ETV Bharat / politics

ଭୋଟ ପାଇଁ ମହିଳାଙ୍କୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

author img

By ETV Bharat Odisha Team

Published : Feb 17, 2024, 9:46 PM IST

ଭୋଟ ପାଇଁ ମହିଳାମାନଙ୍କୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର
ଭୋଟ ପାଇଁ ମହିଳାମାନଙ୍କୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର

Congress on money distribution to SHG members: ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ 1 ହଜାର ଟଙ୍କା ଲେଖାଏଁ ମିଳିବା ନେଇ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଭୋଟ ପାଇଁ ମହିଳାମାନଙ୍କୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ଆଗମୀ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଫୁଲ ଦମ୍‌ରେ ଲଢ଼ିବାକୁ ପ୍ରସ୍ତୁତ ହେଉଛି । କଳେ ବଳେ କୌଶଳେ ମହିଳା ଭୋଟ ବ୍ୟାଙ୍କ କିଭଳି ହାତେଇବ, ସେନେଇ ପ୍ରସ୍ତୁତି କରୁଛି ବିଜେଡି । ତେବେ ଗତକାଲି (ଶୁକ୍ରବାର) ରାଜ୍ୟ କ୍ୟାବିନେଟରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ 1 ହଜାର ଟଙ୍କା ଲେଖାଏଁ ମିଳିବା ନେଇ ନିଷ୍ପତ୍ତି ହୋଇଛି । ରାଜ୍ୟର 70 ଲକ୍ଷ ସଦସ୍ୟାଙ୍କୁ 1 ହଜାର ଲେଖାଏଁ ମିଳିବ । ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କ ପାଇଁ ଏଭଳି ଘୋଷଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାର ଭୟଭୀତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ।

ଏସ୍‌ଏଚ୍‌ଜି ଗ୍ରୁପର ସଦସ୍ୟାଙ୍କୁ ଟଙ୍କା ବାଣ୍ଟିବା ପ୍ରସଙ୍ଗରେ କଂଗ୍ରେସ ମହିଳା ସଭାନେତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, "ନିର୍ବାଚନ ଆସିଲେ ବିଜେଡିକୁ ମାଆ ମାନଙ୍କ କଥା ମନେପଡ଼େ । ବିଶେଷ କରି ଏସ୍‌ଏଚ୍‌ଜି ମାଆଙ୍କ କଥା ବେଶୀ ମନେପଡେ । ସାଧାରଣ ନିର୍ବାଚନକୁ ନେଇ ସରକାର ଅତ୍ୟନ୍ତ ଭୟଭୀତ । ଏସ୍‌ଏଚ୍‌ଜି ମହିଳାଙ୍କୁ ଅସ୍ତ୍ର କରି ନିର୍ବାଚନ ଜିତିବାକୁ ବିଜେଡିର ଚାଲ୍‌ । ହେଲେ ମହିଳାମାନେ ବୁଝିଲେଣି । ଏଥର କିଛି କାମ ଦେବନି ।" ଏସ୍‌ଏଚ୍‌ଜି ଗ୍ରୁପକୁ ଅର୍ଥ ଦେବାରେ ସରକାର ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେହି ଅର୍ଥ କେଉଁଠାରୁ ଆଣୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି କଂଗ୍ରେସ ମହିଳା ସଭାନେତ୍ରୀ । ସରକାର ସାଧାରଣ ଲୋକଙ୍କ କଣ୍ଠରୋଧ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ନିର୍ବାଚନ ପୂର୍ବରୁ ମାଆ ମାନଙ୍କୁ ମିଛ କହି ନିର୍ବାଚନୀ ଅସ୍ତ୍ର କରୁଛନ୍ତି ବୋଲି କହିଛନ୍ତି ମିନାକ୍ଷୀ ବାହିନୀପତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ କ୍ୟାବିନେଟ; 10 ବିଭାଗର 12 ପ୍ରସ୍ତାବକୁ ମୋହର

ପ୍ରକାଶ ଥାଉ, ଗତକାଲି (ଶୁକ୍ରବାର) କ୍ୟାବିନେଟ ବୈଠକରେ 10 ବିଭାଗର 12 ପ୍ରସ୍ତାବରେ ମୋହର ବାଜିଥିଲା । ଏଥିରେ ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା 70 ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ୟୁନିଫର୍ମ ପୋଷାକ ବାବଦରେ 1 ହଜାର ଟଙ୍କା ଲେଖାଏଁ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା । ଏହା ସହିତ ପ୍ରାୟ 1.5 ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟଙ୍କୁ ବ୍ଲେଜର ପାଇଁ 2 ହଜାର ଟଙ୍କା ଲେଖାଏଁ ମିଳିବା ନିଷ୍ପତ୍ତିରେ ମଧ୍ୟ ମୋହର ଲାଗିଥିଲା । ଏହା ବ୍ୟତୀତ ଆଜି (ଶନିବାର) ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକାମାନଙ୍କ ପାରିଶ୍ରମିକରେ ମଧ୍ୟ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । 1500ରୁ 2000 ଟଙ୍କାକୁ ବୃଦ୍ଧି ହୋଇଛି ପାରିଶ୍ରମିକ । ସେପଟେ ଏସବୁ ଘୋଷଣାକୁ ନିର୍ବାଚନୀ ଥୋପ କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.