ETV Bharat / bharat

ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ବିଦେଶ ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସ୍ତ୍ରୀ

author img

By ETV Bharat Odisha Team

Published : Feb 7, 2024, 9:53 AM IST

Updated : Feb 7, 2024, 11:15 AM IST

Hyderabad Student Attacked In USA: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ସମ୍ପୃକ୍ତ ଛାତ୍ର ଭିଡିଓ ବାର୍ତ୍ତା ଜାରି କରି ସାହାଯ୍ୟ ମାଗିଥିବା ବେଳେ ତାଙ୍କ ସ୍ତ୍ରୀ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି ସାହାଯ୍ୟ ଲୋଡିଛନ୍ତି । ଅଧିକ ପଢନ୍ତୁ

Hyderabad Student Attacked In USA
Hyderabad Student Attacked In USA

ଓ୍ୱାଶିଂଟନ: ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଗତ କିଛି ଦିନ ହେବ ଆମେରିକାରେ ଭାରତୀୟ ଛାତ୍ର ଅସୁରକ୍ଷିତ ରହିଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଚିକାଗୋରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ଛାତ୍ର ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ ମାଗିଛନ୍ତି । ଉକ୍ତ ପୀଡିତ ଛାତ୍ରଙ୍କ ନାମ ମାଜାହିର ଅଲି ବୋଲି ଜଣାପଡିଛି ।

ମାଜାହିର ଜାରି କରିଥିବା ଭିଡିଓରେ ଦେଖାଯାଇଛି ଯେ, ତାଙ୍କ ମୁଣ୍ଡ ଏବଂ ନାକରୁ ରକ୍ତସ୍ରାବ ହେଉଛି । ସେ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଅନ୍ୟପଟେ ହାଇଦ୍ରାବାଦରେ ରହୁଥିବା ଛାତ୍ରଙ୍କର ପତ୍ନୀ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ସହିତ ଆମେରିକା ଯିବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

ବୈଦେଶିକ ମନ୍ତ୍ରୀଙ୍କୁ ପୀଡିତଙ୍କ ସ୍ତ୍ରୀଙ୍କ ଚିଠି: ମାଜାହିର ଅଲିଙ୍କ ପତ୍ନୀ ସେୟଦା ରୁକେୟା ଫାତିମା ରିଜଭି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି କହିଛିନ୍ତି, "ଚିକାଗୋରେ ମୋ ସ୍ବାମୀର ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ମୁଁ ନିବେଦନ କରୁଛି ଯେ, ତାଙ୍କୁ ସାହାଯ୍ୟ କରିବା ସହିତ ଉପଯୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉ । ଯଦି ଆବଶ୍ୟକ ହୁଏ ତାହେଲେ ମୋତେ ଏବଂ ମୋର ଛୁଆଙ୍କୁ ଆମେରିକା ପଠାଇବାର ବ୍ୟବସ୍ଥା କରାଯାଉ ।"

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ପୀଡିତ ଛାତ୍ରଙ୍କ ଭିଡିଓ ବାର୍ତ୍ତା: ସୂଚନା ଅନୁସାରେ, ହାଇଦ୍ରାବାଦର ବାସିନ୍ଦା ସୟଦ ମଜାହିର ଅଲି ଚିକାଗୋର ଇଣ୍ଡିଆନା ୱେସଲିୟାନ୍ ବିଶ୍ୱବିଦ୍ୟାଳୟରେ ଆଇଟିରେ ମାଷ୍ଟର ଡିଗ୍ରୀ କରୁଛନ୍ତି । ଫେବୃଆରୀ 4 ତାରିଖରେ ତିନି ଜଣ ଆକ୍ରମଣକାରୀ ଚିକାଗୋରେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆକ୍ରମଣକାରୀମାନେ ମାଜାହିରଙ୍କ ପଛରେ ଦୌଡୁଥିବା ଅବସ୍ଥାରେ ନଜର ଆସିଛନ୍ତି । ଏହି ଘଟଣା ପରେ ଛାତ୍ର ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ମୁଁ ଘରକୁ ଫେରୁଥିବା ସମୟରେ ଚାରି ଜଣ ବ୍ୟକ୍ତି ମୋ ଉପରେ ଆକ୍ରମଣ କରିଥିଲେ । ମୁଁ ଦୌଡୁଥିବା ବେଳେ ପଡିଯିବାରୁ ସେମାନେ ମୋତେ ଆକ୍ରମଣ କରିଥିଲେ । ଦୟାକରି ମୋତେ ସାହାଯ୍ୟ କରନ୍ତୁ ।

ପ୍ରକାଶଥାଉକି, ବିଦେଶରେ ଭାରତୀୟ ଛାତ୍ର ଏବଂ ନାଗରିକଙ୍କ ଉପରେ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସୁଛି । ଗତ ସପ୍ତାହରେ ଆମେରିକାର ଓହିଓ ରାଜ୍ୟ ସିନ୍‌ସିନାଟିରେ ଶ୍ରେୟସ ରେଡ୍ଡି ନାମକ ଜଣେ ଭାରତୀୟ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ଅନ୍ୟ ଦୁଇ ଭାରତୀୟ ଛାତ୍ର ମଧ୍ୟ ପ୍ରାଣ ହରାଇଥିଲେ ।

Last Updated : Feb 7, 2024, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.