ETV Bharat / politics

ଅଖିଳେଶଙ୍କୁ କରାଯାଇନି ନିମନ୍ତ୍ରଣ ! କଂଗ୍ରେସ କହିଲା ୟୁପିରେ ଚୂଡାନ୍ତ ହୋଇନି ନ୍ୟାୟ ଯାତ୍ରାର ରୁଟ୍‌

author img

By ETV Bharat Odisha Team

Published : Feb 4, 2024, 10:33 PM IST

ଅଖିଳେଶଙ୍କୁ କରାଯାଇନି ନିମନ୍ତ୍ରଣ ! କଂଗ୍ରେସ କହିଲା ଉତ୍ତର ପ୍ରଦେଶରେ ଚୂଡାନ୍ତ ହୋଇନି ନ୍ୟାୟ ଯାତ୍ରାର ରୁଟ୍‌
ଅଖିଳେଶଙ୍କୁ କରାଯାଇନି ନିମନ୍ତ୍ରଣ ! କଂଗ୍ରେସ କହିଲା ଉତ୍ତର ପ୍ରଦେଶରେ ଚୂଡାନ୍ତ ହୋଇନି ନ୍ୟାୟ ଯାତ୍ରାର ରୁଟ୍‌

No Invitation to Akhilesh Yadav for Rahul Gandhi's Bharat Jodo Nyay Yatra: ନିମନ୍ତ୍ରଣ କରାଯାଇନଥିବା ଅଖିଳେଶଙ୍କ ଅଭିଯୋଗ । ସଫେଇରେ କଂଗ୍ରେସ କହିଲା ଉତ୍ତର ପ୍ରଦେଶରେ ଚୂଡାନ୍ତ ହୋଇନି ନ୍ୟାୟ ଯାତ୍ରାର ରୁଟ୍‌ । ଅଧିକ ପଢନ୍ତୁ

ଲକ୍ଷ୍ନୌ: 2024 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାରି ରଖିଛି । ଚଳିତମାସ ତୃତୀୟ ସପ୍ତାହରେ ଏହି ଯାତ୍ରା ଉତ୍ତର ଭାରତର ସର୍ବବୃହତ ରାଜ୍ୟ ତଥା ଜାତୀୟ ରାଜନୀତିର ଗେମଚେଞ୍ଜର ଷ୍ଟେଟ ଉତ୍ତର ପ୍ରଦେଶରେ ପ୍ରବେଶ କରିବ । ହେଲେ ଏହି ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ‘ଇଣ୍ଡିଆ’ ମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରାଯାଇନି । ନିଜେ ଅଖିଳେଶ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ପକ୍ଷରୁ କୌଣସି ନିମନ୍ତ୍ରଣ ପାଇନଥିବା କହିଥିଲେ ।

ଗଣମାଧ୍ୟମରେ ଟିପ୍ପଣୀକୁ ନେଇ ଇଣ୍ଡିଆ ମେଣ୍ଟରେ ମତଭେଦ ଚର୍ଚ୍ଚା ଆରମ୍ଭ ହେବା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ କଂଗ୍ରେସ ସ୍ପଷ୍ଟୀକରଣ ରଖିଛି । ଉତ୍ତର ପ୍ରଦେଶରେ ଯାତ୍ରାର ସମ୍ପୂର୍ଣ୍ଣ ରୂପରେଖ ଓ ଅତିକ୍ରମ କରିବାକୁ ଥିବା ମାର୍ଗ ମଧ୍ୟ ନିର୍ଦ୍ଧାରିତ ହୋଇନି । ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ସପା ସମେତ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କ ସହ ଯୋଗଯୋଗ କରାଯିବ ଓ ବିଧିବଦ୍ଧ ଅବଗତ କରାଯିବ ବୋଲି କଂଗ୍ରେସ କହିଛି ।

ନିକଟରେ ସେ ଯାତ୍ରାରେ ସାମିଲ ହେବେ କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଅଖିଳେଶ କହିଥିଲେ, ଏସମ୍ପର୍କରେ କଂଗ୍ରେସ ତାଙ୍କୁ ନିମନ୍ତ୍ରଣ କରିନାହିଁ । ଏହା ପରେ ଉତ୍ତର ପ୍ରଦେଶରେ ମଧ୍ୟ ଇଣ୍ଡିଆ ମେଣ୍ଟରେ ମତଭେଦ ଥିବା ଚର୍ଚ୍ଚା ଜୋର ଧରିଥିଲା । ଅଖିଳେଶଙ୍କ ଟିପ୍ପଣୀରେ କଂଗ୍ରେସର ବରିଷ୍ଠ ନେତା ତଥା ଯୋଗାଯୋଗ ବ୍ୟାପାର ମୁଖ୍ୟ ଜୟରାମ ରମେଶ କହିଛନ୍ତି ଉତ୍ତର ପ୍ରଦେଶରେ ଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ରଣନୀତି ପ୍ରସ୍ତୁତ ହେବା ବାକି ଅଛି । 16 ତାରିଖରେ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିବା ନେଇ ଅନୁମାନ କରାଯାଉଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ନିଷ୍ପତ୍ତି ସ୍ପଷ୍ଟ ହେବ । ଏହା ପରେ ଏହି ନିଷ୍ପତ୍ତି ସମସ୍ତ ସହଯୋଗୀ ଦଳକୁ ମଧ୍ୟ ଜଣାଇ ଦିଆଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଲଙ୍କ ନେତୃତ୍ବାଧୀନ ଏହି ଯାତ୍ରା ଉତ୍ତର-ପୂର୍ବ ପରିକ୍ରମା ସାରି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପୂର୍ବ ଦିନ ମମତା ବାନାର୍ଜୀଙ୍କ ବିସ୍ଫୋରକ ନିଷ୍ପତ୍ତି ସାମ୍ନାକୁ ଆସିଥିଲା । ମମତାଙ୍କ ତୃଣମୂଳ କଂଗ୍ରେସ ରାଜ୍ୟରେ କଂଗ୍ରେସ ସହ ଲୋକସଭା ଆସନ ବୁଝାମଣା କରିବ ନାହିଁ ବୋଲି କହିଥିଲା । ଏହା ସହ ପଶ୍ଚିମବଙ୍ଗରେ ରାହୁଲଙ୍କ ଏହି ଯାତ୍ରାରେ ମମତା କିମ୍ବା ତାଙ୍କ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇନଥିଲେ ।

ଏହା ମଧ୍ୟ ପଢନ୍ତୁ :- ‘ରାଜ୍ୟ ଶାସନରେ କେନ୍ଦ୍ରର ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି’

ସମାନ ଘଟଣା ମଧ୍ୟ ବିହାରରେ ଘଟିଥିଲା । ଯାତ୍ରା ରାଜ୍ଯରେ ପ୍ରବେଶ କରିବା ପୂର୍ବରୁ ନୀତିଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡି ବିଜେପି କ୍ୟାମ୍ପକୁ ଲମ୍ଫ ମାରିଥିଲେ । ବିହାରରେ ମଧ୍ୟ କଂଗ୍ରେସର ଏହି ଯାତ୍ରା ପ୍ରାୟ ଫିକା ଅନୁଭୂତ ହୋଇଥିଲା । ଯାତ୍ରା ଏବେ ଝାଡଖଣ୍ଡରେ ଜାରି ରହିଛି । 6 ତାରିଖରେ ଏହା ଓଡିଶାରେ ପ୍ରବେଶ କରିବ । ଏହା ପରେ ଯାତ୍ରା ଛତିଶଗଡ ହୋଇ ଉତ୍ତର ପ୍ରଦେଶରେ 16 ତାରିଖରେ ପ୍ରବେଶ କରିବା ନେଇ କଂଗ୍ରେସ ଆଶା ରଖିଛି । ହେଲେ ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ସପା ସହ କଂଗ୍ରେସର ଆସନ ବୁଝାମଣା ନେଇ ମତଭେଦ ଚର୍ଚ୍ଚାକୁ ଆହୁରି ବଢାଇଥିଲା ଅଖିଳେଶଙ୍କ ନିମନ୍ତ୍ରଣ ନକରାଯିବା ଟିପ୍ପଣୀ । ଆଜି କଂଗ୍ରେସର ଏ ସମ୍ପର୍କରେ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.