ETV Bharat / bharat

ADR Report: ଦେଶର ୩୦୬ ସାଂସଦଙ୍କ ନାଁରେ ଅପରାଧିକ ମାମଲା

author img

By ETV Bharat Odisha Team

Published : Sep 13, 2023, 8:21 AM IST

ଏଡିଆର ରିପୋର୍ଟ ଅନୁଯାୟୀ, ଦେଶର ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅଧିକ ପଢନ୍ତୁ

ADR Report
ADR Report

ନୂଆଦିଲ୍ଲୀ: ଦେଶରେ ବଢୁଛନ୍ତି ଦାଗୀ ନେତା । ସଂସଦର ୭୬୩ ଜଣ ସାଂସଦଙ୍କୁ ମଧ୍ୟରୁ ୪୦ ପ୍ରତିଶତ ଦାଗୀ ନେତା ଅଟନ୍ତି । ଅର୍ଥାତ୍ ୩୦୬ ଜଣ ସାଂସଦଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୧୯୪ ଜଣ ବା ୨୫ ପ୍ରତିଶତ ସାଂସଦଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ବିରୋଧୀ ହିଂସା ଭଳି ସଙ୍ଗୀନ ମାମଲା ରହିଛି । ଯାହାକି ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ୍(ADR) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଖୁଲାସା ହୋଇଛି ।

କେରଳରେ ସର୍ବାଧିକ ଦାଗୀ ସାଂସଦ: ମଙ୍ଗଳବାର ଜାରି ହୋଇଥିବା ADR ରିପୋର୍ଟରେ ଦାବି କରାଯାଇଛି ଯେ, ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬(୪୦%) ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ସେଥିମଧ୍ୟରୁ ୧୯୪ ଜଣଙ୍କ ବିରୋଧିରେ ଗମ୍ଭୀର ମାମଲା ଅଛି । ଏଡିଆର ରିପୋର୍ଟରେ କେରଳର ରେକର୍ଡ ସବୁଠୁ ଖରାପ ରହିଛି । ଏଠାରେ ସର୍ବାଧିକ ଦାଗୀ ନେତା ଅଛନ୍ତି । କେରଳ ୨୯ ସାଂସଦଙ୍କ ମଧ୍ୟରୁ ୨୩ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଥିବାବେଳେ ସେଥିମଧ୍ୟରୁ ୧୦ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏହା ପଛକୁ ବିହାରରେ ଦ୍ବିତୀୟ ସର୍ବାଧିକ ଦାଗୀ ସାଂସଦ ରହିଛନ୍ତି । ଏହି ରାଜ୍ୟରେ ୫୬ ସାଂସଦଙ୍କ ମଧ୍ୟରୁ ୪୧ ଜଣ(୭୩ ପ୍ରତିଶତ) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୨୮ ଜଣଙ୍କ ବିରୋଧରେ ଗୁରୁତର ମାମଲା ରହିଛି ।

ତୃତୀୟରେ ମହାରାଷ୍ଟ୍ରରେ ୬୫ ସାଂସଦଙ୍କ ମଧ୍ୟରୁ ୩୭ (୫୭%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ୩୭ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କ ବିରୋଧରେ ହତ୍ୟା, ଅପହରଣ, ମହିଳା ବିରୋଧୀ ହିଂସା ମାମଲା ରହିଛି । ଏହି କ୍ରମରେ ଉତ୍ତର ପ୍ରଦେଶରେ ୧୦୮ ସାଂସଦଙ୍କ ମଧ୍ୟରୁ ୩୭ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ତେଲେଙ୍ଗାନାରେ ୨୪ରୁ ୧୩ ଜଣ ସାଂସଦ ଦାଗୀ ହୋଇଥିବା ବେଳେ ୯ ଜଣଙ୍କ ବିରୋଧରେ ଗମ୍ଭୀର ମାମଲା ରହିଛି ।

କେଉଁ ଦଳରେ ଅଧିକ ଦାଗୀ ନେତା: ରିପୋର୍ଟରେ ଅନୁସାରେ ବିଜେପିର ୩୮୫ ସାଂସଦଙ୍କ ଭିତରୁ ୧୩୯ ଜଣ ବା ୩୬% ବିରୋଧରେ ଅପରାଧିକ ମାମଲା ରହିଛି । କଂଗ୍ରେସର ୮୧ ସାଂସଦଙ୍କ ଭିତରୁ ୨୬ ଜଣଙ୍କ ନାଁରେ କ୍ରିମିନାଲ କେସ୍ ରହିଛି । ତୃଣମୂଳ କଂଗ୍ରେସର ୩୬ ସାଂସଦଙ୍କ ଭିତରୁ ୭ ଜଣ, ଆରଜେଡିର ୬ ସାଂସଦଙ୍କ ମଧ୍ୟରୁ ୩ ଜଣ, ସିପିଆଇଏମ୍‌ର ୮ ଜଣଙ୍କରୁ ୨ ଜଣ, ଆପ୍‌ର ୧୧ ସାସଂଦଙ୍କ ଭିତରୁ ଜଣେ, ୱାଇଏସଆରସିପିର ୩୧ ସାଂସଦଙ୍କ ମଧ୍ୟରୁ ୧୧ ଏବଂ ଏନସିପିର ୮ ଜଣଙ୍କ ଭିତରୁ ୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଛନ୍ତି ।

ତେଲେଙ୍ଗାନା ସାଂସଦ ସବୁଠୁ ଧନୀ: ଦେଶର ପ୍ରାୟ ସବୁ ସାଂସଦ କୋଟିପତି ଅଟନ୍ତି । ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାର ପ୍ରତି ସାଂସଦଙ୍କ ହାରାହାରି ସଂପତ୍ତି ମୂଲ୍ୟ ୩୮.୩୩ କୋଟି ଟଙ୍କା । ଅପରାଧିକ ମାମଲା ଥିବା ସାଂସଦଙ୍କ ହାରାହାରି ସଂପତ୍ତି ମୂଲ୍ୟ ୫୦.୦୩ କୋଟି ହୋଇଥିବା ବେଳେ କୌଣସି ଅପରାଧିକ ମାମଲାରେ ଜଡିତ ନଥିବା ପ୍ରତି ସାଂସଦଙ୍କର ସମ୍ପତ୍ତି ମୂଲ୍ୟ ହାରାହାରି ୩୦.୫୦ କୋଟି ଟଙ୍କା ରହିଛି । ତେବେ ତେଲେଙ୍ଗାନାର ସାଂସଦ ସବୁଠୁ ଅଧିକ ଧନୀ ଅଟନ୍ତି । ଏହି ରାଜ୍ୟରେ ୨୪ ଜଣ ସାଂସଦଙ୍କ ହାରାହାରି ୨୬୨.୨୬ କୋଟିର ସଂପତ୍ତି ରହିଛି । ଏହା ପଛକୁ ଆନ୍ଧ୍ରପ୍ରଦେଶର ୩୬ ଜଣ ସାଂସଦଙ୍କ ହାରାହାରି ସମ୍ପତ୍ତି ୧୫୦.୭୬ କୋଟି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.