ETV Bharat / state

ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ ହେଲା ଗଣବିବାହ କାର୍ଯ୍ୟକ୍ରମ - Collective Wedding

author img

By ETV Bharat Odisha Team

Published : Apr 14, 2024, 9:57 PM IST

Collective Wedding Ceremony: ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିଲା ଗଣବିବାହ କାର୍ଯ୍ୟକ୍ରମ । ବିନା ଯୌତୁକ କିମ୍ବା ବିନା କିଛି ଛନ୍ଦ ବିଚାରରେ ପରସ୍ପରର ହାତ ଧରିଲେ 6 ଯୋଡ଼ା ଦମ୍ପତ୍ତି । ଅଧିକ ପଢ଼ନ୍ତୁ

ଗଣବିବାହ କାର୍ଯ୍ୟକ୍ରମ
ଗଣବିବାହ କାର୍ଯ୍ୟକ୍ରମ

ଗଣବିବାହ କାର୍ଯ୍ୟକ୍ରମ

ବରଗଡ: ଯୌତୁକ ପ୍ରଥାକୁ ବିରୋଧ କରି ଆଜି ବରଗଡରେ ସମ୍ପୂର୍ଣ୍ଣ ହୋଇଛି 6 ଯୋଡ଼ା ବର କନ୍ୟାଙ୍କ ବିବାହ । ତେବେ ପ୍ରତିବର୍ଷ ଅଳ୍ପ ଖର୍ଚ୍ଚରେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ସାମୁହିକ ବିବାହ କାର୍ଯ୍ୟକ୍ରମ କରାଯାଉଛି । ବିଗତ 18 ବର୍ଷ ହେବ ପ୍ରତିବର୍ଷ 14 ଏପ୍ରିଲରେ ମଞ୍ଚ ଏହିଭଳି ନିଆରା ଢଙ୍ଗରେ ଗଣବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ତେବେ ଏହି ବିବାହରେ ନଥିଲା ବାଣ ରୋଷଣୀ କିମ୍ବା ନଥିଲା ଯାନିଯୌତୁକ । କେବଳ ଦୁଇଟି ଫୁଲମାଳରେ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ 6 ଯୋଡା ନବ ଦମ୍ପତ୍ତି ।

ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଏକ ଆଦର୍ଶ ଗଣବିବାହ ଆୟୋଜିତ କରାଯାଇ ଆମ୍ବେଦକର ଜୟନ୍ତୀକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏପରି ଏକ ନିଆରା ବାହାଘରରେ ନିଜର ଜୀବନ ସାଥୀକୁ ଆପଣେଇ ଉଭୟ ବର ଓ କନ୍ୟା ବେଶ ଉତ୍ସାହିତ ଥିଲେ । ଜାତି ପ୍ରଥାର ନାଁରେ ସମାଜକୁ ପଥଭ୍ରଷ୍ଟ କରୁଥିବା ଲୋକଙ୍କ ପାଇଁ ଏହି ଗଣ ବିବାହ ଉଦାହରଣ ସୃଷ୍ଟି କରିଛି । ଏହି ଆଦର୍ଶ ବିବାହରେ 6 ଜଣ କନ୍ୟାଙ୍କ ପିତାମାତା ହୋଇଥିଲେ ଜଣେ ମୁସଲମାନ ସମ୍ପଦାୟର ଦମ୍ପତ୍ତି ଏବଂ ବର ପକ୍ଷ ପିତାମାତା ହୋଇଥିଲେ ହିନ୍ଦୁ ଧର୍ମର ଦମ୍ପତ୍ତି । ଭାଇଚାରା ଓ ଜାତି ଧର୍ମ ଉପରେ ତଥା ବିନା ଯୌତୁକ, ବିନା ଆଡମ୍ବରରେ ଏପରି ନିଆରା ସାମୁହିକ ବିବାହ ଆଜି ସମାଜକୁ ନୂତନ ଦିଗଦର୍ଶନ ଦେବ ବୋଲି ଆୟୋଜକ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ରାମ ମନ୍ଦିରରେ ଗଣ ବିବାହ, ପରସ୍ପରର ହାତ ଧରିଲେ ୨୫ଯୋଡ଼ା ବରକନ୍ୟା

ଆଜିର ସମୟରେ ଯୌତୁକରୂପୀ ରାକ୍ଷସ ସାରା ସମାଜକୁ ଗ୍ରାସ କରିଥିବା ବେଳେ ଅନେକ ଝିଅ ବୋହୂ ଏଥିରେ ବଳି ପଡୁଛନ୍ତି । ଅନ୍ୟପଟେ ଝିଅ ବାହାଘର ପାଇଁ ପୁରା ପରିବାର ଜୀବନ ସାରା ସଞ୍ଚୟ କରି ରଖିଥିବା ଅର୍ଥ ଖର୍ଚ୍ଚ କରିଦେବା ପରେ ଆର୍ଥିକ ବୋଝରେ ଛନ୍ଦି ହୋଇପଡିବା କିଛି ନୂଆ କଥାନୁହେଁ । ବିବାହରେ ଏପରି ଖର୍ଚ୍ଚ କରିବା ଅପେକ୍ଷା ପିଲାଙ୍କ ଭବିଷ୍ୟତ ପାଇଁ ପିଲାଙ୍କ ପାଠପଢାରେ ଖର୍ଚ୍ଚ କରିବା ଉଚିତ ବୋଲି ଆୟୋଜକ ମତ ଦେଇଛନ୍ତି । ତେବେ ଏହି ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ତଥା ଏପରି ଏକ ଅପସଂସ୍କୃତିକୁ ସମାଜରୁ ହଟାଇବା ସହ ଜନସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟ ନେଇ ଏପରି ଏକ ଆଦର୍ଶ ଗଣବିବାହର ଆୟୋଜନ କରାଯାଇଥିଲା । ସମ୍ବିଧାନ ସୁରକ୍ଷା ମଞ୍ଚ ଦ୍ଵାରା ଆଜି ପର୍ଯ୍ୟନ୍ତ ସମୁଦାୟ 200ରୁ ଅଧିକ ଦମ୍ପତ୍ତିଙ୍କ ବିବାହ ଏପରି କରାଯାଇଥିବା ବେଳେ ସେମାନେ ଖୁସିଥିବା କହିଛନ୍ତି ଆୟୋଜକ ପବିତ୍ର ଦେହେରି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.