ETV Bharat / business

ପ୍ରତିଦିନ ମାତ୍ର ୨୫୦ ଟଙ୍କା ସଞ୍ଚୟ କରି ହୁଅନ୍ତୁ ୨୪ ଲକ୍ଷର ମାଲିକ, ଆପଣାନ୍ତୁ ଏହି ଉପାୟ - Post Office Public Provident Fund

author img

By ETV Bharat Odisha Team

Published : May 5, 2024, 10:12 AM IST

Post Office Public Provident Fund: ପୋଷ୍ଟ ଅଫିସରେ ଏକ ଛୋଟ ସଞ୍ଚୟ ଆପଣଙ୍କୁ କରିପାରେ ଲକ୍ଷପତି । ଦୈନିକ ମାତ୍ର ୨୫୦ ଟଙ୍କା ସଞ୍ଚୟ କରି ଆପଣ ପାଇପାରନ୍ତି ୨୪ ଲକ୍ଷ ଟଙ୍କା । ଜାଣନ୍ତୁ କେମିତି ।

Post Office Public Provident Fund
Post Office Public Provident Fund (Etv Bharat Odisha)

ହାଇଦ୍ରାବାଦ: ସମସ୍ତେ ନିଜ ଆୟରୁ କିଛି ଅର୍ଥ ସଞ୍ଚୟ (Savings) କରିବାକୁ ଚାହିଁଥାନ୍ତି ଯାହା ତାଙ୍କର ଭବିଷ୍ୟତରେ କାମରେ ଆସିପାରିବ । ଟଙ୍କା ସଞ୍ଚୟ କରିବା ପାଇଁ ଅନେକ ସରକାରୀ ଯୋଜନାମାନ ରହିଛି । ଯେଉଁଥିରେ ଅଳ୍ପ ଟଙ୍କା ବିନିଯୋଗ (invest) କରି ଆପଣ ଲକ୍ଷାଧିକ ଟଙ୍କା ରିଟର୍ଣ୍ଣ ପାଇପାରିବେ ଓ ଏହି ଟଙ୍କା ସୁରକ୍ଷିତ ମଧ୍ୟ ରହିପାରିବ । ତେବେ ଆସନ୍ତୁ ଏଭଳି ଏକ ସରକାରୀ ଯୋଜନା ବିଷୟରେ ଜାଣିବା ଯେଉଁଥିରେ ଆପଣ ଅଳ୍ପ ପରିମାଣର ଟଙ୍କା ବିନିଯୋଗ କରି ଏକ ବଡ ପରିମାଣର ଟଙ୍କା ଭବିଷ୍ୟତରେ ପାଇପାରିବେ । ତେବେ ଜାଣନ୍ତୁ ସେହି ଯୋଜନା ବିଷୟରେ ।

ପୋଷ୍ଟ ଅଫିସ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍ (PPF): PPF ହେଉଛି ଏକ ସଞ୍ଚୟ ଯୋଜନା । ଏହି ଯୋଜନା ଏହାର ସୁନିଶ୍ଚିତ ରିଟର୍ଣ୍ଣ ଏବଂ ଟିକସ ସୁବିଧା ପାଇଁ ଜଣାଶୁଣା । ଏହି ଯୋଜନାରେ ବିନିଯୋଗ ବହୁତ କମ୍ ପରିମାଣରେ ଆରମ୍ଭ ହୋଇପାରିବ । ଦୀର୍ଘକାଳୀନ ବିନିଯୋଗ (Long term Investment) କ୍ଷେତ୍ରରେ ମଧ୍ୟ ଏହା ବେଶ ଲାଭଦାୟକ ଅଟେ । ଏହି ଯୋଜନାରେ, ଆପଣ ପ୍ରତିଦିନ 250 ଟଙ୍କା ସଞ୍ଚୟ କରି ନିଜ ପାଇଁ 24 ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରିପାରିବେ ।

ଅଳ୍ପ ପରିମାଣରେ ଇନଭେଷ୍ଟ କରିବାକୁ ଚାହୁଁଥିଲେ ଏହା ବେଶ ଲାଭକାରୀ ଯୋଜନା ଅଟେ । ଏହି ଯୋଜନାରେ ନିୟମିତ ଭାବେ ନିବେଶ କଲେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ପୋଷ୍ଟ ଅଫିସରେ ଅଳ୍ପ ପରିମାଣରେ ସଞ୍ଚୟ ଯୋଜନା କରୁଥିଲେ ପିପିଏଫ ଆପଣଙ୍କ ପାଇଁ ବେଶ ଲାଭଦାୟକ ରହିବ । ଏହି ସ୍କିମର ପରିପକ୍ୱତା (Maturity) ଅବଧି ୧୫ ବର୍ଷ ଅଟେ । ଏହାପରେ ପ୍ରତି ୫ ବର୍ଷରେ ଥରେ ଏହାକୁ ବଢାଯାଇପାରେ । ଏଥିସହ କେନ୍ଦ୍ର ସରକାର ଏହି ଯୋଜନାରେ ବର୍ତ୍ତମାନ ୭.୧ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଟ୍ୟାକ୍ସ ସଞ୍ଚୟ ପାଇଁ ସରଳ ଉପାୟ, ଜାଣିରଖନ୍ତୁ ଏହି ୧୦ ସ୍କିମ୍ - Tax Saving Instruments

କିଛି ଦିନ ତଳେ ଏହା ଏପ୍ରିଲ-ଜୁନ ତ୍ରୟମାସିକ ପାଇଁ ସୁଧହାର ଘୋଷଣା କରିଛି । ଏହା ପ୍ରତି ୩ ମାସରେ ଏହି ଯୋଜନାର ସୁଧହାର ପ୍ରତିଶତ ସମୀକ୍ଷା କରେ । କେବେ କେବେ ଏହାକୁ ଠିକ କରାଯାଇପାରେ । ବେଳେବେଳେ ଏହାକୁ ବୃଦ୍ଧି କିମ୍ବା ହ୍ରାସ ମଧ୍ୟ କରାଯାଇପାରେ । ଅର୍ଥନୈତିଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସ୍ଥିତିକୁ ଆକଳନ କଲେ ଏହି ସୁଧହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଯୋଜନାରେ ଅର୍ଥ ବିନିଯୋଗ କରି ଆପଣ ଆୟକର ନିୟମ ୧୯୬୧ର ଧାରା ୮୦ସି ଆଧାରରେ ଟିକସ ଛାଡ ପାଇପାରିବେ । ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ଦାବି କରାଯାଇପାରିବ । ଆହୁରି ମଧ୍ୟ, ଏହି ଯୋଜନାରେ ସୁଧ ଏବଂ ପ୍ରତ୍ୟାହାର ରାଶି ଉପରେ କୌଣସି ଟ୍ୟାକ୍ସ ନାହିଁ । ଆପଣ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ ।

ବର୍ତ୍ତମାନ ପିପିଏଫ ଯୋଜନାରେ ସୁଧ ହାର ୭.୧ ପ୍ରତିଶତ ରହିଛି । ଅର୍ଥାତ ଆପଣ ଯଦି ବାର୍ଷିକ ୧୦ ହଜାର ଟଙ୍କା ନିବେଶ କରିବେ ତେବେ ଆପଣଙ୍କ ନିବେଶ ଟଙ୍କା ୨ ଲକ୍ଷ ଟଙ୍କା ହେବ । ଯଦି ଆପଣ ୧୫ ବର୍ଷର ମ୍ୟାଚୁରିଟି ପରେ ଆଉ ୫ ବର୍ଷ ପାଇଁ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୨ ଲକ୍ଷ ୪୩ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମିଳିବ । ସର୍ବମୋଟ ଆପଣ ୪ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

ଏହାମଧ୍ୟ ପଢନ୍ତୁ.. ସୁକନ୍ୟା ସମୃଦ୍ଧି ଯୋଜନାରେ ପାଇବେ 50 ଲକ୍ଷ, କେମିତି କରିବେ ବିନିଯୋଗ ? ଜାଣନ୍ତୁ

ଯଦି ଆପଣ ପ୍ରତିବର୍ଷ ୧୦ହଜାର ଟଙ୍କା ନିବେଶ କରନ୍ତି ତେବେ ପ୍ରତିଦିନ କେବଳ ୨୭ ଟଙ୍କା ଦେବାକୁ ପଡିବ । ଯଦି ଆପଣ ପ୍ରତିଦିନ ୩୦ ଟଙ୍କା ହିସାବରେ ମଧ୍ୟ ନିବେଶ କରୁଛନ୍ତି ତେବେ ଏହି ଟଙ୍କା ପ୍ରତି ମାସକୁ ୧୦୦୦ ଟଙ୍କା ହେବ । ଅର୍ଥାତ ଆପଣଙ୍କୁ ପ୍ରତିବର୍ଷ ୧୨ ହଜାର ଟଙ୍କା ନିବେଶ କରିବାକୁ ପଡିବ । ଏହାପରେ ୨୦ ବର୍ଷର ମ୍ୟାଚୁରିଟି ପରେ ଆପଣଙ୍କୁ ମିଳିବ ୫ ଲକ୍ଷ ୩୦ ହଜାର । କିନ୍ତୁ ଆପଣ ଏଥିରେ ଇନଭେଷ୍ଟ କରିଥିବେ ମାତ୍ର ୨ ଲକ୍ଷ ୪୦ ହଜାର ଟଙ୍କା । ଏହାଉପରେ ଆପଣଙ୍କୁ ସୁଧ ମିଳିବ ୨ ଲକ୍ଷ ୯୨ ହଜାର ଟଙ୍କା । ଏହି ସ୍କିମରେ ଆପଣଙ୍କୁ ପାଖାପାଖି ୫ ଲକ୍ଷ ୩୨ ହଜାର ୬୬୦ ଟଙ୍କା ପର୍ଯ୍ୟନ୍ତ ମିଳିବ ।

ଠିକ ଏହିପରି ଯଦି ଆପଣ ପ୍ରତିଦିନ ୨୫୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ଆପଣ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରିବେ । ଏହାର ହିସାବ ମଧ୍ୟ ବେଶ ସରଳ ଅଟେ । ଉଦାହରଣସ୍ବରୂପ, ଯଦି ଆପଣ ପ୍ରତିଦିନ ୨୫୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ଆପଣ ମାସକୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ । ବର୍ଷକୁ ଏହା ୯୦ ହଜାର ଟଙ୍କାରେ ପହଞ୍ଚିବ । ପିପିଏଫରେ ଆପଣଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କା ସଞ୍ଚୟ କରିବାକୁ ପଡିବ । ଅର୍ଥାତ୍ ପ୍ରତିବର୍ଷ ୯୦ ହଜାର ଟଙ୍କା ସଞ୍ଚୟ କଲେ ୧୫ ବର୍ଷରେ ଆପଣଙ୍କ ସର୍ବମୋଟ ସଞ୍ଚୟ ହେବ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହା ଉପରେ ୭.୧ ହାରରେ ସୁଧ ମିଳିଲେ ଏହି ଟଙ୍କା ୧୦ ଲକ୍ଷ ୯୦ ହଜାର ୯୬୨ ଟଙ୍କା ହେବ । ଏହାସହ ଆପଣଙ୍କୁ ମ୍ୟାଚୁରିଟି ଉପରେ ସର୍ବମୋଟ ୨୪ ଲକ୍ଷ ୪୦ ହଜାର ୯୬୨ ଟଙ୍କା ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.