ETV Bharat / politics

ଏଡିଆର ରିପୋର୍ଟ; ଚର୍ଚ୍ଚାରେ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୪ କୋଟି

author img

By ETV Bharat Odisha Team

Published : Mar 21, 2024, 7:03 AM IST

Etv Bharat
Etv Bharat

ADR Report: ରାଜ୍ୟର ୪୭ ଜଣ ବିଧାୟକଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟର ସବୁଠାରୁ ଧନୀ ବିଧାୟକ ଓ ଦୀପାଳି ଦାସ ଧନୀ ବିଧାୟିକା ଅଟନ୍ତି । ଏଡିଆର ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଇଲେକ୍ସନ ୱାଚ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ବା ଏଡିଆର ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ ପ୍ରକାଶ ପାଇଛି ଓଡ଼ିଶାର ଧନୀ, ଗରିବ, ଅପରାଧି, ଋଣଗ୍ରସ୍ତ ବିଧାୟକଙ୍କ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ଧନୀ ଭାବେ ୬୪ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସ୍ୱର୍ଗତ ବାପା ନବକିଶୋର ଦାସଙ୍କ ପରି ଝିଅ ଦୀପାଳି ଦାସ ଏଡିଆର ରିପୋର୍ଟ ଆଧାରରେ ଚର୍ଚ୍ଚାରେ ରହିଛନ୍ତି । ରାଜ୍ୟରେ ୯୫ ଜଣ କୋଟିପତି ବିଧାୟକ ଥିବା ରିପୋର୍ଟରେ ଆକଳନ ହୋଇଛି ।

ନବୀନ ପଟ୍ଟନାୟକ ସବୁଠୁ ଧନୀ: ଏଡିଆର ପକ୍ଷରୁ ପ୍ରକାଶ ପାଇଛି ରାଜ୍ୟର ବିଧାୟକଙ୍କର ଅପରାଧ ପୃଷ୍ଠଭୂମି, ଶିକ୍ଷା ଓ ଆର୍ଥିକ ସ୍ଥିତି ସମେତ ଅନ୍ୟାନ୍ୟ ଦିଗର ବିଶ୍ଲେଷଣାତ୍ମକ ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ୯୫ ଜଣ କୋଟିପତି ବିଧାୟକ ଅଛନ୍ତି । ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ବିଧାୟକ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୪ କୋଟି ଟଙ୍କା । ଦୀପାଳି ଦାସ ରାଜ୍ୟର ସବୁଠାରୁ ଧନୀ ବିଧାୟିକା । ଝାରସୁଗୁଡା ବିଧାୟିକା ଦୀପାଳିଙ୍କ ସମ୍ପତ୍ତି ପ୍ରାୟ ୪୦ କୋଟି ଟଙ୍କା । ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କର ସମ୍ପତ୍ତି ମାତ୍ର ୧୫ ହଜାର ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି ।

କଂଗ୍ରେସରେ ୬ କୋଟିପତି ବିଧାୟକ: ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ ସୁଦ୍ଧା ଓଡ଼ିଶା ବିଧାନସଭାରେ ୧୪୬ ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ରହିଛି । ୧୧୧ ବିଜେଡି, ୨୨ ବିଜେପି, ୮ କଂଗ୍ରେସ, ୪ ସ୍ୱାଧୀନ ଓ ୧ ସିପିଏମ ବିଧାୟକ ଅଛନ୍ତି । ଦେଶ ତଥା ରାଜ୍ୟରେ ରାଜନୈତିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ । କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି । ଦଳର ୭୫% ବିଧାୟକ କୋଟିପତି । ରାଜ୍ୟ ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୪.୦୧ କୋଟି ଟଙ୍କା ରହିଛି । ବିଜେଡି ବିଧାୟକମାନଙ୍କ ହାରାହାରି ମୁଣ୍ଡପିଛା ସମ୍ପତ୍ତି ୪.୩୧ କୋଟି, କଂଗ୍ରେସର ୪.୧୩ କୋଟି ଓ ବିଜେପିର ୧.୦୫ କୋଟି ରହିଛି । ବିଜେଡିର ୭୭ ଜଣ, କଂଗ୍ରେସର ୬ ଜଣ, ବିଜେପିର ୯ ଜଣ ବିଧାୟକ ହେଉଛନ୍ତି କୋଟିପତି । ଯଦି ଅନୁପାତିକ ହିସାବରେ ଦେଖାଯାଏ, ତା’ହେଲେ କୋଟିପତି ବିଧାୟକଙ୍କ ପରିମାଣ କଂଗ୍ରେସରେ ଅଧିକ ।

ଦୀପାଳି ଦାସ ଧନୀ ବିଧାୟିକା: ଶୀର୍ଷ ୧୦ ଧନୀ ବିଧାୟକ ତାଲିକାରେ ବିଜେଡିର ୭ ଜଣ, କଂଗ୍ରେସର ୨ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ନବୀନଙ୍କ ପଛକୁ ବିଧାୟିକା ଦୀପାଳି ଦାସ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୪୦.୧୭ କୋଟି ଟଙ୍କା । ପାଟଣାଗଡ଼ ବିଧାୟକ ସରୋଜ ମେହେର ୩୧.୪୩ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି । ସ୍ୱାଧୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ୩୦.୨୯ କୋଟି ଓ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ୧୯.୧୫ କୋଟି ଟଙ୍କାର ସମ୍ପତ୍ତି ରହିଛି । କଂଗ୍ରେସର ମହମ୍ମଦ ମୋକିମଙ୍କର ୧୭.୯୭ କୋଟି, ସୁରେଶ ରାଉତରାୟ ୧୭.୪୩ କୋଟି, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ୧୭.୨୪ କୋଟି, ସୁଧୀର ସାମଲଙ୍କର ୧୪.୦୩ କୋଟି ଓ ସୁଶାନ୍ତ କୁମାର ରାଉତଙ୍କର ୧୩.୭୬ କୋଟି ଟଙ୍କାର ସମ୍ପତ୍ତି ରହିଛି ।

୪୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା: ରାଜ୍ୟର ୪୭ ଜଣ ବା ୩୨% ବିଧାୟକମାନଙ୍କ ନାଁରେ ସଙ୍ଗୀନ ଅପରାଧ ରହିଛି । ସେଥିରୁ ବିଜେଡ଼ିର ୩୧ ଜଣ ବା ୨୮ %, ବିଜେପିର ୯ ଜଣ ବା ୪୧ %, କଂଗ୍ରେସର ୪ ଜଣ ବା ୫୦%, ୨ ଜଣ ସ୍ୱାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ଯାହାକି ବିଜେଡି ଓ ବିଜେପି ବିଧାୟକଙ୍କ ଅନୁପାତ ତୁଳନାରେ ଅଧିକ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ବିଧାୟକଙ୍କ ନାଁରେ ସର୍ବାଧିକ ସଙ୍ଗୀନ ଅପରାଧ ମାମଲା ରହିଛି । ସଙ୍ଗୀନ ଅପରାଧ ମଧ୍ୟରେ ୨ ଜଣଙ୍କ ନାଁ'ରେ ହତ୍ୟା ମାମଲା, ୧୧ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା, ୧୨ ଜଣଙ୍କ ନାଁରେ ମହିଳା ହିଂସା ମାମଲା ରହିଛି ।

ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା: ରାଜ୍ୟରେ ୭୧ ବର୍ଷ ବୟସରୁ ଅଧିକ ୮ ଜଣ ବିଧାୟକ ଅଛନ୍ତି । ୬ ଜଣ ବିଧାୟକଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ଥିବାବେଳେ ୩୧ରୁ ୪୦ବର୍ଷ ବୟସ ମଧ୍ୟରେ ୧୪ ଜଣ ବିଧାୟକ ଅଛନ୍ତି । ୪୧ରୁ ୫୦ ବର୍ଷ ମଧ୍ୟରେ ୫୬ ଜଣ, ୫୧ରୁ ୬୦ବର୍ଷ ମଧ୍ୟରେ ୪୧ ଜଣ, ୬୧ରୁ ୭୦ ବର୍ଷ ମଧ୍ୟରେ ୨୧ଜଣ ବିଧାୟକ ଅଛନ୍ତି । ରାଜ୍ୟର ୮ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତାରେ ୨୨ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ବିଜେଡି ଏବଂ କଂଗ୍ରେସ ଓ ବିଜେପିର ୩ ଜଣ ଲେଖାଏଁ ବିଧାୟକ ଅଛନ୍ତି । ବିଜେଡିର ୨ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଓ ୬ ଜଣଙ୍କ ଅଷ୍ଟମ ପାସ । ସେହିପରି ୨୨ ଜଣ ଯୁକ୍ତ ୨, ୩୨ ଜଣ ଯୁକ୍ତ ୩, ୩୫ ଜଣ ପିଜି ଡିଗ୍ରୀ ଏବଂ ୪ ଜଣ ବିଧାୟକ ଡକ୍ଟରେଟ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ADR Report: ଦେଶର ୩୦୬ ସାଂସଦଙ୍କ ନାଁରେ ଅପରାଧିକ ମାମଲା

ରାଜ୍ୟରେ ମାତ୍ର ୧୮ ଜଣ ମହିଳା ଓ ୧୨୮ ଜଣ ପୁରୁଷ ବିଧାୟକ ଅଛନ୍ତି । ମହିଳା ବିଧାୟିକାଙ୍କ ଭାଗିଦାରୀ ମାତ୍ର ୧୨ ପ୍ରତିଶତ । ବିଜେଡିରେ ୧୫ ପ୍ରତିଶତ ଓ ବିଜେପିରେ ୫ ପ୍ରତିଶତ ବିଧାୟକ ହେଉଛନ୍ତି ମହିଳା । ସଂଖ୍ୟା ଦେଖିଲେ ବିଜେଡିରେ ୧୭ ଓ ବିଜେପିରୁ ଜଣେ ମାତ୍ର ବିଧାୟିକା ଅଛନ୍ତି । ଅନ୍ୟ କୌଣସି ଦଳରୁ ମହିଳା ପ୍ରତିନିଧିତ୍ୱ ନାହାନ୍ତି । ଅନ୍ୟପକ୍ଷରେ ବିଧାୟିକା ଦୀପାଳି ଦାସଙ୍କ ମୁଣ୍ଡରେ ସର୍ବାଧିକ ୧୯.୮୯ କୋଟି ଟଙ୍କା ଋଣ ବୋଝ ରହିଛି । ସେହିପରି ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକଙ୍କ ମୁଣ୍ଡରେ ୭.୭୪ କୋଟି, ବିକ୍ରମ କୁମାର ପଣ୍ଡାଙ୍କର ୪.୬୫ କୋଟି, ସୁଶାନ୍ତ କୁମାର ରାଉତଙ୍କର ୪.୨୪ କୋଟି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ୩.୪୮ କୋଟି, ବିଷ୍ଣୁବ୍ରତ ରାଉତରାୟଙ୍କର ୨.୨୯ କୋଟି, ସୁଧୀର କୁମାର ସାମଲଙ୍କର ୨.୨୧ କୋଟି, ରୋହିତ ପୂଜାରୀଙ୍କର ୨.୧୭ କୋଟି, ପ୍ରଣବ ବଳବନ୍ତରାୟଙ୍କ ମୁଣ୍ଡରେ ୧.୬୭ କୋଟି ଋଣ ରହିଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କର ୧.୦୩ କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ତାଙ୍କ ମୁଣ୍ଡରେ ୧.୪୧ କୋଟି ଟଙ୍କାର ଋଣ ବୋଝ ଥିବା ରିପୋର୍ଟରେ ଦର୍ଶାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.