ETV Bharat / sports

FIH ହକି: କାଲି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ, ଭ୍ରମଣକାରୀ ଦଳର ବିଜୟ ଧାରାରେ ଲାଗିବ କି ବ୍ରେକ୍ ?

author img

By ETV Bharat Odisha Team

Published : Feb 23, 2024, 2:53 PM IST

ଭାରତ-ଅଷ୍ଟ୍ରେଲିଆ
ଭାରତ-ଅଷ୍ଟ୍ରେଲିଆ

FIH Hockey Pro Leauge : ଆସନ୍ତାକାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ 'ଏମର୍ଜିଙ୍ଗ ଭାରତ' ବନାମ 'ଅଲମାଇଟି ଅଷ୍ଟ୍ରେଲିଆ' । ଅଧିକ ପଢ଼ନ୍ତୁ,

ଭାରତ-ଅଷ୍ଟ୍ରେଲିଆ

ରାଉରକେଲା: ସୁପର ୱିକ୍‌ଏଣ୍ଡରେ ହେବ ହାଇ ଭୋଲ୍ଟେଜ ମ୍ୟାଚ । ଆସନ୍ତାକାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ 2 ଶକ୍ତିଶାଳୀ ଟିମ । ହକି ପ୍ରୋ ଲିଗରେ 'ଏମର୍ଜିଙ୍ଗ ଭାରତ' ବନାମ 'ଅଲମାଇଟି ଅଷ୍ଟ୍ରେଲିଆ' ମଧ୍ୟରେ ହେବ ଜୋରଦାର ଟକ୍କର । ସେପଟେ ସ୍ପେନକୁ ଭେଟିବ ଆୟାରଲ୍ୟାଣ୍ଡ । ତେବେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ କେଉଁ ଟିମ ବାଜି ମାରିବ ତାହା ଦେଖିବାକୁ ଏବେଠୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଲାଣି ।

ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗରେ ଆସନ୍ତାକାଲି ପ୍ରଥମ ମ୍ୟାଚ ସ୍ପେନ ଏବଂ ଆୟାରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ପରେ ଦ୍ୱିତୀୟ ମ୍ୟାଚ ହୋମ ଟିମ ଭାରତ ବନାମ ଶକ୍ତିଶାଳୀ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ଭାରତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ 2023 ଠାରୁ 10 ଟି ମ୍ୟାଚ ଖେଳିଛି ଏବଂ 8 ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର ରଖିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୬ ଟି ମ୍ୟାଚରୁ 4ଟି ବିଜୟୀ ହୋଇ ଦୁଇଟି ମ୍ୟାଚ ହାରିଛି ଭାରତ । ନେଦରଲ୍ୟାଣ୍ଡ ବିପକ୍ଷରେ ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ତେବେ ନେଦରଲ୍ୟାଣ୍ଡ୍ସ ଠାରୁ ହାରିବା ପରେ ଯେପରି ଅଷ୍ଟ୍ରେଲିଆ ସହ ଏହାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବ ଭାରତୀୟ ଦଳ । ପୂର୍ବରୁ ଭୁବନେଶ୍ୱରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 6-4 ଗୋଲରେ ପରାସ୍ତ କରିଥିଲା । କିନ୍ତୁ ଏଥିର ଅଷ୍ଟ୍ରେଲିଆ ଠାରୁ ରିଭେଞ୍ଜ ନେବା ସହ ଅଷ୍ଟ୍ରେଲିଆର ବିଜୟ ଧାରାରେ ବ୍ରେକ ଲରାଇବା ପାଇଁ ଚେଷ୍ଟା କରିବ ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ପୁରୁଷ ହକି ପ୍ରୋ-ଲିଗ୍: ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡସ ବିଜୟୀ

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ 6ଟି ଯାକ ମ୍ୟାଚରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ମଧ୍ୟ ନିଜର ଉଚ୍ଚ କୋଟିର ଖେଳ ଜାରି ରଖିବା ପାଇଁ ଚେଷ୍ଟା କରିବ । ବିଗତ ମ୍ୟାଚର ରିଭେଞ୍ଜ ନେବା ଲକ୍ଷ୍ୟରେ ଭାରତୀୟ ଦଳ ପଡିଆକୁ ଓହ୍ଲାଉ ଥିବାବେଳେ ଏହାକୁ କାଉଣ୍ଟର କରିବାକୁ ପଛେଇବ ନାହିଁ ଅଷ୍ଟ୍ରେଲିଆ ଦଳ । ଯାହା ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହେବା ସହ ମ୍ୟାଚ ଅତି ରୋମାଞ୍ଚକର ହେବ । ଅନ୍ୟପକ୍ଷେ ଆସନ୍ତାକାଲି ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଆୟରଲ୍ୟାଣ୍ଡ ଓ ସ୍ପେନ ମଧ୍ୟରେ ହେବ । ଆୟରଲ୍ୟାଣ୍ଡ ଦଳ ଉଭୟ ରାଉରକେଲା ଏବଂ ଭୁବନେଶ୍ୱରରେ ହୋଇଥିବା ସମସ୍ତ ୬ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ସ୍ପେନ ମଧ୍ୟ 7ଟିରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି ଏବଂ କେବଳ ଆୟାରଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହୋଇଛି । ସ୍ପେନ ଦଳ ନିଜର ଆକ୍ରମକ ଖେଳ ଜାରି ରଖିଛି । ଦଳର ସମସ୍ତ ଖେଳାଳି ଭଲ ଖେଳୁଛନ୍ତି ଏବଂ ଆୟାରଲ୍ୟାଣ୍ଡ ମଧ୍ୟ ଉଚ୍ଚ କୋଟିର ଖେଳ ଖେଳୁଛି । ତେବେ ଆସନ୍ତାକାଲି ହେବାକୁ ଥିବା ଦୁଇ ରେମାଞ୍ଚପୂର୍ଣ୍ଣ ମ୍ୟାଚରେ କିଏ ବିଜୟ ଲାଭ କରିବ ତାହା ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.