ETV Bharat / state

ରାମ ମନ୍ଦିରରେ ଗଣ ବିବାହ, ପରସ୍ପରର ହାତ ଧରିଲେ ୨୫ଯୋଡ଼ା ବରକନ୍ୟା

author img

By ETV Bharat Odisha Team

Published : Feb 18, 2024, 6:42 PM IST

Collective Wedding Ceremony: ବିନା ଜାନି ଯୌତୁକରେ ବୈଦିକ ରିତିନୀତିରେ ଗୋଟିଏ ବିବାହ ବେଦୀରେ ସମ୍ପନ୍ନ ହୋଇଛି ୨୫ ଗୋଟି ଯୋଡ଼ି ବର କନିଆଙ୍କର ବିବାହ । ଆଜି ରାଜଧାନୀର ରାମ ମନ୍ଦିର ପ୍ରାଙ୍ଗଣରେ ସମ୍ପନ୍ନ ହୋଇଛି ଏହି ବିବାହ । ଅଧିକ ପଢ଼ନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ 25ଟି ଯୋଡ଼ା
ବିବାହ ବନ୍ଧନରେ ବାନ୍ଧି ହେଲେ 25ଟି ଯୋଡ଼ା

ବିବାହ ବନ୍ଧନରେ ବାନ୍ଧି ହେଲେ 25ଟି ଯୋଡ଼ା

ଭୁବନେଶ୍ବର: ବିନା ଜାନି ଯୌତୁକରେ ବୈଦିକ ରିତିନୀତିରେ ଗୋଟିଏ ବିବାହ ବେଦୀରେ ସମ୍ପନ୍ନ ହୋଇଛି ୨୫ ଗୋଟି ଯୋଡ଼ି ବର କନିଆଙ୍କର ବିବାହ । ଆଜି ରାଜଧାନୀର ରାମ ମନ୍ଦିର ପ୍ରାଙ୍ଗଣରେ ସମ୍ପନ୍ନ ହୋଇଛି ଏହି ବିବାହ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମାଜିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଏହି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ହିନ୍ଦୁ ରିତିନୀତି ଅନୁସାରେ ସାତ ଜନ୍ମ ପାଇଁ ପରସ୍ପରକୁ ସାଥି ଭାବରେ ବାଛି ନେଇଛନ୍ତି ଏହି ୨୫ ଗୋଟି ଯୋଡ଼ି । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କ ମଙ୍ଗଳ ଭବିଷ୍ୟତ କାମନା କରିଛନ୍ତି ।

ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନଠାରେ ବ୍ୟାଣ୍ଡ ବାଜା ସହିତ ୨୫ଟି ବର ଏକା ସାଙ୍ଗରେ ଯାଇ ରାମ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବରମାନଙ୍କୁ କନ୍ୟା ପିତା ମାତା ପାଛୋଟି ନେଇଥିଲେ ବିବାହ ବେଦୀକୁ । ସେପଟେ ନୂଆ ଶାଢ଼ୀ, ହାତରେ ଚୁଡ଼ି, ମଥାରେ କୁମକୁମ ଏବଂ ଅଳଙ୍କାର ନାଇଁ ନିଜ ସ୍ବପ୍ନର ରାଜକୁମାର ପାଖକୁ ଆସିଥିଲେ କନିଆଁ ମାନେ । ବାହାବେଦୀରେ ବର କନିଆଁ ଆସିବା ପରେ କନ୍ୟାଦାନ ସହ ଶଙ୍ଖ ହୁଳହୁଳି ଓ ବ୍ରାହ୍ମଣର ମନ୍ତ୍ର ଧ୍ବନୀରେ ଆରମ୍ଭ ହୋଇଥିଲା ଏହି ଗଣ ବିବାହ । ବେଦୀର ହୋମ ନିଆଁ ସହ ମଥାରେ ସିନ୍ଦୁର ଦେଇ ଏମାନେ ସାତ ଜନ୍ମର ସାଥି ହୋଇଛନ୍ତି । ସମାଜର ସମସ୍ତ ଶିଙ୍କୁଳିକୁ ଡେଇଁ ପରସ୍ପର ସହ ବାନ୍ଧି ହୋଇଛନ୍ତି । ହୋମ ନିଆଁ ସହ ସାତ ଘେରା ନେଇ ସବୁ ଜନ୍ମରେ ଖୁସିରେ ରହିବାର ପ୍ରତିଶୃତି ଦେଇ ଉଭୟ ଉଭୟଙ୍କୁ ପବିତ୍ର ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ନିଚ୍ଛକ ପ୍ରେମ କାହାଣୀ; ମହେଶ୍ୱରଙ୍କ ମଣିଷ ପଣିଆ, ବାକ୍‌ବାଧିତ ଯୁବତୀଙ୍କ ଧରିଲେ ହାତ

୧୦ ବର୍ଷର ପ୍ରେମ ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିଥିବା ପ୍ରକାଶ କରିଛନ୍ତି ଶୁଭମ ଓ ଛବି । ସେହିପରି ପ୍ରୟାସ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତଙ୍କ ସହ କନ୍ୟାଦାନ କରିଥିବା ପିତା ମାତା ମଧ୍ୟ କନ୍ୟାଦାନ କରି ବେଶ ସୁଭାଗ୍ୟ ଲାଭ କରିଥିବା କହିଛନ୍ତି । ଏହି ବିବାହରେ ଜାତି ଯୌତୁକ ଓ ଜାତକକୁ ବାଦ ଦେଇ ବିବାହ ହେଉଥିବା ବେଳେ ଅନେକ ପ୍ରେମ ବିବାହ ମଧ୍ୟ ଦେଖିବାକୁ ମିଳିଛି । ସେଥି ମଧ୍ୟରେ ଦୃଷ୍ଟିବାଧିତ ଭାରତୀଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଛନ୍ତି ତାଙ୍କ ପ୍ରେମିକ । ୮ ବର୍ଷର ଭଲପାଇବା ସହ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ଭାରତୀ । ତେବେ ଏହି ଗଣ ବିବାହ ୧୦ ବର୍ଷ ହେବା ହୋଇଆସୁଥିବା ବେଳେ ୨୫୦ରୁ ଅଧିକ ବର କନିଆଁ ଏଠାରେ ବିବାହ କରିଛନ୍ତି । ଆଗକୁ ଏକ ହଜାର ଯୋଡିଙ୍କର ବିବାହ କରିବାର ଲକ୍ଷ୍ୟ ରଖିଛି ପ୍ରୟାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.