ETV Bharat / state

2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

author img

By ETV Bharat Odisha Team

Published : Jan 29, 2024, 10:24 PM IST

Updated : Feb 26, 2024, 3:04 PM IST

Jaydev Assembly Constituency: ଆସୁଛି ସାଧାରଣ ନିର୍ବାଚନ 2024 । ରାଜନୀତି ରଣକ୍ଷେତ୍ରରେ ଲଢ଼ିବାକୁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ସବୁଦଳର ଫୋକସରେ ଜୟଦେବ ନିର୍ବାଚନ ମଣ୍ଡଳୀ । ଅଧିକ ପଢ଼ନ୍ତୁ

2024 ଫାଇଟ୍
2024 ଫାଇଟ୍

କାହାର ହେବ ଜୟଦେବ ବିଧାନସଭା ?

ନିଆଳି: ସାଧାରଣ ନିର୍ବାଚନକୁ ଆଉ ମାସ ଦୁଇଟା ବାକି । ଏବେଠୁ ସରଗରମ ହେଲାଣି ରାଜନୀତି ପାଣିପାଗ । ଏହା ଭିତରେ ଚର୍ଚ୍ଚାରେ ରହିଛି ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ । ରାଜଧାନୀକୁ ଲାଗି ରହିଥିବାରୁ ଏହାର ଗୁରୁତ୍ଵ ନିଆରା । ଅରବିନ୍ଦ ଢାଲି ଏହି ଆସନରୁ ଏବେ ପ୍ରତିନିଧିତ୍ଵ କରୁଛନ୍ତି । ଲଗାତାର ଭାବରେ ଏହି ଆସନରେ ବିଜେଡିର ବିଜୟ ଧାରା ଜାରି ରହିଥିବା ବେଳେ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବାକୁ ପ୍ରୟାସ ଚଲାଇଛି ବିଜେଡି । କିନ୍ତୁ ବିଜେଡିରେ ଦୁଇ ଗୋଷ୍ଠୀ ଯୋଗୁଁ ଏଥର ଦଳ ପାଇଁ ନିର୍ବାଚନ ଲଢ଼ିବା ସେତଟା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରତିପକ୍ଷ ବିଜେପି ଏବଂ କଂଗ୍ରେସ ଏହା ମଧ୍ୟରେ ସକ୍ରିୟ ହୋଇଥିବା ବେଳେ ବିଜେଡି ଗୋଷ୍ଠୀ କନ୍ଦଳ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିଜେଡି, ବିଜେପି ଓ କଂଗ୍ରେସରେ ୨୦୨୪ ଜୟଦେବ ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିଛି । କେଉଁ ଦଳରୁ କିଏ ଟିକେଟ ହାତେଇବ ଏବେ ଠୁ ଆକଳନ କରିବା କଷ୍ଟ ହୋଇପଡ଼ିଛି । ତଥାପି ତିନି ଦଳର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।

‌୨୦୨୪ ନିର୍ବାଚନ ପୂର୍ବରୁ କିଭଳି ରହିଛି ଜୟଦେବ ନିର୍ବାଚନ ମଣ୍ଡଳୀ ରାଜନୀତି ନଜର ପକାନ୍ତୁ:

ରାଜଧାନୀ ଉତ୍ତର ଦିଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ଆସନ । ଗୀତ ଗୋବିନ୍ଦ ରଚୟିତା କବି ଜୟଦେବଙ୍କ ନାଁରେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀକୁ ନାମିତ କରାଯାଇଛି । ବାଲିପାଟଣା ବିଧାନସଭା ନିର୍ବାଚନ ମଣ୍ତଳୀକୁ ସେବେଠାରୁ ଜୟଦେବ ନିର୍ବାଚନ ମଣ୍ଡଳୀ ବୋଲି କୁହାଯାଉଛି । ବାଲିପାଟଣା ଓ ବାଲିଅନ୍ତା ବ୍ଲକକୁ ନେଇ ଗଠିତ ଜୟଦେବ ଆସନ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।‌ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ଉପରେ । ତେବେ କାଳନ୍ଦି ଚରଣ ପାଣିଗ୍ରାହୀ,ରବି ରାୟ ଏବଂ ନନ୍ଦିନୀ ଶତପଥୀଙ୍କ ଭଳି ବିଶିଷ୍ଟ ରାଜନେତାଙ୍କ ଜନ୍ମମାଟି ହେଉଛି ଜୟଦେବ ନିର୍ବାଚନ ମଣ୍ଡଳୀ । ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ବେଶ ଅନୁମେୟ । ଏବେ ମଧ୍ୟ ଜୟଦେବ ନିର୍ବାଚନ ମଣ୍ଡଳୀର ଗୁରୁତ୍ବ କିଛି କମ୍ ନୁହେଁ ।‌ରାଜଧାନୀର ଅତି ନିକଟ ହୋଇଥିବାରୁ ରାଜନୈତିକ ଦୃଷ୍ଟିରୁ ଏଠାକାର ଭୋଟର ମଧ୍ୟ ବେଶ ସଚେତନ ।‌ ହେଲେ ଏହି ଆସନ ବିଜୁ ଜନତା ଦଳର ଗଡ ପାଲଟିଛି ।

ପୂର୍ବରୁ ବାଲିପାଟଣା ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ଥିବା ଏହି ନିର୍ବାଚନ ମଣ୍ଡଳୀ ଦିନ କଂଗ୍ରେସୱ ହାତରେ ଥିଲା । କିନ୍ତୁ ୧୯୯୫ ମସିହା ଠାରୁ ଏଠାରୁ ଆଉ ଉଧେଇ ପାରନି କଂଗ୍ରେସ । ୧୯୯୫ରେ ଜନତା ଦଳ ଟିକେଟରୁ ହୃଷିକେଶ ନାୟକ ବିଧାୟକ ହେବା ପରେ ୨୦୦୦ ଠାରୁ ଏ ପର୍ଯ୍ୟନ୍ତ ଏହା ବିଜେଡି ଦଖଲରେ ରହିଛି । ୨୦୦୦ ମସିହା ବାଲିପାଟଣା ବିଧାନସଭା ଆସନ ପାଇଁ ବିଜେଡି ଦଳର ରାଘବ ସେଠି ଟିକେଟ ପାଇ ୪୭ ହଜାର ୨ ଶହ ୭୯ ଖଣ୍ତ ଭୋଟ ପାଇଥିବା ବେଳେ ଭୋଟର ହାର ୫୨.୪୫ ପ୍ରତିଶତ ଥିଲା । କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୩୬ ହଜାର ୩ ଶହ ୫୨ ଖଣ୍ତ ଭୋଟ ହାତେଇଥିବା ବେଳେ ଭୋଟ ହାର ୪୦.୩୨ ପ୍ରତିଶତ ଥିଲା ।‌ ଅନ୍ୟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀଙ୍କ ସେଭଳି କିଛି ଦବଦବା ନଥିଲା ।‌ ସେହିପରି ୨୦୦୪ ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ଶଶୀ ଭୂଷଣ ବେହେରା ନିର୍ବାଚନ ଲଢି ୫୪ ହଜାର ୨ ଶହ ୯୩ ଖଣ୍ତ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୪୧ ହଜାର ୬ ଶହ ୮୮ ଖଣ୍ତ ଭୋଟ ପାଇଥିଲେ ।‌ ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ୧୧ ହଜାର ୫ ଶହ ୬୩ ଖଣ୍ତ ଭୋଟ ପାଇଥିଲେ ।

ନିର୍ବାଚନ ୨୦୨୪
ନିର୍ବାଚନ ୨୦୨୪

୨୦୦୯ ନିର୍ବାଚନ ଫଳାଫଳ:

୨୦୦୯ ମସିହାରେ ବାଲିପାଟଣା ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇ ଜନ୍ମ ଲାଭ କରିଥିଲା ଜୟଦେବ ନିର୍ବାଚନ ମଣ୍ଡଳୀ ।‌ ୨୦୦୯ ରେ ମାଲକାନଗିରି ଜିଲ୍ଲାରୁ ଆସି ଜୟଦେବ ଆସନ ପାଇଁ ବିଜେଡି ଦଳରୁ ଟିକିଏ ହାତେଇ ଥିଲେ ଅରବିନ୍ଦ ଢାଲି । ଅରବିନ୍ଦ ୫୯ ହଜାର ୮ ଶହ ୮୮ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ୨୦ ହଜାର ମଧ୍ୟ ଟପିନଥିଲେ । କଂଗ୍ରେସ ପ୍ରାର୍ଥୀନୀ ନଳିନୀ ବେହେରା ୧୧ ହଜାର ୭ ଶହ ୮୬ ଖଣ୍ତ, ବିଜେପିରୁ ହୃଷିକେଶ ନାୟକ ୧୦ ହଜାର ୭ ଶହ ୪୯ ଖଣ୍ତ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ୧୬ ହଜାର ୨ ଶହ ୮୪ ଖଣ୍ତ ଭୋଟ ପାଇଥିଲେ ।

୨୦୧୪ ନିର୍ବାଚନ ଫଳାଫଳ:

୨୦୧୪ ବିଧାନସଭା ନିର୍ବାଚନ ସମୟରେ ଅରବିନ୍ଦ ଢାଲି ବିଜେଡି ଟିକଟରୁ ବଞ୍ଚିତ ହୋଇଥିଲା । ଦଳ ଶଶୀଭୂଷଣ ବେହେରାଙ୍କ ଉପରେ ଭରସା କରିଥିଲା । ଶଶୀଭୂଷଣଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ଦଳ । ୨୦୧୪ ନିର୍ବାଚନରେ ଶଶୀଭୂଷଣ ୬୮ ହଜାର ୬ ଶହ ୩୭ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୨୮ ହଜାର ୬ ଶହ ୮୬ ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ସେହିପରି ବିଜେପି ପ୍ରାର୍ଥୀ ବସନ୍ତ କୁମାର ନାୟକଙ୍କୁ ୨୦୦୭ ଖଣ୍ତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

୨୦୧୯ ନିର୍ବାଚନ ଫଳାଫଳ:

୨୦୧୯ ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ପୁଣିଥରେ ଅରବିନ୍ଦ ଢାଲିଙ୍କୁ ଟିକେଟ ଦେଇଥିଲା । ଅରବିନ୍ଦ ୬୩ ହଜାର ଭୋଟ ଜୟଦେବ ଆସନରୁ ବିଜୟୀ ହୋଇଥିଲେ । ସେପଟେ ବିଜେପି ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ୨୮ ହଜାର ୭ ଶହ ୯୮ ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ସେହିପରି ବିଜେଡିର ଏକ ଅସନ୍ତୋଷ ଗୋଷ୍ଠୀ ବିଜେଡିରୁ ଟିକେଟ ନ ମିଳିବାରୁ ଜୟଦେବ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନବ କିଶୋର ମଲ୍ଲିକଙ୍କୁ ସ୍ବାଧୀନତା ପ୍ରାର୍ଥୀ ଭାବରେ ଛିଡ଼ା କରିଥିଲେ । ନଵ କିଶୋର ୪୪ ହଜାର ୩ ଶହ ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନରେ ବଡ଼ ଝଟକା ଲିାଗିଥିଲା କଂଗ୍ରେସକୁ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯିବାରୁ ନିର୍ବାଚନ ଲଢି ପାରିନଥିଲା କଂଗ୍ରେସ ଦଳ ।

ନିର୍ବାଚନ ୨୦୨୪
ନିର୍ବାଚନ ୨୦୨୪

୨୦୨୪ ନିର୍ବାଚନ ପାଇଁ ଆଶାୟୀ :

2024 ନିର୍ବାଚନ ପାଇଁ ବିଜେଡିର ଗଡ କୁହାଯାଉଥିବା ଜୟଦେବ ନିର୍ବାଚନ ମଣ୍ଡଳିରେ ରାଜନୀତି ପାଣିପାଗ ଗୋଳିଆ ପରିଲକ୍ଷିତ ହେଉଛି । ବିଜେଡିର ସାଙ୍ଗଠନିକ ସ୍ଥିତି ଯଦିଓ ପୁରା ମଜବୁତ ଅଛି କିନ୍ତୁ ଦଳରେ ଗୋଷ୍ଠୀ କନ୍ଦଳ ଦଳକୁ ଅଡୁଆ ସ୍ଥିତିରେ ପକାଇବା ଭଳି ହୋଇଛି । ଦୁର୍ବଳ ସ୍ଥିତିରେ ଥିବା ବିରୋଧି ବିଜେପି, କଂଗ୍ରେସ ଏବଂ ଅସନ୍ତୋଷ ଗୋଷ୍ଠୀ ଏଥିରୁ ଫାଇଦା ନେବାକୁ ନିଶ୍ଚିତ ଉଦ୍ୟମ କରିବେ । ବିଜେଡି ଦଳ ପାଇଁ ୬ ରୁ ଅଧିକ ଟିକେଟ ରେସରେ ଥିବା ବେଳେ ବିଜେପି ଦଳର ଏକାଧିକ ପ୍ରାର୍ଥୀଙ୍କ ନାଁ ମଧ୍ୟ ଯୋଡି ହୋଇଛି । ବର୍ତ୍ତମାନ ଜୟଦେବର ବିଧାୟକ ଅରବିନ୍ଦ ଢାଲି ବିଜେଡି ଟିକଟ ପାଇଁ ଦାବିଦାର ଥିବାବେଳେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ଏବେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ନିଜକୁ ଚର୍ଚ୍ଚାକୁ ଆଣିଛନ୍ତି । ସେ ମଧ୍ୟ ବିଜେଡି ରେସରେ ଅଛନ୍ତି । ସେହିପରି ଶଶୀଭୂଷଣ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ସ୍ବାଧୀନ ପ୍ରାର୍ଥୀ ନବ କିଶୋର ମଲ୍ଲିକ ମଧ୍ୟ ବିଜେଡି ଟିକେଟ ରେସରେ ଅଛନ୍ତି । ଅନ୍ୟପକ୍ଷେ ଦୁଇ ସରକାରୀ ଅଧିକାରୀ ଶରତ ଚନ୍ଦ୍ର ସେଠି ଏବଂ ଅକ୍ଷୟ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଉଳଧରପୁର ପଞ୍ଚାୟତ ସମିତି ସଭ୍ଯା ସୌଭାଗ୍ଯ ଲକ୍ଷ୍ମୀ ଶୁଭଦର୍ଶିନୀ ମଧ୍ୟ ଟିକେଟ ଲବିରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ନିର୍ବାଚନ 2024: କାହାର ହେବ ଚିଲିକା ? କିଏ ମାରିବ ବାଜିବ

ସେପଟେ ବିଜେପି ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକଙ୍କ ଦେହାନ୍ତ ହେବା ପରେ ନୂଆ ଚେହେରା ଭାବରେ ଶିବ ମଲ୍ଲିକଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ବସନ୍ତ ନାୟକ, ମାଗୁଣି ସେଠି, ରାଘବ ସେଠିଙ୍କ ପରି ଅନେକଙ୍କ ନାଁ ମଧ୍ୟ ବିଜେପି ଦଳରୁ ଟିକେଟ ରେସରେ ଅଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ଦଳରୁ ମଧ୍ୟ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବିଛି ।‌ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ଭଲ ଭୋଟ ଭାଇଥିବାରୁ ବେଣୁଧର ଭୋଇଙ୍କ ନା ଶୀର୍ଷରେ ଥିବା ବେଳେ ଜୟନ୍ତ ଭୋଇ ଏବଂ ନଳିନୀ ବେହେରାଙ୍କ ସମେତ ଅନେକ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଜୟଦେବ ନିର୍ବାଚନ ମଣ୍ତଳୀକୁ ନେଇ ସାଧାରଣ ଜନତା ଏବଂ ଭୋଟରଙ୍କ ମତ ଏବେ ଭିନ୍ନ ଭିନ୍ନ ରହିଛି । କିଏ ନିର୍ବାଚନ ସମସ୍ୟା କଥା କହୁଛନ୍ତି ତ ଆଉ କିଏ ନିଜ ନିର୍ବାଚନ ମଣ୍ଡଳୀ ନେତାକୁ ଭୋଟ ଦେବା ପାଇଁ କହୁଛନ୍ତି । କିନ୍ତୁ ୨୦୨୪ ନିର୍ବାଚନ ଜୟଦେବ ବିଧାନସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ଏବେ ଠୁ ଆକଳନ କରିବା ମୁସ୍କିଲ ହୋଇପଡିଛି ।

ଇଟିଭି ଭାରତ, ନିଆଳି

Last Updated : Feb 26, 2024, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.