ETV Bharat / international

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ - Indian student dies in US

author img

By ETV Bharat Odisha Team

Published : Apr 6, 2024, 8:42 AM IST

Etv Bharat
Etv Bharat

Indian student dies in US: ଆମେରିକାର ଓହିଓରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜକନ ମୃତ୍ୟୁ ହୋଇଛି । ଏନେଇ ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ପଢନ୍ତୁ

ନ୍ୟୁୟର୍କ: ଭାରତୀୟ ସମୁଦାୟଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ଲଗାତାର ଭାରତୀୟ ଛାତ୍ର ଓ ମୂଳ ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି । କେତେବେଳେ ମରଣାନ୍ତକ ଆକ୍ରମଣ ତ ଆଉ କେତେବେଳେ ହତ୍ୟା । ଏବେ ଆମେରିକାର ଓହିଓ ପ୍ରଦେଶରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଉମା ସତ୍ୟସାଇ ଗଡ୍ଡେ ଏବଂ ସେ କ୍ଲେଭଲାଣ୍ଡରେ ପଢୁଥିଲେ । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କୁହାଯାଇଛି, ''କ୍ଲେଭଲାଣ୍ଡରେ ଭାରତୀୟ ଛାତ୍ର ଉମା ସତ୍ୟସାଇ ଗଡ୍ଡେଙ୍କ ମୃତ୍ୟୁରେ ଆମେ ଖୁବ୍ ଦୁଃଖିତ । ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । ଭାରତରେ ଥିବା ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଅଛୁ । ଖୁବଶୀଘ୍ର ତାଙ୍କର ମୃତଦେହ ଭାରତ ଫେରାଇବା ଠାରୁ ଆରମ୍ଭ କରି ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି ।''

୨୦୨୪ ଆରମ୍ଭରୁ ଆମେରିକାରେ ଅତିକମରେ ଅଧ ଡର୍ଜନ ଭାରତୀୟ ଓ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇସାରିଲାଣି । ଏଠାରେ ବାରମ୍ବାର ଭାରତୀୟଙ୍କୁ ଆକ୍ରମଣ ସମୁଦାୟ ମଧ୍ୟରେ ଭୟ ସଞ୍ଚାର କରିଛି । ଗତ ମାସରେ ମିସୌରୀର ସେଣ୍ଟ ଲୁଇସ ଅଞ୍ଚଳରେ ଭାରତର ୩୪ ବର୍ଷୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫେବୃଆରୀ ୫ରେ ପର୍ଡୁ ୟୁନିଭରସିଟିରେ ପଢୁଥିବା ସମୀର କମାଠ ନାମକ ଜଣେ ୨୩ ବର୍ଷୀୟ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା ।

ଏହାର ଦୁଇ ଦିନ ପୂର୍ବରୁ ୪୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଆଇଟି ଏକଜିକ୍ୟୁଟିଭ ବିବେକ ତନେଜା ୱାଶିଂଟନର ଏକ ରେସ୍ତୋରାଁ ବାହାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଚିକାଗୋରେ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା, ଯିଏକି ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ ମାଗିଥିଲେ । ଆମେରିକାରେ ଲଗାତାର ଭାରେ ଭାରତୀୟ ଓ ମୂଳ ଭାରତୀୟଙ୍କ ଉପରେ ଆକ୍ରମଣ ଏବେ ଚିନ୍ତାଜନକ ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ଏହା ମଧ୍ୟ ପଢନ୍ତୁ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ବିଦେଶ ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.