ETV Bharat / international

ପାକିସ୍ତାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ; ୮ ଆତଙ୍କୀ ନିହତ, ୨ ସୁରକ୍ଷାକର୍ମୀ ମୃତ

author img

By ETV Bharat Odisha Team

Published : Mar 21, 2024, 7:33 AM IST

Pakistan Port Attack: ପାକିସ୍ତାନର ଗ୍ୱାଦର ବନ୍ଦରରେ ଆତଙ୍କବାଦୀ ଆକ୍ରମଣ । ପାକ୍ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଆତଙ୍କୀ ନିହତ । ଅଧିକ ପଢନ୍ତୁ
ପାକିସ୍ତାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ;
ପାକିସ୍ତାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ;

ଇସଲାମବାଦ: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଗ୍ୱାଦର ବନ୍ଦରରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ବେଲୁଚିସ୍ତାନ ଲିବେରେସନ ଆର୍ମିର ଆତଙ୍କୀମାନେ ଏହି ଆକ୍ରମଣ କରିଛନ୍ତି । ବେଲୁଚି ଆତଙ୍କବାଦୀମାନେ ବନ୍ଦରରେ ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଥିଲେ । ଏହାର ଜବାବ ଦେଇଥିଲା ପାକିସ୍ତାନ ସୁରକ୍ଷାବଳ । ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ବୋମା ଓ ଗୁଳିଗୋଳା ଧରି ବନ୍ଦରର ଭିତରେ ପ୍ରବେଶ କରିଥିଲେ । ବନ୍ଦର ଭିତରେ ଥିବା ସରକାରୀ ବିଭାଗ, ଗୁଇନ୍ଦା ଏଜେନ୍ସି ଓ ପାରାମିଲେଟାରୀ ଅଫିସରେ ପଶିଥିଲେ । ତେବେ ପାକ୍ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପୂର୍ବରୁ ଆକ୍ରମଣକାରୀମାନେ ବନ୍ଦରରେ ବୋମା ବିସ୍ଫୋରଣ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ୮ ଜଣ ଆତଙ୍କବାଦୀ ଆଖି ବୁଜିଥିଲେ । ଏହି ଆକ୍ରମଣରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କହିରଖୁଛୁ କି, ଗ୍ବାଦର ପୋର୍ଟ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର(CPEC) ଏକ ଅଂଶ । ବେଲୁଚିସ୍ତାନ ପାକିସ୍ତାନର ଏକ ଖଣିଜ ସମୃଦ୍ଧ ପ୍ରଦେଶ ହୋଇଥିବା ବେଳେ ଦଶନ୍ଧି ଧରି ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ସତ୍ତ୍ବେ ଏଠାରେ ଚୀନ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ଅଧିନରେ ବିପୁଳ ପରିମାଣର ନିବେଶ କରିଛି । ବେଲୁଚିସ୍ତାନରେ ପ୍ରାକୃତିକ ଗ୍ୟାସ, କୋଇଲା ଓ ଓ ଖଣିଜ ସମ୍ପଦ ଭଳି ପ୍ରାକୃତିକ ସମ୍ବଳର ଭରପୁର ସତ୍ତ୍ବେ ପାକିସ୍ତାନର ସବୁଠୁ ଅନ୍ନୁନତ ଅଞ୍ଚଳ ହୋଇରହିଛି । ଏଠାରେ ଜନସଂଖ୍ୟା କମ୍ ଥିବାବେଳେ ଜଳସଙ୍କଟ, ମାନବ ସମ୍ବଳ ଅଭାବ ଏବଂ ମୌଳିକ ଶିକ୍ଷା ଅତ୍ୟନ୍ତ ବିପର୍ଯ୍ୟସ୍ତ ରହିଛି ।

ଏହା ମଧ୍ୟ ପଢନ୍ତୁ: ଚୀନରୁ ପାକିସ୍ତାନ ଯାଉଥିବା ଜାହାଜ ମୁମ୍ବାଇରେ ଅଟକ, ପରମାଣୁ ସାମଗ୍ରୀ ଥିବା ସନ୍ଦେହ

ଏହା ମଧ୍ୟ ପଢନ୍ତୁ: ଗାଜାରେ ଏୟାରଡ୍ରପ ବେଳେ ଖୋଲିଲାନି ପାରାଚ୍ୟୁଟ, ପାର୍ସଲ ଖସି 5 ମୃତ


ଗ୍ବାଦର ବନ୍ଦରର ବିକାଶକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । କାରଣ ଏହା ସେମାନଙ୍କ ସମ୍ବଳର ଶୋଷଣ ବୋଲି ସେମାନେ ଭାବୁଛନ୍ତି । ଏହି ଭାବନା ଏଠାରେ ଇଷ୍ଟ ତୁର୍କୀସ୍ତାନ ଇସଲାମିକ ମୁଭମେଣ୍ଟ (ETIM), ତେହେରିକ-ଇ-ତାଲବାନ ପାକିସ୍ତାନ (TTP), ଲସ୍କର ଇ-ତୋଏବା, ଲସ୍କର ଇ-ଜାଙ୍ଗଭି ଏବଂ ବେଲୁଚିସ୍ତାନ ଲିବେରେସନ ଫ୍ରଣ୍ଟ ଭଳି ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନକୁ ଜନ୍ମ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.