ETV Bharat / politics

ନବୀନ ନିବାସରେ ବିଜେଡି ପ୍ରାର୍ଥୀ; ଦମ୍ଭ ଦେଖାଇଲେ ସ୍ବରୂପ ଓ ରୋହିତ - BJD Candidates Meet Naveen Patnaik

author img

By ETV Bharat Odisha Team

Published : Apr 6, 2024, 8:13 PM IST

BJD Candidates Meet Naveen Patnaik
BJD Candidates Meet Naveen Patnaik

BJD Candidates Meet Naveen Patnaik: ଟିକେଟ ପାଇବା ପରେ ନବୀନ ନିବାସ ଆସି ଦଳର ସୁପ୍ରିମୋଙ୍କୁ ଭେଟି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଉଛନ୍ତି ବିଜେଡି ପ୍ରାର୍ଥୀ । ବାଲେଶ୍ଵର ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଓ ବୀରମିତ୍ରପୁର ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଅଧିକ ପଢ଼ନ୍ତୁ

BJD Candidates Meet Naveen Patnaik

ଭୁବନେଶ୍ବର: ଟିକେଟ ଘୋଷଣା ପରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଉଛନ୍ତି ବିଜେଡି ପ୍ରାର୍ଥୀ । ବିଜେଡିର ଦୁଇ ଯୁବ ଚେହେରା ବାଲେଶ୍ଵରର ସ୍ବରୂପ ଦାସ ଓ ବୀରମିତ୍ରପୁରର ରୋହିତ ଜୋସେଫ ତିର୍କୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଥିଲେ । ଗତ ନିର୍ବାଚନରେ ଲଢେଇର ଅଭିଜ୍ଞତା ନେଇଥିବା ସ୍ବରୂପ ଓ ରୋହିତ ଚଳିତ ଥର ସହଜ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଉଭୟ ।

ବାଲେଶ୍ଵର ସଦର ଆସନରୁ ପୁଣିଥରେ ସ୍ବରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବାଲେଶ୍ଵର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ହୋଇଥିବା ଉପନିର୍ବାଚନରେ ସ୍ବରୂପଙ୍କୁ ଟିକେଟ ଦେଇ ସରପ୍ରାଇଜ କାର୍ଡ ଖେଳିଥିଲା ବିଜେଡି । ଦଳରୁ ଏକାଧିକ ଆଶାୟୀ ଲବିରେ ଥିଲେ ମଧ୍ୟ ବିଜେପି ହାତରୁ ଏହି ଆସନକୁ ଛଡେଇ ଆଣିବା ପାଇଁ ସ୍ଵରୂପଙ୍କୁ ଅସ୍ତ୍ର କରିଥିଲା ବିଜେଡି । ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ତେଣୁ ବିଜେଡି ପୁନର୍ବାର ସ୍ବରୂପଙ୍କୁ ଭରସା କରିଛି । ଟିକେଟ ଘୋଷଣା ପରେ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ସ୍ବରୂପ ।

ସ୍ବରୂପ କହିଛନ୍ତି, "ନିର୍ବାଚନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ର ଦେଇଛନ୍ତି । ୨୦୩୬ରେ ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରିବ । ରାଜ୍ୟର ଦାୟିତ୍ବ ଯୁବବର୍ଗ ନେବେ । ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ ଯେଉଁ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି, ତାହାକୁ ଆଗକୁ ନେବାକୁ ହେବ । ଲୋକଙ୍କ ପାଖକୁ ଯାଇ ସମାଜର ଶେଷ ଧାଡିରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚ । ସରକାରୀ ଯୋଜନା କିପରି ସେମାନଙ୍କ ପାଖରେ ପହଞ୍ଚିବ ବ୍ୟବସ୍ଥା କର । ଜନସାଧାରଣଙ୍କ ପାଖକୁ ଯାଇ ନବୀନ ପଟ୍ଟନାୟକ କିପରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ କାମ କର ।"

ଏହା ମଧ୍ୟ ପଢ଼ନ୍ତୁ...ବୀରମିତ୍ରପୁରରେ ଜୁନିୟର ତିର୍କୀଙ୍କୁ ବିଜେଡି ଟିକଟ, ରୋହିତ କହିଲେ ଲକ୍ଷେରୁ ଊର୍ଦ୍ଧ୍ବ ଭୋଟରେ ଜିତିବି - Odisha Assembly Election

ସେହିଭଳି ୨୦୧୯ ନିର୍ବାଚନରେ ବୀରମିତ୍ରପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀ । କିଛିଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇ ଟିକେଟ ହାତେଇଛନ୍ତି ରୋହିତ । ବୀରମିତ୍ରପୁର ଅଣବିଜେଡି ଗଡ଼ ହୋଇ ରହିଆସିଛି । ସେଠାରୁ ଜର୍ଜ ତିର୍କୀ ବାରବାର ନିର୍ବାଚନ ଜିତି ଆସିଛନ୍ତି । ଜର୍ଜ ତିର୍କୀଙ୍କ ଉତ୍ତରାଧିକାରୀଙ୍କୁ ଦଳରେ ସାମିଲ କରି ବୀରମିତ୍ରପୁର ଦଖଲ ଯୋଜନା ରଖିଛି ବିଜେଡି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରୋହିତ କହିଛନ୍ତି, "ମୋ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରିଛନ୍ତି । ମୋ ମୁଣ୍ଡରେ ହାତ ରଖିଛନ୍ତି । ମୋ ଉପରେ ଭରସା ରଖିଛନ୍ତି । ଏଥର ନିଶ୍ଚୟ ବୀରମିତ୍ରପୁରରେ ବାଜିମାତ ହେବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୋ ବାପାଙ୍କ ଆଶୀର୍ବାଦ ଅଛି । ତାଙ୍କର ଅବଦାନରୁ ମୁଁ ମୋ ପରିଚୟ ସୃଷ୍ଟି କରିପାରିଛି । ପ୍ରଥମ ଥର ପାଇଁ ବୀରମିତ୍ରପୁରରେ ଶଙ୍ଖ ବାଜିବ । ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ସହ ମୋତେ ଆଶୀର୍ବାଦ ଦେଇଛନ୍ତି । ଲୋକଙ୍କ ପାଖକୁ ଯାଇ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ପାଇଁ କିଛି ଚ୍ୟାଲେଞ୍ଜ ହେବନାହିଁ । ଗତଥର ନିର୍ବାଚନ ଲଢ଼ିଥିଲି । କିନ୍ତୁ ଅଭିଜ୍ଞତା ନଥିବାରୁ ହାରିଥିଲି । ୫ ବର୍ଷ ଲୋକଙ୍କ ସୁଖ ଦୁଃଖରେ ଠିଆ ହୋଇଛି । ସେତେବେଳେ ମୋତେ କେହି ଚିହ୍ନିନଥିଲେ କିନ୍ତୁ ଏବେ ଚିହ୍ନିଛନ୍ତି । ମୁଁ ମୋ ପରିଚୟ ସୃଷ୍ଟି କରିଛି । ମୋ ବାପାଙ୍କ ଆଶୀର୍ବାଦ ଅଛି । ବିଜେଡି ଗୋଟେ ଡେକୋରମ, ଶୃଙ୍ଖଳାରେ ଚାଲିଛି । ସୁପ୍ରିମୋଙ୍କ ଯାହା ଆଦେଶ ଏବଂ ନିର୍ଦ୍ଦେଶ ସମସ୍ତେ ମାନିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.