ETV Bharat / politics

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ; ପ୍ରମୁଖ ଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ, କିଏ ହେବ ଜନତାଙ୍କ ପ୍ରିୟଭାଜନ ? - bhawanipatna assembly constituency

author img

By ETV Bharat Odisha Team

Published : Apr 7, 2024, 6:52 PM IST

Updated : Apr 8, 2024, 2:58 PM IST

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ

Bhawanipatna Assembly Constituency: ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ । ବିଜେପି ଓ କଂଗ୍ରେସର ଗତ ନିର୍ବାଚନ ପ୍ରାର୍ଥୀ ରିପିଟ । ବିଜେଡିର ଖେଳିଛି ମହିଳା କାର୍ଡ । ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ

ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ । ଚଳିତ ନିର୍ବାଚନକୁ ନେଇ ଭବାନୀପାଟଣାରେ ରାଜନୈତିକ ପାଣିପାଗ ସରଗରମ ରହିଛି । ଭାରତୀୟ ଜନତା ପାର୍ଟୀର ପ୍ରଦୀପ୍ତ ନାଏକ ବର୍ତ୍ତମାନ ଏଠାରେ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନ ପାଇଁ ପୁଣିଥରେ ପ୍ରଦୀପ୍ତଙ୍କ ଉପରେ ଭରସା କରି ଟିକେଟ ଦେଇଛି ବିଜେପି । ସେପଟେ ପ୍ରଦୀପ୍ତଙ୍କୁ ଟକ୍କର ଦେବା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ଏଠାରେ ଲଲିତା ନାଏକଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଗତ ନିର୍ବାଚନରେ କଂଗ୍ରେସରୁ ଲଢି ପରାଜିତ ହୋଇଥିବା ସାଗର ଦାସଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ତେବେ ଏଥର ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।


ବିଜେଡି ଖେଳିଲା ମହିଳା କାର୍ଡ:- ଚଳିତ ନିର୍ବାଚନ ପାଇଁ ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ପକ୍ଷରୁ ଏଥର ମହିଳାଙ୍କୁ ପ୍ରାର୍ଥୀ କରା ଯାଇଥିବା ବେଳେ ଲଳିତା ନାଏକ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ବିକାଶ ରେକର୍ଡକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ହୋଇ ପାରିଛି । ଭବାନୀପାଟଣା ଠାରେ ମେଡିକାଲ କଲେଜ୍, ପଲିଟେକନିକ୍ କଲେଜ୍, ଇଞ୍ଜିିୟରିଙ୍ଗ୍ କଲେଜ୍, କୃଷି ମହାବିଦ୍ୟାଳୟ ଓ ମାଣିକେଶରୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଉତ୍କେଲା ଠାରେ ବିମାନ ବନ୍ଦର ନିର୍ମାଣ ହୋଇଛି । ସେହିପରି କେସିଙ୍ଗା ଓ ଭବାନୀପାଟଣା ଠାରେ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ହୋଇଛି । ଏହାସହ ପ୍ରତ୍ୟେକ ଗାଁକୁ ରାସ୍ତା ବିଜୁଳି ପାନୀୟ ଜଳ ସମେତ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତିକରଣ ହୋଇଛି କହି ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି ।

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ

ବିଜେପି ଓ କଂଗ୍ରେସର ଗତ ନିର୍ବାଚନ ପ୍ରାର୍ଥୀ ରିପିଟ:- ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣାର ବର୍ତ୍ତମାନର ବିଧାୟକ ପ୍ରଦୀପ୍ତ ନାଏକ ପୁଣିଥରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପୁଣି ଥରେ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥିନୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସେପଟେ ବିଜେପି ଓ କଂଗ୍ରେସ କେସିଙ୍ଗା ଠାରେ ଥିବା କୋଣାର୍କ ସ୍ପିନି ଓ ଜିନିଁ ମିଲର ପୁନଃ ଉଦ୍ଧାର ସହ ମହିଳା ଓ ବେକାରୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ରାଜନୀତି ମୈଦାନକୁ ଓହ୍ଲାଇଛି । ସେପଟେ ଭବାନୀପାଟଣାରେ ବିକାଶ କରିବା ପାଇଁ ଯେଉଁ ନେତା କାର୍ଯ୍ୟ କରିବେ ସେମାନଙ୍କୁ ହିଁ ନିଜର ନେତା ଭାବରେ ନିର୍ବାଚିତ କରିବେ ବୋଲି କହିଛନ୍ତି ସାଧାରଣ ଜନତା ।

ଭବାନୀପାଟଣା ବିଧାନସଭା ଆସନ:- ତେବେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ, ପଶ୍ଚିମ ଓଡ଼ିଶାର ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରି ବିଗତ ଦିନରେ ନେତା ଜାତୀୟ ଓ ରାଜ୍ୟ ସ୍ତରରେ ଚର୍ଚ୍ଚାର ରହି ଅନେକ ବଡ଼ ବଡ଼ ପଦବୀରେ ରହିଆସିଛନ୍ତି । କେସିଙ୍ଗା ବ୍ଲକର ୧୭ଟି ପଞ୍ଚାୟତ ଓ ଭବାନୀପାଟଣା ବ୍ଲକର ୨୮ଟି ପଞ୍ଚାୟତ ସମେତ ଗୋଟିଏ ଏନଏସି ଓ ଗୋଟିଏ ପୌର ପରିଷଦକୁ ମିଶାଇ ଗଠିତ ହୋଇଛି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୭ ହଜାର ୫୭୭ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ ୧୬ ହଜାର ୧୦୧ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ତୃତୀୟ ଲିଙ୍ଗି ଭୋଟର ୨୦ ଜଣ ରହିଥିବା ବେଳେ ନୂଆ ଭୋଟର ୩୪୮ ଜଣ ରହିଛନ୍ତି ।

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ

ପୂର୍ବ ନିର୍ବାଚନ ଫଳାଫଳ:

2019 ନିର୍ବାଚନ:- ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ପ୍ରଦୀପ୍ତ ନାଏକ । ପ୍ରଦୀପ୍ତ ୬୩୦୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବଲେ। ସେହିପରି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଦୁଷ୍ମନ୍ତ ନାଏକ । ସେ ୫୮୩୭୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ବେଳେ କଂଗ୍ରେସରୁ ସାଗର ଦାସ ପ୍ରାର୍ଥୀ ହୋଇ ୩୫୪୯୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

2014 ନିର୍ବାଚନ:- ୨୦୧୪ ନିର୍ବାଚନର ଏହି ଆସନଟି କଂଗ୍ରେସ ହାତରୁ ବିଜେଡିକୁ ଚାଲି ଯାଇଥିଲା । ସେହି ସମୟରେ ବିଜେଡିରୁ ଅନାମ ନାଏକ ପ୍ରାର୍ଥୀ ହୋଇ ୫୪୮୨୫ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । କଂଗ୍ରେସରୁ ଦୁଷ୍ମନ୍ତ ନାଏକ ପ୍ରାର୍ଥୀ ହୋଇ ୪୪୦୧୧ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିବା ବେଳେ ଦୟାନିଧି ନାଏକ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ୩୨୪୪୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

2009 ନିର୍ବାଚନ:- ୨୦୦୯ ନିର୍ବାଚନରେ କଂଗ୍ରେସରୁ ଦୁଷ୍ମନ୍ତ ନାଏକ ବିଧାୟକ ପ୍ରାର୍ଥୀ ହୋଇ ୪୬୨୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ପ୍ରଦୀପ୍ତ ନାଏକ ପ୍ରାର୍ଥୀ ହୋଇ ୪୪୦୨୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସେହିପରି ବିଜେଡିରୁ ଜୟନ୍ତ ନାଏକ ପ୍ରାର୍ଥୀ ହୋଇ ୨୫୭୩୩ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ ।

2004 ନିର୍ବାଚନ:- ୨୦୦୪ ନିର୍ବାଚନ ସମୟରେ ବିଜେଡି ବିଜେପି ମେଣ୍ଟରେ ବିଜେପିରୁ ପ୍ରଦୀପ୍ତ ନାଏକ ବିଧାୟକ ପ୍ରାର୍ଥୀ ହୋଇ ୫୩୭୩୩ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ସେପଟେ କଂଗ୍ରେସରୁ ସେହି ସମୟରେ ଅନାମ ନାଏକ ବିଧାୟକ ପ୍ରାର୍ଥୀ ହୋଇ ୪୫୧୬୪ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ ।

2000 ନିର୍ବାଚନ:- ୨୦୦୦ ମସିହାରେ ବିଜେଡି ଓ ବିଜେପିର ମେଣ୍ଟ ହୋଇଥିବା ବେଳେ ସେହି ସମୟରେ ବିଜେଡି ଏଠାରେ ପ୍ରାର୍ଥୀ ଦେଇନଥିଲା । ଆଉ ସେହି ସମୟରେ ବିଜେପିର ବରିଷ୍ଟ ନେତା ପ୍ରଦୀପ୍ତ ନାଏକ ପ୍ରାର୍ଥୀ ହୋଇ ୪୨୦୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଦୁଷ୍ମନ୍ତ ନାଏକ ପ୍ରାର୍ଥୀ ହୋଇ ୨୭୦୩୯ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ ।


ଏହା ମଧ୍ୟ ପଢ଼ନ୍ତୁ....2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ଇଟିଭି ଭାରତ, କଳାହାଣ୍ଡି

Last Updated :Apr 8, 2024, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.