ETV Bharat / politics

ଓଡ଼ିଶାରେ ଶେଷ ରାହୁଲଙ୍କ ନ୍ୟାୟ ଯାତ୍ରା, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନନ

author img

By ETV Bharat Odisha Team

Published : Feb 8, 2024, 10:45 PM IST

Bharat Jodo Nyay Yatra in Odisha: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ । ବିଜେପି-ବିଜେଡି ମଧ୍ୟରେ ଭିତିରି ସମ୍ପର୍କ ଥିବା କହି ବର୍ଷିଲେ ରାହୁଲ । ଅଧିକ ପଢନ୍ତୁ

Bharat Jodo Nyay Yatra
Bharat Jodo Nyay Yatra

ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନନ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି ୨୬ ଦିନରେ ପଦାର୍ପଣ କରିଛି । ଏହାରି ସହିତ ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ 'ଭାରତ ନ୍ୟାୟ ଯାତ୍ରା' ଶେଷ ହୋଇଛି । ରାଜ୍ୟରେ ତୃତୀୟ ତଥା ଅନ୍ତିମ ଦିବସରେ ବେଲପାହାଡ଼ ଦେଇ ଛତିଶଗଡ଼ ସୀମାବର୍ତ୍ତୀ ରାୟଗଡ଼ ଅଞ୍ଚଳରେ ପ୍ରବେଶ କରିଛନ୍ତି ରାହୁଲ । ତେବେ ରାହୁଲ ଗତ ଦୁଇ ଦିନ ହେବ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଭେଟିଥିବା ବେଳେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଥିଲେ । ଏହି ଦୁଇ ଦଳ ମଧ୍ୟରେ ଭିତିରି ସମ୍ପର୍କ ଥିବା ସେ କହିଥିଲେ । ସେପଟେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ରାହୁଲଙ୍କ ଆଦିବାସୀ ମନୋଭାବଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

କଂଗ୍ରେସର କହିବାନୁସାରେ ଦଳିତ, ପଛୁଆବର୍ଗ, ଚାଷୀ, ଯୁବବର୍ଗଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାହୁଲ ଭାରତ ନ୍ୟାୟ ଯାତ୍ରା କରୁଛନ୍ତି । ସମାଜର ବିଭିନ୍ନ ବର୍ଗର ଜନସାଧାରଣ ରାହୁଲଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା । ତେବେ ସବୁଠୁ ବଡ଼ କଥା ହେଉଛି ରାହୁଲ ମୋଦିଙ୍କୁ କଟାକ୍ଷ କରିବା ସହ ବିଜେଡି ବିଜେପି ଉପରେ ବର୍ଷିଥିଲେ । ମୋଦି ଏବଂ ନବୀନ ଏକାଠି ଅଛନ୍ତି । ସେମାନଙ୍କ ଭିତିରି ସମ୍ପର୍କ ରହିଥିବା କହିଥିଲେ ।

ଏହା ବି ପଢନ୍ତୁ-ଓଡ଼ିଶାରେ ରାହୁଲ; ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା

ସେପଟେ ରାହୁଲଙ୍କ ଏହି ଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଭାରତ ନ୍ୟାୟ ଯାତ୍ରାରେ ରାହୁଲଙ୍କୁ ଦେଖିବା ଲାଗି ସାଧାରଣ ଲୋକେ ଆସୁଥିଲେ । ଏଥିରୁ ଯାହା ପ୍ରମାଣିତ ହେଉଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ମୋଦି ଏବଂ ନବୀନଙ୍କୁ ଅଲଗା କରି କୌଣସି କଥା ଭାବି ହୁଏନା । ରାଜ୍ୟରେ ହେଉ କିମ୍ବା କେନ୍ଦ୍ରରେ ସବୁବେଳେ ମୋଦିଙ୍କୁ ସମର୍ଥନ ଦେଇ ଆସୁଛନ୍ତି ନବୀନ । ରାହୁଲ ଗାନ୍ଧୀ ଓଡ଼ିଶାର ଆଦିବାସୀ ଦଳିତଙ୍କ ପାଇଁ କହିଥିଲେ ତୁମେ ଲଢେଇ କର ମୁଁ ସୈନିକ ହୋଇ ଜଗିଛି । ଯାହା ପ୍ରମାଣିତ କରୁଛି ତାଙ୍କର ଆଦିବାସୀଙ୍କ ପାଇଁ ମନ କଣ ?"

ଏହା ବି ପଢନ୍ତୁ- ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ

ଅନ୍ୟପଟେ ଭାରତ ନ୍ୟାୟ ଯାତ୍ରା ସାରି ରାହୁଲ ଗାନ୍ଧୀ ଓଡ଼ିଶାରୁ ବିଦାୟ ନେଇଛନ୍ତି । ଏବେ କଂଗ୍ରେସ କର୍ମୀ ଓ ନେତା ଉତ୍ସାହିତ ଅଛନ୍ତି । ତୃଣମୂଳ ସ୍ତରକୁ କଂଗ୍ରେସର ବାର୍ତ୍ତା କିଭଳି ପହଞ୍ଚିବ ସେ ନେଇ ଦଳୀୟ କର୍ମୀ ପ୍ରସ୍ତୁତ । ରାହୁଲଙ୍କ ପରେ ଓଡ଼ିଶାରେ ପ୍ରଚାର କରିବା ପାଇଁ ନେତାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି । ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ୯ରୁ ୯୦ ହାତେଇବ ସେ ନେଇ ଜୋରଦାର ପ୍ରୟାସ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ରାହୁଲଙ୍କ ନ୍ୟାୟ ଯାତ୍ରା ଓଡ଼ିଶାରେ କେତେ ପ୍ରଭାବ ପକାଇବ ଆଗାମୀ ସମୟ ହିଁ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.