ETV Bharat / politics

ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

author img

By ETV Bharat Odisha Team

Published : Apr 17, 2024, 12:25 PM IST

Updated : Apr 17, 2024, 1:02 PM IST

5ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି
5ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

BJD announce candidates: ଏଥର ବି ଦୁଇଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ ସହିତ କଣ୍ଟାବାଞ୍ଜିରୁ ଲଢିବେ ନବୀନ । ସମ୍ବଲପୁର ଓ ରେଢାଖୋଲରେ ଅଦଳ ବଦଳ ବିଜେଡି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଆଜି ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଏଥର କଣ୍ଟାବାଞ୍ଜିରୁ ନବୀନ, ସମ୍ବଲପୁର ଓ ରେଢାଖୋଲରେ ବଦଳିଲେ ପ୍ରାର୍ଥୀ ଏଥର କଣ୍ଟାବାଞ୍ଜିରୁ ନବୀନ, ସମ୍ବଲପୁର ଓ ରେଢାଖୋଲରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ବର: ଏଥର କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢାଖୋଲରେ ମଧ୍ୟ ବଦଳିଲେ ଦୁଇ ପ୍ରାର୍ଥୀ । ଆଜି ବିଜୁ ଜନତା ଦଳ (ବିଜେଡି) 5ମ ପର୍ଯ୍ୟାୟରେ 9 ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାସହ ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଛି ଶାସକ ଦଳ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିବେ । ସେହିପରି ଦଳ ଦୁଇଟି ଆସନରେ ପ୍ରାର୍ଥୀ ମଧ୍ୟ ଅଦଳ ବଦଳ କରିଛି । ସମ୍ବଲପୁର ପରିବର୍ତ୍ତେ ରେଢାଖୋଲରୁ ଲଢିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ରୋହିତ ପୁଜାରୀଙ୍କୁ ଦଳ ପରିବର୍ତ୍ତନ କରି ସମ୍ବଲପୁର ପାଇଁ ଟିକେଟ ଦେଇଛି । ପଦ୍ମପୁରରୁ ପୁଣି ଥରେ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଟିକେଟ ଦେଇଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରାର୍ଥୀ ଘୋଷଣା କରିଛନ୍ତି ।

ନବୀନ ଘୋଷଣା କରିଥିବା 9 ପ୍ରାର୍ଥୀଙ୍କ ମଧ୍ୟରେ ବହୁ ପରୀକ୍ଷା ନିରୀକ୍ଷା କରିଛି ଦଳ । ଯାହା ପୂର୍ବରୁ ପ୍ରକାଶ ପାଇଥିବା 4 ତାଲିକାରେ ପ୍ରାୟତଃ ଦେଖିବାକୁ ମିଳିନଥିଲା । ସେଥିପାଇଁ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇଥିବା ଅନୁମାନ କରାଯାଇପାରେ । ଚିତ୍ରକୋଣ୍ଡାରୁ ଦଳ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଭରସା କରୁଛି । 2019 ପରି ଚଳିତଥର ମଧ୍ୟ ନବୀନ ପଶ୍ଚିମ-ଓଡିଶାରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବ ନିର୍ବାଚନରେ ଦ୍ବିତୀୟ ଆସନ ଭାବେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ନବୀନ ଏଥର କିନ୍ତୁ କଣ୍ଟାବାଞ୍ଜିକୁ ବାଛିଛନ୍ତି । ପୂର୍ବରୁ ନବୀନ ନର୍ଲ୍ଲା, ପଦ୍ମପୁର କିମ୍ବା କଣ୍ଟାବାଞ୍ଜିରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇଆସୁଥିଲା । ଶେଷରେ ନବୀନ ନିଜ ପାଇଁ କଣ୍ଟାବାଞ୍ଜି ଆସନର ମୋହର ମାରିଛନ୍ତି ।

ଟିକେଟ ପାଇଲେ ଗତକାଲି ଶଙ୍ଖ ଧରିଥିବା ଅରୁନ୍ଧତି:-

ସେହିପରି ଗତକାଲି ବିଜେଡିରେ ମିଶିଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ । ଗତକାଲି ସେ ବିଜେପି ଛାଡି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଜେଡିରେ ସାମିଲ ହୋଇଥିଲେ । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ।

ରଜନୀକାନ୍ତ ଓ ରବି ନନ୍ଦଙ୍କ ପତ୍ନୀଙ୍କୁ ଟିକେଟ:-

ଅନୁଗୁଳ ଆସନରେ ପୂର୍ବତନ ଉପ-ବାଚସ୍ପତି ରଜନୀକାନ୍ତ ସିଂଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଟିକେଟ ମଧ୍ୟ କାଟି ଦେଇଛି ଦଳ । ତାଙ୍କ ବଦଳରେ ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ଭରସା କରିଛି । କିଛିଦିନ ପୂର୍ବରୁ ଦିଲ୍ଲୀପ ବିଜେଡିରେ ସାମିଲ ହୋଇଥିଲେ । ସାନଖେମୁଣ୍ଡିରେ ଯୁବ ନେତୃତ୍ୱକୁ ଭରସା କରିଛି ଦଳ । ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ବିଜେଡି ଟିକେଟ ଦେଇଛି । ସେ ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କ ଝିଅ । ସେହିପରି ଦଳ ରବି ନନ୍ଦଙ୍କ ଟିକେଟ କାଟି ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ଜୟପୁର ଆସନ ପାଇଁ ପ୍ରାର୍ଥୀ କରିଛି ।

ଅଦଳବଦଳ ହେଲେ ରୋହିତ- ପ୍ରସନ୍ନ

ସେହିପରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଚାପରେ ଚେପା ହୋଇଛନ୍ତି ବିଜେଡି ସଭାପତି । ତେଣୁ ସମ୍ବଲପୁର ଓ ରେଢ଼ାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ସମ୍ବଲପୁର ରୋହିତ ପୂଜାରୀ ଓ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆସନ ଅଦଳବଦଳ ହୋଇଛି ।

ବିଜେଡିର ଚଳିତ ପ୍ରାର୍ଥୀ ତାଲିକା

ଚିତ୍ରକୋଣ୍ଡା - ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜି - ନବୀନ ପଟ୍ଟନାୟକ
ପଦମପୁର - ବର୍ଷା ସିଂ ବରିହା
କୁଚିଣ୍ଡା - ରାଜେନ୍ଦ୍ର ଛତ୍ରିଆ
ଦେବଗଡ଼ - ଅରୁନ୍ଧତୀ ଦେବୀ
ଅନୁଗୁଳ - ସଞ୍ଜିତା ସିଂ
ନିମାପଡ଼ା - ଦିଲ୍ଲୀପ ନାୟକ
ସାନଖେମୁଣ୍ଡି - ସୁଲକ୍ଷଣା ଦେବୀ
ଜୟପୁର - ଇନ୍ଦିରା ନନ୍ଦ

ବିଜେଡିର ୨ ପରିବର୍ତ୍ତିତ ପ୍ରାର୍ଥୀ ତାଲିକା

ସମ୍ବଲପୁର - ରୋହିତ ପୂଜାରୀ
ରେଢ଼ାଖୋଲ - ପ୍ରସନ୍ନ ଆଚାର୍ଯ୍ୟ

ଏହା ମଧ୍ୟ ପଢନ୍ତୁ:- ଶଙ୍ଖ ଫୁଙ୍କିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ, ବିଜେଡି ଟିକେଟରେ ଲଢ଼ିବେ ନିର୍ବାଚନ ! - Arundhati Devi Joins BJD

ଏଥର ମଧ୍ୟ ୨ ଆସନରୁ ଲଢ଼ିବେ ନବୀନ

ଏଠାରେ ସୂଚନାଯୋଗ୍ୟ, ଗତଥର (୨୦୧୯) ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ଗଞ୍ଜାମର ହିଞ୍ଜିଳିକାଟୁ ଆସନ ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ଲଢ଼ିଥିଲେ । ହେଲେ ପରେ ସେ ବିଜାପୁର ଆସନରୁ ଇସ୍ତାଫା ଦେବା ପରେ ଉପ-ନିର୍ବାଚନ ହୋଇଥିଲା । ଏଥର ସେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆଜି ପଞ୍ଚମ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା ପରେ ଦଳର ପ୍ରାର୍ଥୀ ସଂଖ୍ୟା 126 ରେ ପହଞ୍ଚିଛି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେଡି ପାଇଁ ଆଉ 21 ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଖବର ଅପଡେଟ ଜାରି ରହିଛି ....

Last Updated :Apr 17, 2024, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.