ETV Bharat / politics

ପୁରୁଣାକୁ ସାମ୍ନା କରିବେ ନୂଆ ମୁହଁ, ନର୍ଲାରେ କାହାର ପଲା ହେବ ଭାରି ? - Narla Assembly Constituency

author img

By ETV Bharat Odisha Team

Published : Apr 23, 2024, 7:38 PM IST

Updated : Apr 23, 2024, 8:35 PM IST

Narla Assembly Election 2024: ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ । 3 ପ୍ରମୁଖ ଦଳ ମଧ୍ୟରେ ଘମାଘୋଟ ଲଢେଇ । ନୂଆ ସହ ପୁରୁଣା ନେତାଙ୍କ ଫାଇଟ୍‌ । ଦେଖନ୍ତୁ ଏହି ରିପୋର୍ଟ

ନର୍ଲା ନିର୍ବାଚନ ମଣ୍ଡଳୀ
ନର୍ଲା ନିର୍ବାଚନ ମଣ୍ଡଳୀ

ପୂରୁଣାକୁ ସାମ୍ନା କରିବେ ନୂଆ ମୁହଁ, ନର୍ଲାରେ କାହାର ପଲା ହେବ ଭାରି ?

ଭବାନୀପାଟଣା: 13 ମେ' 2024 ଦେଶର ଚତୁର୍ଥ ତଥା ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କିଛି ଜିଲ୍ଲାରେ ମତଦାନ ହେବାକୁ ଥିବା ବେଳେ ଏହା ଭିତରେ ସାମିଲ ଅଛି କଳାହାଣ୍ଡି ଜିଲ୍ଲା । ତେବେ ନିର୍ବାଚନକୁ ନେଇ ଏବେ ଚର୍ଚ୍ଚାରେ ରହିଛି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ । ରାଜ୍ୟର 3 ପ୍ରମୁଖ ଦଳ ଏହି ଆସନକୁ ଆକ୍ତିଆର କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଚଳିତ ନିର୍ବାଚନ ପାଇଁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳିଥିବା ବେଳେ ଗତ ନିର୍ବାଚନର ପୁରୁଣା ପ୍ରାର୍ଥୀକୁ ପୁଣିଥରେ ଟିକେଟ ଦେଇଛି ବିଜେପି । ସେହିପରି କଂଗ୍ରେସ ଜଣେ ରାଷ୍ଟ୍ରୀୟସ୍ତରର ନେତାଙ୍କୁ ପ୍ରାର୍ଥୀ କରିଛି । ତେବେ ନର୍ଲାରେ ଏଥର ପୋଖତ ନେତାଙ୍କୁ ନବାଗତ ସାମ୍ନା କରିବାକୁ ଯାଉଥିବା ବେଳେ 3 ଦଳ ମଧ୍ୟରେ କଡ୍ଡା ମୁକାବିଲା ହେବା ନେଇ ଚର୍ଚ୍ଚା ହେଉଛି ।

ନର୍ଲା ନିର୍ବାଚନ ମଣ୍ଡଳୀ
ନର୍ଲା ନିର୍ବାଚନ ମଣ୍ଡଳୀ


ନର୍ଲା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରି ବିଗତ ଦିନରେ ଏଠାକାର ନେତା ଜାତୀୟ ଓ ରାଜ୍ୟ ସ୍ଥରରେ ଚର୍ଚ୍ଚାର ରହି ଅନେକ ବଡ଼ ବଡ଼ ପଦ ପଦବୀରେ ରହିଛନ୍ତି । ନର୍ଲା ବ୍ଲକର ୨୬ ଓ କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତ, ମଦନପୁର ରାମପୁର ବ୍ଲକର ୧୯ଟି ପଞ୍ଚାୟତ ଓ କେସିଙ୍ଗା ବ୍ଲକର ୮ଟି ପଞ୍ଚାୟତକୁ ନେଇ ନର୍ଲା ନିର୍ବାଚନ ମଣ୍ଡଳୀ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୬ ହଜାର ୯୪୦ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୧୪ହଜାର ୫୧୬ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୨୭ ଜଣ ନୂଆ ଭୋଟର ଓ ୧୯ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଯଦି ବିଗତ 2ଟି ନିର୍ବାଚନକୁ ଦେଖାଯାଏ ତେବେ ଏହା ବିଜେଡି ଦଖଲରେ ରହିଛି ।

ନର୍ଲା ନିର୍ବାଚନ ମଣ୍ଡଳୀ
ନର୍ଲା ନିର୍ବାଚନ ମଣ୍ଡଳୀ

2024 ନିର୍ବାଚନ ପ୍ରାର୍ଥୀ:

ବିଜେଡି: ଚଳିତ ନିର୍ବାଚନରେ ନର୍ଲା ନିର୍ବାଚନ ମଣ୍ଡଳୀରେ ମହିଳା କାର୍ଡ ଖେଳିଛି ବିଜେଡି । ବର୍ତ୍ତମାନର ବିଧାୟକ ଭୂପିନ୍ଦର ସିଂଙ୍କ ଟିକଟ କାଟି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ମନୋରମା ବିଧାନସଭା ନିର୍ବାଚନରେ ନୂଆ ମୁହଁ ହେଲେ ହେଁ ରାଜନୀତିରେ ସେ ନୁଆ ନୁହଁନ୍ତି । ଲଗାତାର ଦୁଇ ଦୁଇ ଥର ନର୍ଲା ବ୍ଲକ ଅଧ୍ୟକ୍ଷା ରହିଛନ୍ତି ମନୋରମା । ୨୦୧୭ ମସିହାରେ ରାଜନୀତିରେ ପାଦ ଦେଇଥିଲେ । ପ୍ରଥମେ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୨୦୨୨ ମସିହାରେ ପୁଣିଥରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ମନୋରମା । ସେହିପରି ଗତ ନିର୍ବାଚନରେ ମନୋରମାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢି ପରାଜିତ ହୋଇଥିଲେ । ଏବେ ବିଜେଡି ମନୋରମାଙ୍କ ଉପରେ ଆସ୍ଥାପ୍ରକଟ କରି ତାଙ୍କୁ ଟିକେଟ ଦେଇଛି । ଏନେଇ ମନୋରମା କହିଛନ୍ତି, "ନିର୍ବାଚନ ମୁଁ ଲଢୁନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି । ନିର୍ବାଚନ ମଣ୍ଡଳୀରେ ଯେଉଁ ସବୁ ଛୋଟ ଛୋଟ ସମସ୍ୟା ଅଛି ବିଧାୟିକା ହେବା ପରେ ଏହାର ସମାଧାନ କରିବି । ସମସ୍ତଙ୍କର ସହଯୋଗ ରହିଛି । ମୁଁ 100 ପ୍ରତିଶତ ବିଜୟ ହାସଲ କରିବି ।"

ନର୍ଲା ନିର୍ବାଚନ ମଣ୍ଡଳୀ
ନର୍ଲା ନିର୍ବାଚନ ମଣ୍ଡଳୀ

ବିଜେପି : 2019 ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅନିରୁଦ୍ଧ ପ୍ରଧାନଙ୍କୁ ପୁଣିଥରେ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି ଦଳ । ଗତ ନିର୍ବାଚନରେ ଅନିରୁଦ୍ଧ ୪୪ ହଜାର ୨୪୪ ଖଣ୍ଡ ଭୋଟ ପାଇ ବିଜେଡିଠାରୁ ପରାଜିତ ହୋଇଥିଲା । ଚଳିତ ନିର୍ବାଚନରେ ଅନିରୁଦ୍ଧ ପ୍ରଚାରକୁ ଜୋରଦାର କରିଛନ୍ତି । ଏନେଇ ଅନିରୁଦ୍ଧ କହିଛନ୍ତି, "ଗତ 25 ବର୍ଷ ଭିତରେ ରାଜ୍ୟ ସରକାର କିଛି ବିକାଶ କରିନାହାନ୍ତି । 55 ବର୍ଷରେ କଂଗ୍ରେସ ସରକାର କିଛି ବିକାଶ କରିନାହିଁ । ସେଥିପାଇଁ ଲୋକ ଏଥର ମୋଦିଙ୍କ ଉପରେ ଭରସା କରିବେ । ଏଥର ନିଶ୍ଚୟ ଓଡ଼ିଶାରେ ଡବଲ ଇଞ୍ଜିନ ସରକରା ହେବ ।"

କଂଗ୍ରେସ: ବିଜେପି ଓ ବିଜେଡିକୁ ମାତ୍‌ ହେବା ପାଇଁ ଭେଟେରାନ ତଥା ରାଷ୍ଟ୍ରୀୟସ୍ତରର ନେତା ଭକ୍ତ ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଭକ୍ତ 3 ଥର ସାଂସଦ, 2 ଥର କେନ୍ଦ୍ର ମନ୍ତ୍ରୀ, ଥରେ ବିଧାୟକ ରହିଥିଲେ ଭକ୍ତ । 1985ରେ ଭବାନୀପାଟଣାରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ଜଣେ ଟାଣୁଆ ନେତା ଭାବରେ କଳାହାଣ୍ଡିରେ ନିଜ ଦବ୍‌ଦବା ରଖିଥିବା ବେଳେ ଏବେ ଦ୍ବିତୀୟ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି ଭକ୍ତ । ତେବେ ଭକ୍ତ କହିଛନ୍ତି, "ନର୍ଲା ମୋର ପ୍ରିୟ ନିର୍ବାଚନ ମଣ୍ଡଳୀ । ନର୍ଲା ଲୋକ ମୋର ପ୍ରିୟ । ନର୍ଲାବାସୀ ମୋ ସହିତ ରହିଛନ୍ତି । ବିଧାନସଭା ଯିବା ପାଇଁ ଐତିହାସିକ ଆବଶ୍ୟକ ଅଛି । ତେଣୁ ମୁଁ ବିଧାନସଭା ନିର୍ବାଚନ ଲଢ଼ୁଛି ।"

ପୂର୍ବ ନିର୍ବାଚନ ଫଳାଫଳ:

Narla Assembly Constituency
Narla Assembly Constituency

2019 ନିର୍ବାଚନ:

ତେବେ 2019 ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଭୂପିନ୍ଦର ସିଂ । ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂ ୫୩ ହଜାର ୨୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ ୪୪ ହଜାର ୨୪୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମଣ୍ଡଳ ୩୫ ହଜାର ୭୫୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

Narla Assembly Constituency
Narla Assembly Constituency

2014 ନିର୍ବାଚନ:

୨୦୧୪ରେ ନର୍ଲା ରାଜନୀତି ସମୀକରଣ ବଦଳିଥିଲା । ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଧନେଶ୍ଵର ମାଝୀ । ଧନେଶ୍ଵର ୫୬ ହଜାର ୭୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ୪୧ ହଜାର ୧୫ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ବିଜେପି ପ୍ରାର୍ଥୀ ଆର୍ତ୍ତତ୍ରାଣ ମହାପାତ୍ର ୩୧ ହଜାର ୮୦୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।

Narla Assembly Constituency
Narla Assembly Constituency

2009 ନିର୍ବାଚନ:

୨୦୦୯ ନିର୍ବାଚନରେ ନର୍ଲାରେ କଂଗ୍ରେସ ବିଜୟ ଲାଭ କରିଥିଲା । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ୪୯ ହଜାର ୭୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ ହୋତା ୨୨ ହଜାର ୨୩୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିପରି ସ୍ଵାଧୀନ ପ୍ରାର୍ଥୀ ନୀଳମଣି ସାହୁ ୧୫ ହଜାର ୪୪ ଟି ଭୋଟ ପାଇ ପରାଜିତ ହୋଇଥିବା ବେଳେ ୨୦୦୯ ନିର୍ବାଚନ ସମୟରେ ବିଜେଡି ନର୍ଲାରେ ପ୍ରାର୍ଥୀ ଦେଇନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭବାନୀପାଟଣା ନିର୍ବାଚନ ମଣ୍ଡଳୀ; ପ୍ରମୁଖ ଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ, କିଏ ହେବ ଜନତାଙ୍କ ପ୍ରିୟଭାଜନ ? - Bhawanipatna Assembly Constituency

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 23, 2024, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.