ETV Bharat / politics

ବିଜେଡି ଛାଡିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶୀଶା - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Mar 28, 2024, 9:55 PM IST

Former MLA Dambaru Sisa Quits BJD : ଆଜି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶୀଶା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଦଳ ସହ ସେ ନିଜର 16 ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ଅଧିକ ପଢନ୍ତୁ

ବିଜେଡି ଛାଡିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁରୁଧର ଶୀଶା
ବିଜେଡି ଛାଡିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁରୁଧର ଶୀଶା

ମାଲକାନଗିରି: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ପୁଣି ଆଉ ଜଣେ ପୂର୍ବତନ ବିଧାୟକ ଛାଡିଛନ୍ତି ବିଜେଡି । ଆଜି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶୀଶା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଦଳ ସହ ସେ ନିଜର 16 ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ନିଜର ଇସ୍ତଫା ପତ୍ର ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ ଯେ ଡମ୍ବରୁ ବିଜେଡି ଟିକେଟରେ 2014 ରୁ 2019 ପର୍ଯ୍ୟନ୍ତ ବିଧାୟକ ଥିଲେ । ତେବେ 2019 ଦଳ ଆଉ ତାଙ୍କ ଉପରେ ଭରସା କରିନଥିଲା ଓ ଦଳ ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ବଦଳରେ ଦଳ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ଦଳ ଭରସା କରି ଟିକେଟ ଦେଇଥିଲା । ସେହିପରି ଚଳିତ ନିର୍ବାଚନ ପାଇଁ ବିଜେଡିରୁ ଡମ୍ବରୁ ଟିକେଟ ପାଇବା ସମ୍ଭାବନା କ୍ଷୀଣ ଥିବାରୁ ସେ ଦଳ ଛାଡିଛନ୍ତି । ଇସ୍ତଫା ପତ୍ରରେ ଡମ୍ବରୁ ଲେଖିଛନ୍ତି ଯେ, "ବିଜେଡି ଛାଡିଥିଲେ ମଧ୍ୟ ମୋର ଲକ୍ଷ୍ୟ ଓ ଉଦେଶ୍ୟ ପୂର୍ବ ପରି ସମାନ ରହିବ । ରାଜ୍ୟ ତଥା ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ବାର୍ଥ ରକ୍ଷା ଓ ସେବା ମନୋଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । ବିଜେଡିରେ ରହି ଏହା କରିପାରିବି ନାହିଁ ବୋଲି ମୁଁ ଅନୁଭବ କରୁଛି । ମୋ ସମର୍ଥକ ଓ କର୍ମୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଏହି ନିଷ୍ପତ୍ତି ନେଉଛି । ତେଣୁ ମୁଁ ନୂଆ ଆରମ୍ଭ କରିବାକୁ ଚାହୁଁଛି । ଦଳରେ ମୋ ସହିତ କାମ କରିଥିବା ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ।" ଆସନ୍ତା ଦିନରେ ସେ ଏକ ଜାତୀୟ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ... BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

ସେହିପରି ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବିଜେଡିର ଦୁଇ ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ତେବେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଜୟଦେବ ବିଧାୟକ ଅରବିନ୍ଦ ଢାଲି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ , ପୂର୍ବତନ ବିଧାୟକ ଅନାମ ନାୟକ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଆଦି ବିଜେପି ଛାଡି ନିକଟ ଅତୀତରେ ବିଜେପିରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.