ETV Bharat / politics

ରାହୁଲଙ୍କ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ପୂର୍ବରୁ ଅମେଠିରେ ୧୪୪ ଧାରା ଲାଗୁ

author img

By ETV Bharat Odisha Team

Published : Feb 9, 2024, 8:45 PM IST

Bharat Jodo Nyay Yatra
Bharat Jodo Nyay Yatra

Section 144 In Amethi: ଫେବୃଆରୀ ୧୬ ତାରିଖରେ ୟୁପିରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହା ପୂର୍ବରୁ ଅମେଠିରେ ଲାଗୁ ହେଲା ୧୪୪ ଧାରା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମେଠିରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଆସୁଥିବା ବିଭିନ୍ନ ପ୍ରକାର ପର୍ବପର୍ବାଣି ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସ୍ଥାନୀୟ ପ୍ରଶାସନ କହିଥିବା ବେଳେ ଏପଟେ କିନ୍ତୁ ଏନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଫେବୃଆରୀ ୧୬ ତାରିଖରେ ୟୁପିରେ ପ୍ରବେଶ କରିବା ପରେ ୧୯ରେ ରାୟବରେଲି ଓ ଅମେଠି ସଂସଦୀୟ କ୍ଷେତ୍ରରେ ପହଞ୍ଚି ଥାଆନ୍ତା । ତେବେ ରାହୁଲଙ୍କ ପଦଯାତ୍ରା ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛି କଂଗ୍ରେସ ।

ପୂର୍ବତନ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭା ନିର୍ବାଚନରେ ରାୟବରେଲିକୁ ପ୍ରତିନିଧିତ୍ବ କରନ୍ତି । ସେପଟେ କିନ୍ତୁ ଗତ ୨୦୧୯ରେ ଅମେଠିରେ ହାରିଥିଲେ ରାହୁଲ । ଏହି ଦୁଇଟି ସଂସଦୀୟ ନିର୍ବାଚନ କ୍ଷେତ୍ର କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ତେବେ ରାହୁଲଙ୍କ ପଦଯାତ୍ରାକୁ ଦୃଷ୍ଟିରେ ରଖି ଅମେଠି ସାଂସଦ ସ୍ମୃତି ଇରାନୀଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିବା ଲାଗି ସ୍ଥାନୀୟ କଂଗ୍ରେସ ନେତା ପ୍ରସ୍ତୁତି ଜୋରଦାର କରୁଛନ୍ତି ।

ଏନେଇ ସ୍ଥାନୀୟ କଂଗ୍ରେସ ନେତା ତଥା ବିଧାୟକ ଦୀପକ ସିଂ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "କୌଣସି ଦଙ୍ଗା ନାହିଁ, ହେଲେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅମେଠି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ନିୟମ ଅନୁସାରେ ଏହା କୌଣସି ସାଂସଦଙ୍କ ଯାତାୟାତ ଉପରେ ଲାଗୁ କରାଯାଏ ନାହିଁ, ହେଲେ ସାଧାରଣ ଲୋକଙ୍କ ପାଇଁ ଏହା ଲାଗୁ ହୋଇଥାଏ । ୧୪୪ ଧାରା ଲାଗୁ ହେଲେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ସ୍ବାଭାବିକ କଥା ରାହୁଲଙ୍କ ପଦଯାତ୍ରା ସମୟରେ ସେ ଏକାକୀ ଆସିବେ ନାହିଁ । ତାଙ୍କ ସହିତ ହଜାର ହଜାର ସାଧାରଣ ଜନତା ସାମିଲ ହେବେ । ରାହୁଲଙ୍କ ଯାତ୍ରାକୁ ନେଇ ସ୍ଥାନୀୟ ସାଂସଦ ଚିନ୍ତିତ । ଯାତ୍ରାକୁ ଅଟକାଇବା ଲାଗି ଏହି ଧାରା ଲାଗୁ ହୋଇଛି ।"

ଏହା ବି ପଢନ୍ତୁ- ଓଡ଼ିଶାରେ ଶେଷ ରାହୁଲଙ୍କ ନ୍ୟାୟ ଯାତ୍ରା, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନନ

ସେପଟେ ସ୍ଥାନୀୟ କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି, "ରାଜ୍ୟରେ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ୧୪୪ ଧାରା ଲାଗୁ କରାଯାଇଛି । ହେଲେ ଆମେ ଚିନ୍ତିତ ନାହୁଁ । ରାହୁଲଙ୍କ ଯାତ୍ରା ନିଶ୍ଚିତ ଭାବେ ଅମେଠି ଦେଇ ଅତିକ୍ରମ କରିବ । ଯାତ୍ରା ଫେବୃଆରୀ ୧୯ ତାରିଖରେ ଅମେଠି ନିକଟରେ ପହଞ୍ଚିବ । ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଘୋଷଣା କରିସାରିଛନ୍ତି ଯେ ସେ ଅମେଠି କିମ୍ବା ରାୟବରେଲିରେ ଯାତ୍ରାରେ ସାମିଲ ହେବେ । ଫେବୃଆରୀ ୧୬ରେ ଯାତ୍ରା ଚନ୍ଦୌଲିରେ ପ୍ରବେଶ କରିବ, ସେହି ଦିନ ରାହୁଲ ଗାନ୍ଧୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।"

ସୂଚନା ଥାଉ କି ଆଜି ୨୭ ଦିନରେ ପଦାର୍ପଣ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଗତକାଲି ଏହା ଓଡ଼ିଶାରେ ଶେଷ ହୋଇଥିବା ବେଳେ ବେଲପାହାଡ଼ ଦେଇ ଛତିଶଗଡ଼ ସୀମାବର୍ତ୍ତୀ ରାୟଗଡ଼ ଅଞ୍ଚଳରେ ପ୍ରବେଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.