ETV Bharat / international

ଋଷିଆର କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ: ୬୦ ମୃତ, ନିନ୍ଦା କଲେ ମୋଦି - Moscow concert hall attack

author img

By ETV Bharat Odisha Team

Published : Mar 23, 2024, 7:43 AM IST

Updated : Mar 23, 2024, 10:37 AM IST

ଋଷିଆର କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ; ୬୦ ମୃତ
ଋଷିଆର କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ; ୬୦ ମୃତ

Moscow concert attack: ଋଷିଆ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ISIS ନିଜକୁ ଦାୟୀ କରିଛି । ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମସ୍କୋ: ଋଷିଆ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ଶୁକ୍ରବାର ରାତିରେ କିଛି ଅସ୍ତ୍ରଶସ୍ତ୍ରଧାରୀ ଆତତାୟୀମାନେ ମସ୍କୋ କ୍ରୋକସ ସିଟି ହଲରେ ପଶି ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆତତାୟୀଙ୍କ ବିସ୍ଫୋରଣରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା । ଯେଉଁଥି ପାଇଁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ଏହି ଆକ୍ରମଣ ନେଇ ଋଷିଆର ଏଫଏସବି ଫେଡେରାଲ ସିକ୍ୟୁରିଟି ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଆତଙ୍କୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ନିନ୍ଦା କରିଛନ୍ତି ଏବଂ ଏହି ଦୁଃଖ ସମୟରେ ଭାରତ ଋଷିଆ ସହ ଛିଡା ହୋଇଛି ବୋଲି ସେ କହିଛନ୍ତି । ଋଷୀୟ ନ୍ୟୁଜ ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ କ୍ରୋକସ ସିଟି ହଲରେ ଅତର୍କିତ ଗୁଳିମାଡ ସହ ବିସ୍ଫୋରକ ଫିଙ୍ଗିଥିଲେ । ଯେଉଁଥିପାଇଁ ହଲରେ ନିଆଁ ଲାଗିଯାଇଥିଲା । ତେବେ ବିଲ୍ଡିଂରୁ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଆକ୍ରମଣ ସମୟରେ କନସର୍ଟ ହଲରେ ଋଷୀୟ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ଏଥିପାଇଁ ସେଠାରେ ପ୍ରାୟ ୬ ହଜାର ଲୋକ ଏକତ୍ରିତ ହୋଇଥିଲେ । ଏହି ସମୟରେ କିଛି ଆତତାୟୀମାନେ ହଲରେ ପଶି ଦର୍ଶକମାନଙ୍କ ଉପରକୁ ଗୁଳିମାଡ ସହ ବିସ୍ଫୋରଣ ଘଟାଇଥିଲେ । ସ୍ବୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ହଲର ଛାତ ମଧ୍ୟ ଭୁଶୁଡି ପଡିଥିଲା । ହଲ ଭିତରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ନିଆଁ ଲାଗିବା ଯୋଗୁଁ ଆହୁରି ଅନେକ ଲୋକ ସେଠି ଫସି ରହିଥିବା ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ; ୮ ଆତଙ୍କୀ ନିହତ, ୨ ସୁରକ୍ଷାକର୍ମୀ ମୃତ

ଆକ୍ରମଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଲୋକମାନେ ଚିତ୍କାର କରି ପ୍ରାଣ ବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ପଛ ପଟୁ ଗୁଳିଗୋଳ ଶବ୍ଦ ଶୁଣାଯାଉଛି । ଏହି ଆକ୍ରମଣ ପାଇଁ ଇସଲାମିକ ଆତଙ୍କ ସଂଗଠନ ISIS ନିଜକୁ ଦାୟୀ କରିଛି । ତେବେ ବିଗତ କିଛି ବର୍ଷରେ ଋଷିଆର ଘଟିଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି । ପୁଣିଥରେ ଋଷିଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଭ୍ଲାଦମିର ପୁଟିନ ଅଧିକାରୀଙ୍କ ଠାରୁ ଆକ୍ରମଣ ଏବଂ ଘଟଣାସ୍ଥଳର ସ୍ଥିତି ସମ୍ପର୍କରେ ଲାଗାତାର ଅପଡେଟ୍ ନେଉଛନ୍ତି ।

ତେବେ ମସ୍କୋରେ ISIS ଆକ୍ରମଣ ନେଇ ପୂର୍ବରୁ ଆମେରିକା ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନରେ ଅବସ୍ଥିତ ଇସଲାମିକ ଷ୍ଟେଟ-ଖୋରାସନ ଗ୍ରୁପ ଯିଏକି ISIS-K ନାମରେ ଜଣାଶୁଣା ମସ୍କୋ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଏବଂ ISISର ସଦସ୍ୟ ଋଷିଆରେ ସକ୍ରିୟ ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । କିଛି ବର୍ଷ ହେଲା ଋଷିଆରେ ISIS-Kର ଗତିବିଧି ବୃଦ୍ଧି ପାଇଛି । ଏହି ଆତଙ୍କୀ ସଂଗଠନ ଅନେକ ସମୟରେ ରାଷ୍ଟ୍ରପତି ପୁଟିନଙ୍କ ସମାଲୋଚନା କରିଥାଏ ।

Last Updated :Mar 23, 2024, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.