ETV Bharat / politics

ଦଳବଦଳ ନେତାଙ୍କ ଉପରେ ବିଜେଡି-କଂଗ୍ରେସର ଆସ୍ଥା, ବିଜେପିର ଚାଲିଛି ପ୍ରାର୍ଥୀ ଖୋଜା - Kendrapara ASSEMBLY CONSTITUENCY

author img

By ETV Bharat Odisha Team

Published : Apr 23, 2024, 11:37 AM IST

Kendrapara
Kendrapara

Kendrapara BJP Candidate Suspense: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ହାଇଡ୍ରାମା । ଦଳବଦଳ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ସେପଟେ ଏଯାଏଁ ଛିଣ୍ଟିନି ବିଜେପିର ଟିକଟ ଅଙ୍କ । ତେବେ କଣ କହୁଛନ୍ତି ସେଠାକାର ଭୋଟର ଓ ରାଜନୀତି ସମୀକ୍ଷକ ନଜର ପକାନ୍ତୁ ।

Kendrapara

କେନ୍ଦ୍ରାପଡା: ରାଜନୈତିକ ହାଇଡ୍ରାମା ଦେଖୁଛି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଥିବା ଏହି ସଂରକ୍ଷିତ ଆସନ ପାଇଁ ବହୁ ବିଳମ୍ବରେ ଦୁଇଟି ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ନାଁ ଘୋଷଣା କରିଥିବା ବେଳେ ଏବେ ବି ବିଜେପି ଏହାର ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡିଯାଇଛି । ଯାହାକୁ ନେଇ ନାନାଦି ରାଜନୈତିକ ମତ ପ୍ରକାଶ ପାଇଛି ।

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ, କେନ୍ଦ୍ରାପଡା ପୋୖରାଞ୍ଚଳର ୨୧ଟି ୱାର୍ଡ, କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ହାଇ ଭୋଲ୍ଟେଜ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୨୬,୧୦୩ । ଏମାନଙ୍କ ମଧ୍ୟରେ ପୁରୁଷ ୧ ଲକ୍ଷ ୧୬ ହଜାର ୯୪୧ ଜଣ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୦୯ ହଜାର ୧୫୨ ଜଣ ଏବଂ ତୃତୀୟ ଲିଙ୍ଗୀଙ୍କ ସଂଖ୍ୟା ୧୦ ରହିଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ହେଲେ ଗଣେଶ୍ୱର, 'ଅନୁଗତ ଓ ନବାଗତଙ୍କୁ ଧରି ନିର୍ବାଚନ ବୈତରଣୀ ପାରହେବି' - Kendrapara Assembly Constituency

ଗତ ୨୦୦୯ ମସିହାରେ ସୀମା ନିର୍ଦ୍ଧାରଣ ପରେ ଏହି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସବୁଥର ପ୍ରାର୍ଥୀ ପରିବର୍ତ୍ତନ କରି ଆସନ ଦଖଲ କରିବାରେ ସମର୍ଥ ହୋଇଛି । ହେଲେ ଗତ ତିନୋଟି ସାଧାରଣ ନିର୍ବାଚନରେ ଶାସକ ଦଳ ବିରୋଧରେ ରହି ଲଢ଼ି ଆସୁଥିବା କଂଗ୍ରେସ ଦଳର ଗଣେଶ୍ୱର ବେହେରା ଚଳିତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ୨୦୦୯ ମସିହାରେ ଶାସକ ଦଳ ପକ୍ଷରୁ ଟିକଟ ପାଇ ସେବେ କଂଗ୍ରେସର ଗଣେଶ୍ୱରଙ୍କୁ ପରାସ୍ତ କରିଥିବା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବେ କଂଗ୍ରେସ ପ୍ରାର୍ଥୀନୀ ହୋଇଥିବା ବେଳେ ରାଜନୀତି ପାଣି କୁଆଡେ ଯିବ ସେନେଇ କହିବା ମୁସ୍କିଲ ବୋଲି କହିଛନ୍ତି ରାଜନୀତି ବିଶାରଦ ।



ଅନ୍ୟପଟେ ବିଜେଡି ଓ କଂଗ୍ରେସ ଭଳି ଦୁଇଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଥିବା ବେଳେ ପଛରେ ପଡିଯାଇଛି ପଦ୍ମ । ଅନ୍ୟପଟେ ୨୦୧୯ ମସିହାରେ ବିଜେପି ସହ ସମ୍ପର୍କ ଛିଣ୍ଡାଇ ଶାସକ ଦଳକୁ ଲମ୍ଫ ମାରିଥିଲେ ଗୀତାଞ୍ଜଳୀ ସେଠୀ । ଏହାପରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟା ଭାବେ ବିଜୟୀ ହୋଇ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ ସେ ।

ହେଲେ ସୋମବାର ଦିନ ବିଜେଡି ଛାଡି ପଦ୍ମ ଧରିଛନ୍ତି ଗୀତାଞ୍ଜଳୀ ସେଠୀ । ଯାହାପରେ ସବୁ ଅଙ୍କ ଓଲଟପାଲଟ ହୋଇଯାଇଛି । ପଦ୍ମ ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜେପିର କେନ୍ଦ୍ରାପଡା ପ୍ରାର୍ଥୀ ହେବା ନେଇ ଗୀତାଞ୍ଜଳୀଙ୍କୁ ଗ୍ରୀନ ସିଗନାଲ ମିଳିବା ପରେ ସେ ଶାସକ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ସେମାନଙ୍କ ନିକଟସ୍ଥ ସମର୍ଥକ ।ଅପରପକ୍ଷରେ ବର୍ତ୍ତମାନ ସାରା ରାଜ୍ୟ ସମେତ ଜିଲ୍ଲାରେ ଦଳ ଡିଆଁ ପର୍ବ ଚାଲୁଥିବା ବେଳେ ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ଜନୈକ ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.