ETV Bharat / politics

ଧର୍ମେନ୍ଦ୍ରଙ୍କ ମାରାଥନ ସମ୍ବଲପୁର ଗସ୍ତ; ମାହାଲମାଣ୍ଡା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

author img

By ETV Bharat Odisha Team

Published : Jan 21, 2024, 10:12 PM IST

ଧର୍ମେନ୍ଦ୍ରଙ୍କ ମାରାଥନ ସମ୍ବଲପୁର ଗସ୍ତ
ଧର୍ମେନ୍ଦ୍ରଙ୍କ ମାରାଥନ ସମ୍ବଲପୁର ଗସ୍ତ

Dharmendra Pradhan visits Sambalpur: ଦୁଇ ଦିନରେ ଦୁଇଥର ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ । ମାହାଲମାଣ୍ଡା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କ ମାରାଥନ ସମ୍ବଲପୁର ଗସ୍ତ

ସମ୍ବଲପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ଗଡ଼ ସଜାଡ଼ିବାରେ ଲାଗିପଡ଼ିଲେଣି । ଏଥର ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁଇ ଦିନ ଭିତରେ ଲଗାତାର ଦୁଇ ଥର ସମ୍ବଲପୁର ଗସ୍ତରେ ଆସିଛନ୍ତି ଧର୍ମେନ୍ଦ୍ର । ଗତକାଲି (ଶନିବାର) ସମ୍ବଲପୁର ଗସ୍ତରେ ଆସି ସେ କ୍ରେଡିଟ୍‌ ଆଉଟରିଚ୍‌ ଋଣ ମେଳାରେ ଯୋଗଦାନ କରିଥିବାବେଳେ ସନ୍ଧ୍ୟାରେ ଭୁବନେଶ୍ବର ଫେରିଯାଇଥିଲେ । ଆଜି (ରବିବାର) ପୁଣି ସମ୍ବଲପୁର ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରବିବାର ସକାଳେ ସମ୍ବଲପୁର ପହଞ୍ଚି ପ୍ରଥମେ ସମ୍ବଲପୁର ଆଇଆଇଏମ୍‌ରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରବର୍ତ୍ତୀ ସମୟରେ ସେ ସମ୍ବଲପୁରର ପର୍ଶୁରାମ ଭବନକୁ ଆସି ସେଠାରେ ଆସନ୍ତାକାଲି ମାରୱାଡି ଯୁବମଞ୍ଚ ନବଚେତନା ଶାଖା ପକ୍ଷରୁ ହେବାକୁ ଥିବା ଦୀପ ମହୋତ୍ସବ ପ୍ରସ୍ତୁତି କାର୍ଯ୍ୟରେ ମହିଳାମାନଙ୍କୁ ସହାୟତା କରିବା ସହ ନିଜର ଶ୍ରମଦାନ କରିଥିଲେ । ପରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମା'ଙ୍କ ଦର୍ଶନ କରିଥିଲେ ଓ ପରେ ମନ୍ଦିର ଦ୍ବାରରେ ଝାଡୁ ମାରି ସଫେଇ କରିଥିଲେ । ଏହି ଅବସରରେ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ ଆସନ୍ତା ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବୋର୍ଡ ଗୁଡିକର ଦ୍ବାଦଶ ପରୀକ୍ଷା ଦୁଇ ଥର ହେବ ବୋଲି ଧର୍ମେନ୍ଦ୍ର କହିଥିଲେ । ତେବେ ଏହା ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ, "ଛାତ୍ରଛାତ୍ରୀ ଚାହିଁଲେ ନିଜ ଇଚ୍ଛା ମୁତାବକ ଦ୍ବିତୀୟ ଥର ପରୀକ୍ଷା ଦେଇପାରିବେ । ମୁଖ୍ୟତଃ ଯେଉଁ ଛାତ୍ରଛାତ୍ରୀମାନେ ମେଡିକାଲ ଓ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ଚାହାନ୍ତି, ସେହିବର୍ଷ ସେମାନଙ୍କୁ ଦ୍ବାଦଶ ପରୀକ୍ଷା ମଧ୍ୟ ଦେବାକୁ ପଡିଥାଏ । ସେଥିପାଇଁ ସେମାନେ ଚାପରେ ରହିଥାନ୍ତି । ତେଣୁ ରାଷ୍ଟ୍ରୀୟ ଶିକ୍ଷାନୀତି ଆସନ୍ତା ବର୍ଷଠାରୁ (2025) ଦ୍ବାଦଶ ପରୀକ୍ଷାକୁ ବାର୍ଷିକ ଦୁଇ ଥର କରିବାକୁ ସିବିଏସସିଙ୍କୁ ନିର୍ଦେଶ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଏ ଅରାଜକକାରୀ ମାହାଲ ମାଣ୍ଡାମାନଙ୍କୁ ନିର୍ବାଚନରେ ଉଚିତ୍‌ ଜବାବ ଦେବା: ଧର୍ମେନ୍ଦ୍ର

ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧନକଉଡ଼ା ପଡିଆରେ ଅନୁଷ୍ଠିତ କୌଶଳ ମହୋତ୍ସବ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ 1095 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନୀର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । କେତେକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମଧ୍ୟ ଏହି ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ପାଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, "2017/18 ମସିହାରେ ଦେଶର ବେକାରୀ ସମସ୍ୟା 6 ପ୍ରତିଶତ ରହିଥିଲା । ତେବେ ବର୍ତ୍ତମାନ ଏହା ହ୍ରାସ ପାଇଁ 3.2 ପ୍ରତିଶତରେ ପହଞ୍ଚିଛି । ଏହାର କାରଣ ହେଉଛି ବର୍ତ୍ତମାନ ଭାରତୀୟ ଅର୍ଥନୀତିର ମୌଳିକ ବିଷୟରେ ଦୃଢ଼ତା ଆସିଛି । ଏହାଦ୍ବାରା ଦେଶରେ ରୋଜଗାର ବୃଦ୍ଧି ପାଇବା ସହ ଦେଶର ନିଜସ୍ବ ଅର୍ଥନୀତି ମଜବୁତ ହୋଇଛି । ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଶକ୍ତି ସଙ୍କଟ ଲାଗି ରହିଥିବା ବେଳେ ମୁଦ୍ରାସ୍ପିତି ବୃଦ୍ଧି ପାଇଛି । ବିଶ୍ବର ରାଜନୈତିକ ଅସ୍ଥିରତା ଯୋଗୁଁ ଆମଦାନୀ ରପ୍ତାନୀର ରାସ୍ତା ବାଧାପ୍ରପ୍ତ ହୋଇଛି । ଏହାପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ କୁଶଳତା ଯୋଗୁଁ ଦେଶରେ ରୋଜଗାର ସୃଷ୍ଟି ହୋଇଛି । ଏହାର ଫାଇଦା ସବୁ ଅଞ୍ଚଳରେ ପହଞ୍ଚିବା ଦରକାର । ତେଣୁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ବିଭିନ୍ନ ଜାଗାରେ କୌଶଳ ମହୋତ୍ସବ ଆୟୋଜନ କରୁଛି । ମୁଖ୍ୟତଃ ସୁବୁ ସଂସ୍ଥାକୁ ଦକ୍ଷ ଓ କୁଶଳୀ ଯୁବକଯୁବତୀଙ୍କ ଆବଶ୍ୟକ ପଡିଥାଏ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ କାମ କରୁଛି ।" ଆଜିର ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିକ୍ଷା ସହ କାମ ଓ ରୋଜଗାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଆସିଥିବା ଫେକ୍‌ ଆଡ୍‌ମିଟ୍‌କାର୍ଡକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଦିଆଯାଇଥିବା ଆଡ୍‌ମିଟ କାର୍ଡରେ ମାହାଲମାଣ୍ଡା ନାମକ ଏକ ଫେକ୍‌ ଆଡ୍‌ମିଟ୍‌ କାର୍ଡ ଭାଇରାଲ ହେବାପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏନେଇ ଉତ୍ତର ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 20 ହଜାର ଚାକିରି ନିଯୁକ୍ତି ବେଳେ ଏପରି ଅବ୍ୟବସ୍ଥା କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.