ETV Bharat / politics

ସାରଦାଙ୍କ ଲୋକପ୍ରିୟତା ଉପରେ ଭାରି ପଡିବ କି ଷ୍ଚିଲସିଟିର ସମସ୍ୟା ! - Odisha Assembly Election 2024

author img

By ETV Bharat Odisha Team

Published : Mar 30, 2024, 10:19 PM IST

ସାରଦାଙ୍କ ଲୋକପ୍ରିୟତା ଉପରେ ଭାରି ପଡିବ କି ଷ୍ଚିଲସିଟିର ସମସ୍ୟା !
ସାରଦାଙ୍କ ଲୋକପ୍ରିୟତା ଉପରେ ଭାରି ପଡିବ କି ଷ୍ଚିଲସିଟିର ସମସ୍ୟା !

Progress Card Of Rourkela MLA Sarada Prasad Nayak: ସ୍ମାର୍ଟ ସିଟି ରାଉରକେଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏଠାକାର ପ୍ରଭାବୀ ରାଜନେତା ସାରଦା ପ୍ରସାଦ ନାୟକ ପୁଣି ଥରେ ଟିକେଟ ଆଶାୟୀ ଥିବା ବେଳେ, ସହରର ଭୋଟର ସମସ୍ଯା ଘେରରେ ଥିବାର ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ସାରଦାଙ୍କ ଲୋକପ୍ରିୟତା ଉପରେ ଭାରି ପଡିବ କି ଷ୍ଚିଲସିଟିର ସମସ୍ୟା !

ରାଉରକେଲା: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତିକି ମାତ୍ରାରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ପକ୍ଷରୁ ୧୫ଟି ଲୋକସଭା ପ୍ରାର୍ଥୀ ଓ ୭୨ ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସେହିପରି ବିଜେପି ମଧ୍ୟ ୧୮ଟି ଲୋକ ସଭା ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଭଳି ହାଇ ପ୍ରୋଫାଇଲ ସିଟ୍ ପାଇଁ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ତେବେ ରାଜ୍ୟରେ ଜଣେ ପ୍ରଭାବୀ ରାଜନେତା ଭାବେ ପରିଚିତ ରାଉରକେଲା ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ କାର୍ଯକାଳର ରିପୋର୍ଟ କାର୍ଡ ଉପରେ ନଜର ପକାନ୍ତୁ : -

ସାରଦା ନାୟକ ୨୦୦୪ ନିର୍ବାଚନରେ ପ୍ରଥମଥର ଓ ୨୦୦୯ରେ ଦ୍ବିତୀୟ ଥର ପାଇଁ ରାଉରକେଲା ସିଟ୍ ରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ରେ ସେ ବରିଷ୍ଠ ରାଜନେତା ଦିଲ୍ଲୀପ ରାୟଙ୍କ ଠାରୁ 10 ହଜାର 900 ଭୋଟରେ ପରାସ୍ତ ହୋଇଥିଲେ । ସେହିପରି ୨୦୧୯ରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ବିଶ୍ବାସ କରି ଟିକେଟ ଦେଇଥିଲେ ଓ ସାରଦା ତୃତୀୟ ଥର ପାଇଁ ରାଉରକେଲାର ବିଧାୟକ ହୋଇ ପାରିଥିଲେ ।

ରାଉରକେଲା ସହରର ଲୋକେ ଅଭିଯୋଗ କରିଛନ୍ତି ଯେ 2019 ରୁ ବିଧାୟକ ହେବା ପରେ ବର୍ତ୍ତମାନ ମନ୍ତ୍ରୀ ହେବା ଯାଏ ବିଧାୟକ ଭାବରେ ବା ମନ୍ତ୍ରୀ ଭାବରେ ରାଉରକେଲାରେ ଲୋକଙ୍କ ସୁବିଧା ବା ଲୋକଙ୍କ ମୌଳିକ ସୁବିଧା ଲାଗି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି କହିଛନ୍ତି ଲୋକେ । ଖାସ କରି ପାନୀୟ ଜଳ ଠାରୁ ଆରମ୍ଭ କରି ବସବାସ ପାଇଁ ସ୍ଥାନ ଏବଂ ଡ୍ରେନ ସମସ୍ୟା ସହ ଶୌଚାଳୟ ସମସ୍ୟାରେ ରାଉରକେଲା ସହରର ବସ୍ତି ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ତେବେ ଲୋକେ ଅଭିଯୋଗ କରିଛନ୍ତି ଯେ କେବଳ ରାଉରକେଲା ସହରକୁ ବାହାରୁ ଚକାଚକ କରିବାକୁ ଚେଷ୍ଟା କରାଯାଇଛି କିନ୍ତୁ ସହର ଭିତରେ ରହିଛି ଲୋକଙ୍କ ପାଖରେ ଅସଲି ସମସ୍ୟା । ସହରବାସୀଙ୍କୁ ପିଇବା ପାଣିର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବସ୍ତିବାସିନ୍ଦା ମାନେ ରାସନକାର୍ଡ, ବିଜୁଳି ବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥାରୁ ବଞ୍ଚିତ ରହିଛନ୍ତି । ସବୁ ଲୋକେ ଅଭିଯୋଗ କରିଛନ୍ତି ଯେ କେବଳ ନିର୍ବାଚନ ହେଲେ ହି ମନ୍ତ୍ରୀ ସାରଦା ନାୟକ ଲୋକଙ୍କ ପାଖରେ ପହଞ୍ଚନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

କିନ୍ତୁ ଅନ୍ୟ ପକ୍ଷରେ ସାରଦା ନାୟକଙ୍କ ସମର୍ଥନରେ ମଧ୍ୟ କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି ଯେ ସାରଦାଙ୍କ ସମୟରେ ରାଉରକେଲାର ବ୍ୟାପକ ଉନ୍ନତି ଘଟିଛି । ରାଉରକେଲା ସହରର ହକି ବିଶ୍ବକପ ସଫଳ ଆୟୋଜନ ହେବା ଏବଂ ରାଉରକେଲାକୁ ଏକ ସୁନ୍ଦର ସ୍ମାର୍ଟ ସିଟି ଭାବରେ ଗଢି ତୋଳିବା ସହ ରାଉରକେଲା ସହରର ଯାତାୟାତ, ଗମନାଗମନ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ସବୁଠି ଭଲ ଉନ୍ନତି କରିଛି । ହକି ଷ୍ଟାଡିୟମ ନିର୍ମାଣ, ରାଉରକେଲା ବିମାନ ବନ୍ଦର ,ମୋ ବସ ସହ ଲକ୍ଷ୍ମୀ ବସ ରାଉରକେଲା ସହରର ସୁରୁଖୁରୁରେ ଗଡ଼ିବା ଆଦି ତାଙ୍କର ପ୍ରଚେଷ୍ଟାରେ ହୋଇଛି । ଏହାସହ ସାରଦା ବିଭିନ୍ନ ସମୟରେ ବିବାଦ ମଧକୁ ମଧ୍ୟ ନିଜେ ଠେଲି ହୋଇ ଆସିଛନ୍ତି । କାରଣ ପ୍ରଥମେ ଦଳରେ ଦଳୀୟ କର୍ମୀଙ୍କୁ ଗାଳି ଗୁଳଜ କରିବା ସହ କବାଲିରେ ଟଙ୍କା ଉଡାଇବା ଏବଂ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନାଚିବା ଆଦି ଘଟଣା ତାଙ୍କୁ ବିବାଦକୁ ଠେଲି ସାରିଛି ।

ସାରଦା ନାୟକଙ୍କ ବିଗତ ନିର୍ବାଚନର ଟ୍ରାକ୍ ରେକର୍ଡ:

2019 :-

2019 ନିର୍ବାଚନରେ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ ବିଜେଡି 60,877 ଖଣ୍ଡ ଭୋଟ ପାଇ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା ଏବଂ ନିହାର ରାୟ 50,417 ଭୋଟ ପାଇ ବିଜେପି ପ୍ରାର୍ଥୀ ଭାବରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ତେବେ 2019 ନିର୍ବାଚନରେ ନିହାର ରାୟଙ୍କ ନେତୃତ୍ବ ଉଲ୍ଲେଖନୀୟ ହୋଇଥିବା ବେଳେ ଯୁବବର୍ଗଙ୍କ ସହ ଯୋଡ଼ି ହେବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରାୟାଇଥିଲା । ତେବେ ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ମାତ୍ର 13,977 ଭୋଟ ପାଇଥିଲେ। ତେବେ ବିଜେଡି ଏବଂ ବିଜେପି ଠାରୁ ପଛୁଆ ରହି ପରାଜୟ ହୋଇଥିଲ ।

2014 :-

2014 ନିର୍ବାଚନ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ । ସେ ବିଜେପି ତରଫରୁ ନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କର ବିଜେଡିର ସାରଦା ନାୟକଙ୍କ ସହ କଡା ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେପିର ଦିଲ୍ଲୀପ ରାୟ 59 ହଜାର 653 ଭୋଟ ପାଇଥିବା ବେଳେ ସାରଦା ନାୟକ 48 ହଜାର 724 ଭୋଟ ପାଇଥିଲେ ଏବଂ 10 ହଜାର 900 ଭୋଟ ରୁ ପରାସ୍ତ ହୋଇଥିଲେ । କଂଗ୍ରେସର ସ୍ଥିତି ସେଥିରେ ମଧ୍ୟ ଦୟନୀୟ ଥିଲା । କଂଗ୍ରେସର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମାତ୍ର ୧୦ ହଜାର ଭୋଟ ପାଇଥିଲେ ।

2009:-

2009 ରେ ରାଉରକେଲା ନିର୍ବାଚନ ମଣ୍ଡଳୀର ସାରଦା ନାୟକ ବିପୁଳ ମାତ୍ରାରେ ବିଜୟୀ ହୋଇଥିଲେ । ସାରଦା ନାୟକଙ୍କୁ 46 ହଜାର ଭୋଟ ମିଳିଥିବା ବେଳେ ବିଜେପିର ରମେଶ ଅଗ୍ରୱାଲଙ୍କୁ 20 ହଜାର ଭୋଟ ମିଳିଥିଲା ।

ଚଳିତ ନିର୍ବାଚନୀ ମାହୋଲରେ ସାରଦାଙ୍କ ସପକ୍ଷ ଓ ବିପକ୍ଷରେ ଲୋକ ପ୍ରତିକ୍ରିୟା ଦେଉଥିବା ବେଳେ , ଜନତା ଜନାର୍ଧନଙ୍କ ମୁଡ୍ ଉପରେ ନିର୍ବାଚନ ଫଳାଫଳ ନିର୍ଭର କରୁଛି । ତେବେ ସ୍ମାର୍ଟ ସିଟି ରାଉରକେଲାରେ ମୋଦି ହାୱା ବିଜେପିକୁ ଜିତାଇବ ନାଁ ନବୀନଙ୍କ କରିସ୍ମା ବିଜେଡିକୁ ପୁଣି ବିଜୟୀ କରିବ ତାହା ସମୟ କହିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.