ETV Bharat / bharat

ଭାରତରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା ! - Bangladesh MP Found Dead

author img

By ETV Bharat Odisha Team

Published : May 22, 2024, 6:17 PM IST

Bangladesh MP Found Dead In Kolkata: କୋଲକାତାରେ ମିଳିଛି ବାଂଲାଦେଶ ସାଂସଦ ଅନ୍ବାରୁଲ ଅଜିମଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ଦଳୀୟ ନେତୃତ୍ବ । ପୁରା ଖବର ପଢନ୍ତୁ

Bangladesh MP Dead
Bangladesh MP Dead (ETV Bharat)

କୋଲକାତା: ବାଂଲାଦେଶ ସାଂସଦ ଅନ୍ବାରୁଲ ଅଜିମଙ୍କୁ ହତ୍ୟା ଅଭିଯୋଗ । ପଶ୍ଚିମବଙ୍ଗର କୋଲକାତାରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ସୂଚନା ଅନୁସାରେ, ଅନ୍ବାରୁଲ ଗତ ୧୩ ତାରିଖରୁ ନିଖୋଜ ଥିଲେ । ବାଂଲାଦେଶ ଗଣମାଧ୍ୟମ 'ଡେଲି ଷ୍ଟାର' ମୁତାବକ, ଗୃହମନ୍ତ୍ରୀ ଅସଦୁଜ୍ଜମା ଖାନ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ମେ ୧୨ ତାରିଖରେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ । ଏହାପରେ ଆଉ ତାଙ୍କର ପତ୍ତା ମିଳୁନଥିଲା । ସମସ୍ତ ହତ୍ୟାକାରୀ ବାଂଲାଦେଶର ହୋଇଥିବା ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ।

ସାଂସଦଙ୍କୁ ହତ୍ୟା ଅଭିଯୋଗ: ଅସଦୁଜ୍ଜମା ଖାନ ଆହୁରି ମଧ୍ୟ କହିଛନ୍ତି, "ଏହି ହତ୍ୟାକାଣ୍ଡ ମାମଲାରେ ଭାରତୀୟ ପୋଲିସ ବାଂଲାଦେଶ ପୋଲିସକୁ ସହଯୋଗ କରିଛି ।" ସୂଚନା ଅନୁସାରେ, ଅନ୍ବାରୁଲ ଅଜିମ ତିନି ତିନି ଥର ସାଂସଦ ରହିଆସିଛନ୍ତି । ଚିକିତ୍ସା ପାଇଁ ଭାରତ ଆସି ସେ ଗତ ୧୩ ତାରିଖରୁ ନିଖୋଜ ଥିଲେ । ଏନେଇ କୋଲକାତାର ବାରାନଗର ପୋଲିସ ଷ୍ଟେସନରେ ଗତ ୧୮ ତାରିଖରେ ଏତଲା ଦିଆଯାଇଥିଲା ।

କୋଲକାତା ପୋଲିସର ତଦନ୍ତ: କୋଲକାତା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଅଜିମଙ୍କ ପରିବାର ସଦସ୍ୟଙ୍କୁ କୋଲକାତା ଡକାଯାଇଛି । ଦିଲ୍ଲୀ ଦୂତାବାସରେ ବାଂଲାଦେଶ ମନ୍ତ୍ରୀ ଶାବାନ ମହଜୁଦ କହିଛନ୍ତି, "ଭାରତ ଆମର ପୁରୁଣା ଓ ବିଶ୍ବସ୍ତ ମିତ୍ର ଦେଶ । ତେଣୁ ଭାରତୀୟ ଅଧିକାରୀଙ୍କ ଠାରୁ ଅଧିକ ତଥ୍ୟ ମିଳିପାରିବ ବୋଲି ଆମର ଆଶା ରହିଛି ।" ସବୁଠୁ ବଡ଼ କଥା ହେଉଛି ସାଂସଦଙ୍କ ଫୋନର ଶେଷ ଲୋକେସନ ବିହାରରେ ଥିବା ଜଣାପଡ଼ିଛି । ତେଣୁ ବିହାର ଓ ଛତିଶଗଡ଼ ପୋଲିସର ସହାୟତା ନେଇଛି ପଶ୍ଚିମବଙ୍ଗ ପୋଲିସ ।

ନ୍ୟୁ ଟାଉନର ଏକ ଫ୍ଲାଟରୁ ମିଳିଥିଲା ମୃତଦେହ: ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ବହୁ ପ୍ରଚେଷ୍ଟା ପରେ ନିଖୋଜ ସାଂସଦଙ୍କ ପତ୍ତା ମିଳିଥିଲା । ନ୍ୟୁଟାଉନ ସ୍ଥିତ ଏକ ଫ୍ଲାଟରେ ଖାନତଲାସି ବେଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସେଠାକାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।" ଅଜିମଙ୍କ ସହ ଆଉ ଦୁଇ ଜଣ ସେହି ଫ୍ଲାଟକୁ ଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେହି ଦୁଇ ବ୍ୟକ୍ତିଙ୍କର ହତ୍ୟାକାଣ୍ଡ ସହ ସମ୍ପୃକ୍ତି ଥାଇପାରେ ବୋଲି ପ୍ରାଥମିକ ତଦନ୍ତବେଳେ ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପରେ ପରେ ସେମାନେ ଦେଶ ଛାଡ଼ି ପଳାୟନ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ମେଟ୍ରୋରେ କେଜ୍ରିଓ୍ବାଲଙ୍କୁ ହତ୍ୟା ଧମକ ଘଟଣା, ବ୍ୟାଙ୍କରକୁ ବାନ୍ଧିଲା ପୋଲିସ - Arvind Kejriwal Threatening Case

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.