ଲହର କାମ କରିବ ନାହିଁ । ଅନ୍ୟପଟେ ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, ନବୀନ ପଟ୍ଟନାୟକ କଥା କମ ଓ କାମ ବେଶୀ କରନ୍ତି । ପୁରୀକୁ ଐତିହ୍ୟ ନଗରୀ କରିବା, ପୁରୀ ସହର ବିକାଶ କାର୍ଯ୍ୟ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୂଳନୀୟ । ଏଣୁ ଚଳିତ ନିର୍ବାଚନରେ ପୁରୀବାସୀ ବିଜେଡିକୁ ବିପୁଳ ସଂଖ୍ୟାରେ ବିଜୟ କରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.