ETV Bharat / politics

ଆଳିରେ ନିର୍ବାଚନ ମଣ୍ଡଳୀ: ରଣାଙ୍ଗନରେ ଅଭିଜ୍ଞ ବନାମ ଡାକ୍ତର ଓ ପୋଲିସ, କିଏ ମାରିବ ବାଜି ? - Aul Assembly Constituency

author img

By ETV Bharat Odisha Team

Published : Apr 28, 2024, 8:48 PM IST

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

Aul Assembly Constituency Election 2024: ରୋଚକ ହେବ ଆଳି ନିର୍ବାଚନ । ଏଥର ଲଢେଇରେ ଷଷ୍ଠ ଥରର ଅଭିଜ୍ଞ ବିଜେଡି ପ୍ରାର୍ଥୀ ପ୍ରତାପ ଦେବଙ୍କୁ ସାମ୍ନା କରିବେ ନବାଗତ କୃଷ୍ଣଚନ୍ଦ୍ର ଓ ନବାଗତା ଦେବସ୍ମିତା । ରାଜ ପରିବାରର ପ୍ରତାପ ଦେବଙ୍କୁ ଟକ୍କର ଦେବେ ଡାକ୍ତର ଚାକିରି ଛାଡିଥିବା ଦେବସ୍ମିତା ଓ ପୋଲିସ ଚାକିରି ଛାଡିଥିବା କୃଷ୍ଣଚନ୍ଦ୍ର । ଏଥର ଭେଟେରାନ ବନାମ ନବାଗତ ଲଢେଇ ଦେଖିବାକୁ ମିଳିବ । କଣ କହୁଛି ଆଳିର ସମୀକରଣ । ପଢନ୍ତୁ ଆମର ସ୍ପେଶାଲ ରିପୋର୍ଟ ।

ଆଳି ନିର୍ବାଚନ ମଣ୍ଡଳୀ

କେନ୍ଦ୍ରାପଡ଼ା: ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା । କିଏ ନିଜର ରିପୋର୍ଟ କାର୍ଡ ଦେଖାଇ ଭୋଟ ମାଗୁଛି ତ ଆଉ କିଏ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଚାର କରୁଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗଡ଼ ଦଖଲ ପାଇଁ ଚାଲିଛି ଜୋରଦାର ଲଢେଇ । ନିର୍ବାଚନ ତାରିଖ ଓ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଆଳି ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା ଦେଖାଦେଇଛି । ଶାସକ ବିଜେଡି ଦଳ ଆଳିର ବିଧାୟକ ତଥା ଦଳର ଚିରାଚରିତ ପ୍ରାର୍ଥୀଙ୍କୁ ଭରସା କରିଛି । ସେହିପରି କଂଗ୍ରେସ ମହିଳା କାର୍ଡ ଖେଳିଛି । ଜଣେ ଯୁବ ତଥା ନୂଆ ମୁହଁଙ୍କୁ ସାମ୍ନାକୁ ଆଣିଛି ଦଳ । ଅନ୍ୟପକ୍ଷେ ବିଜେପି ମଧ୍ୟ ଏଥର ଜଣେ ନୂଆମୁହଁ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେଇଛି । ତେବେ ଏଥର ଆଳିରେ ଚାରିଥର ବିଧାୟକ ରହିଥିବା ନେତାଙ୍କୁ 2 ନୂଆ ନବାଗତ ସାମ୍ନା କରିବାକୁ ଯାଉଥିବା ବେଳେ ଆଳିରେ ରାଜନୀତି ପାଣିପାଗ ଗୋଳମାଳିଆ ପରିଲିକ୍ଷିତ ହେଉଛି । ପ୍ରାୟତଃ ଏହି ଆସନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଏଥର ବିଜେପି ମଧ୍ୟ ନିଜ ଦମ୍‌ ଦେଖାଇବା ଆରମ୍ଭ କରିଛି ।

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ:

କେନ୍ଦ୍ରାପଡ଼ା ଜିଲ୍ଲା ବହୁ ଚର୍ଚ୍ଚିତ ଆସନ ଆଳି ନିର୍ବାଚନ ମଣ୍ଡଳୀ । ଆଳି ଓ ରାଜକନିକା ବ୍ଲକର 63 ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏଠାକାର ମତଦାତାଙ୍କ ସଂଖ୍ୟା ହେଉଛି 2 ଲକ୍ଷ 71 ହଜାର 285 ଜଣ । ଏହା ମଧ୍ୟରୁ ମହିଳା ଭୋଟର ସଂଖ୍ୟା 1,31,370ଜଣ ଓ ପୁରୁଷ ଭୋଟର ସଂଖ୍ୟା 1,41,915 ଏବଂ ଅନ୍ୟ ଭୋଟର ୨୩ ଜଣ ରହିଛନ୍ତି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ଥର 14 ହଜାରରୁ ଊର୍ଦ୍ଧ୍ବ ନୂତନ ଭୋଟର ସାମିଲ ହୋଇଛନ୍ତି । ତେବେ ବିଗତ ଦିନର ନିର୍ବାଚନ ଓ ନିର୍ବାଚନୀ ଫଳାଫଳ ପୃଷ୍ଠା ଲେଉଟାଇଲେ ଆଳି ବିଧାନସଭା ଆସନ ଅଧିକ ସମୟ ଧରି ବିଜୁ ଜନତା ଦଳ କବ୍ଜାରେ ରହିଥିବା ଦେଖାଯାଇଛି । ବିଜେଡି ନେତା ପ୍ରତାପ କେଶରୀ ଦେବ ଗତ 2000 ମସିହାରୁ 2004, 2004ରୁ 2009 ଓ 2009 ରୁ 2014 କ୍ରମାଗତ 3ଟି ନିର୍ବାଚନ ଲଢ଼ି ଲଗାତାର ବିଜୟର ସ୍ବାଦ ଚାଖିଥିଲେ । କିନ୍ତୁ 2014 ନିର୍ବାଚନରେ ପଲଟିଥିଲା ବାଜି । ପ୍ରତାପଙ୍କ ହ୍ୟାଟ୍ରିକ ବିଜୟରେ ରୋକ ଲଗାଇ କଂଗ୍ରେସର ଦେବେନ୍ଦ୍ର ଶର୍ମା ବାଜିମାତ କରି ବିଧାୟକ ହୋଇଥିଲେ । କିନ୍ତୁ 2019 ନିର୍ବାଚନରେ ବଦଳିଥିଲା ଆଳିର ଚିତ୍ର । ପୁନର୍ବାର ପ୍ରତାପ କେଶରୀ ଦେବ 55601 ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କୁ ହରାଇଥିଲେ । ପ୍ରତାପ ବିଧାୟକ ହୋଇ ଆଳିରେ ପୁଣି ନିଜର ଦବଦବା ବଜାୟ ରଖିବା ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ଆସୁଥିବା ଦେଖାଯାଇଛି ।

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

2024 ନିର୍ବାଚନ ପ୍ରାର୍ଥୀ:

ବିଜେଡି: ତେବେ ଚଳିତ ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ଚିରାଚରିତ ପ୍ରାର୍ଥୀ ତଥା ଆଳି ରାଜା ପରିବାରର ପୁଅ ପ୍ରତାପ ଦେବଙ୍କୁ ପ୍ରାର୍ଥୀ କରିଛି । ପ୍ରତାପ 2000 ମସିହାରୁ 2014 ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ ଆଳିର ଶାସନ ଭାର ସମ୍ଭାଳିଥିଲେ । ସେ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବରେ ଲଢିଥିଲେ ମଧ୍ୟ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କ ଠାରୁ ପରାଜୟ ହୋଇଥିଲା । ସେ 2019 ନିର୍ବାଚନରେ ବିଜେଡି ପକ୍ଷରୁ ପୁଣିଥରେ ପ୍ରାର୍ଥୀ ହୋଇ ଆଳିକୁ ନିଜ କବ୍ଜାକୁ ନେଇଥିଲେ । ଏଥର 2024 ନିର୍ବାଚନ ପାଇଁ ପ୍ରତାପଙ୍କୁ ରିପିଟ କରିଛି ବିଜେଡି ।

ଚଳିତ ନିର୍ବାଚନ ଲଢେଇକୁ ନେଇ ପ୍ରତାପ କେଶରୀ ଦେବ କହିଛନ୍ତି, "2000 ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ବିକାଶମୂଳକ କାର୍ଯ୍ୟ କରିଆସିଛୁ । ଆମେ ଯାହା ବିକାଶ କରିଛୁ ତାହା ନିର୍ବାଚନ ମଣ୍ଡଳୀରେ ଆଖିରେ ଦେଖାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅଗ୍ରଗତି ଘଟିଛି । ଆମ ବିକାଶକୁ ନେଇ ଆମେ ଆଗକୁ ବଢ଼ୁଛୁ । ଗତ ନିର୍ବାଚନରେ ଲୋକ ଆମକୁ ଭୋଟ ଦେଇଥିଲେ ଓ ଆମେ କଣ କରିଛୁ, ସେହି ଖସଡ଼ାକୁ ନେଇ ଲୋକଙ୍କ ପାଖକୁ ଯାଉଛୁ । ଆମେ ଆଶାବାଦୀ ଯେ, ଏଥର ଲୋକ ଆମକୁ ବିଶ୍ବାସ କରିବେ ।"

କଂଗ୍ରେସ: ଚଳିତ ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରେ ମହିଳା କାର୍ଡ ଖେଳିଛି କଂଗ୍ରେସ । 2014ରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢି ବିଧାୟକ ହୋଇଥିବା ଦେବେନ୍ଦ୍ର ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଦେବସ୍ମିତା ଜଣେ କର୍ମନିଷ୍ଠା ଡାକ୍ତର ଭାବରେ ଆଳି ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତ ନିର୍ବାଚନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ ସେ ଡାକ୍ତର ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବାପାଙ୍କୁ ଅନୁସରଣ କରୁଛନ୍ତି । ଦେବସ୍ମିତା ନିର୍ବାଚନ ଲଢ଼ିବା ସହିତ ଭୋଟରମାନଙ୍କ ନିକଟତର ହେବାରେ ଲାଗିଛନ୍ତି । ଏପରିକି ଘରେ ଘରେ ପ୍ରଚାର ସମୟରେ ରୋଗୀ ସେବା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ଚଳିତ ନିର୍ବାଚନକୁ ନେଇ ଦେବସ୍ମିତା ଶର୍ମା କହିଛନ୍ତି, "ଆଳିରେ ପୂର୍ବରୁ ମୁଁ ଡାକ୍ତର ଭାବରେ କାମ କରିଛି । ଏଠାରେ ଲୋକ ସେବା କରିଛି । କଂଗ୍ରେସ ଉପରେ ଲୋକଙ୍କ ବିଶ୍ବାସ ଅଛି । ବାପାଙ୍କ ଦେହ ଖରାପ ପାଇଁ କିଛିଦିନ ରାଜନୀତିରୁ ନିଷ୍କ୍ରିୟ ହୋଇଯାଇଥିଲା । କିନ୍ତୁ ଏବେ ମୁଁ ଆଗକୁ ଆସିଥିବା ବେଳେ ଲୋକଙ୍କର ପୁଣିଥରେ କଂଗ୍ରେସ ଉପରେ ଭରସା ଆସିଛି । ଡାକ୍ତର ଭାବରେ ମୁଁ ରୋଗୀ ସେବା କରୁଥିଲି । କିନ୍ତୁ ଆଳି ଓ ରାଜକନିକା ଅଞ୍ଚଳରେ ଯେଉଁ ଦୁର୍ନୀତିର ରୋଗ ଅଛି ତାର ଚିକିତ୍ସା କରିବା ପାଇଁ ଡାକ୍ତର ଚାକିରୀ ଛାଡି ରାଜନୀତିକୁ ଆସିଛି । ଲୋକଙ୍କ ସେବା କରିବା ପାଇଁ ରଜନୀତିକୁ ଆସିଛି । ମୁଁ ଆଳିରେ ମଦ ବେପାର କରି ଧନୀ ହେବାକୁ ରାଜନୀତିକୁ ଆସିନାହିଁ କିମ୍ବା ଆଳିର ବାଲି ପାଣି ବିକି ଧନୀ ହେବାକୁ ରାଜନୀତିକୁ ଆସିନାହିଁ । ମୁଁ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛି । ମୋର ଲଢେଇ ଦୁଇ ରାଜନୈତିକ ଦଳ ସହ ନୁହେଁ ମୋର ଲଢେଇ ହେଉଛି, ଆଳିରେ ଯେଉଁ ମାଫିଆରାଜ ଚାଲିଛି ତାହା ବିରୁଦ୍ଧରେ । ଆଳିର ଅସହାୟ ଓ ଗରିବଙ୍କ ପାଇଁ ମୁଁ ଲଢିବି ।"

ବିଜେପି: 2024 ନିର୍ବାଚନ ପାଇଁ ଆଳି ବିଧାନସଭା ଆସନରୁ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏକଦା ବିଜେଡି ବିଧାୟକଙ୍କ ଏକାନ୍ତ ଅନୁଗତ ଥିବା ସହ ସରକାରୀ ପୋଲିସ ଚାକିରିରୁ 2017 ମସିହାରେ ସ୍ବେଚ୍ଛାକୃତ ଅବସର ନେଇଥିବା କୃଷ୍ଣଚନ୍ଦ୍ରଙ୍କୁ ବିଜେପି ଭରସା କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଭାବରେ କାର୍ଯ୍ୟ କରିଥିଲେ କୃଷ୍ଣଚନ୍ଦ୍ର ।

କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, "ଦୀର୍ଘଦିନ ଏଠାରେ କଂଗ୍ରେସ ସରକାର ଶାସନ କରୁଥିଲା । ପରେ ଦୀର୍ଘ 24 ବର୍ଷ ଧରି ଏକ ଭ୍ରଷ୍ଟାଚାରୀ ଦଳ ବିଜେଡି ଏଠାରେ ଶାସନ କରୁଛି । ଅଧିକ ଦିନ ଶାସନରେ ରହିବା ଫଳରେ ଏଠାରେ ଏକ ଏକଛତ୍ରବାଦୀ ଶାସନ ଚାଲିଛି । ସରକାରଙ୍କ ବିରୁଦ୍ଧରେ ଲୋକେ କିଛି କହିଲେ ତାଙ୍କୁ ଚୁପ କରିଦିଆଯାଉଛି । ଏହା ଗଣତନ୍ତ୍ରର ରାଷ୍ଟ୍ର । ଏଠାରେ ନିଶ୍ଚୟ ପରିବର୍ତ୍ତନ ହେବ । ଆଳିରେ ପଦ୍ମ ଫୁଲ ଫୁଟିବ ।"

ଗତ ନିର୍ବାଚନ ଫଳାଫଳ:

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

2019 ନିର୍ବାଚନ:

2019 ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀ ମୋଟ ଭୋଟର ସଂଖ୍ୟା 2,62,364 ରହିଥିଲା । 1,73,165 ଭୋଟର ମତଦାନ କରିଥିଲେ । ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ 99,837 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେପଟେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା 43,986 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିବା ସହ ପରାଜିତ ହୋଇଥିଲେ । ବିଜେପିର ଦୋଳଗୋବିନ୍ଦ ନାୟକ 26,487 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

2014 ନିର୍ବାଚନ:

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

2014 ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀ ମୋଟ 2,43,247 ଭୋଟର ରହିଥିଲେ । ସେଥିମଧ୍ୟରୁ 1,66,209 ଜଣ ଭୋଟର ମତଦାନ କରିଥିଲେ । 2014ରେ ଆଳିରେ ରାଜନୀତି ସମୀକରଣ ବଦଳିଥିଲା । ଲଗାତାର 3 ଥର ବିଧାୟକ ରହିଥିବା ପ୍ରତାପ କେଶରୀ ଦେବଙ୍କୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା । 81,254 ଖଣ୍ଡ ଭୋଟ ପାଇ ଦେବେନ୍ଦ୍ର ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ 77,751 ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ମାତ୍ର 3,914 ଖଣ୍ଡ ଭୋଟ ପାଇ ବିଜେପିର ବ୍ରଜସୁନ୍ଦର ଭୂୟାଁ ତୃତୀୟ ସ୍ଥାନରେ ରହିଥିଲେ ।

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

2009 ନିର୍ବାଚନ: 2009ରେ 2,28,257 ଭୋଟର ରହିଥିବା ବେଳେ 1,44,062 ଜଣ ମତଦାନ କରିଥିଲେ । ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ 72012 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହପରି କଂଗ୍ରେସ ପ୍ରାର୍ଥୀ ଦେବନ୍ଦ୍ର ଶର୍ମା 66,135 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିବା ବେଳେ ବିଜେପିର ବ୍ରଜସୁନ୍ଦର ଭୂୟାଁ 3,358 ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

ଏହା ମଧ୍ୟ ପଢ଼ନ୍ତୁ...ପୁରୁଣାକୁ ସାମ୍ନା କରିବେ ନୂଆ ମୁହଁ, ନର୍ଲାରେ କାହାର ପଲା ହେବ ଭାରି ? - Narla Assembly Constituency

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.