ETV Bharat / bharat

15 ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଖୁବଶୀଘ୍ର ବୈଠକ

author img

By ETV Bharat Odisha Team

Published : Mar 10, 2024, 9:14 PM IST

15 ତାରିଖ ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଖୁବଶିଘ୍ର ବୈଠକ
15 ତାରିଖ ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଖୁବଶିଘ୍ର ବୈଠକ

Two EC Likely to Be Appointed: 15 ତାରିଖ ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ବସିବ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଗତକାଲି ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତକାଲି ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଏବେ ନିର୍ବାଚନ କମିଶନରେ ଦୁଇ ଆୟୁକ୍ତଙ୍କ ପଦ ଖାଲି ପଡିଛି । ପୂର୍ବରୁ ଅନ୍ୟ ଜଣେ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ମଧ୍ୟ ଇସ୍ତଫା ଦେଇଥିଲେ । ସାଧାରଣ ନିର୍ବାଚନ ପ୍ରାକ- ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ 3 ଆୟୁକ୍ତଙ୍କୁ ନେଇ ଗଠିତ ଏହି ଆୟୋଗରେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହିଁ କାର୍ଯ୍ୟରତ ଅଛନ୍ତି । ତେବେ ସପ୍ତାହେ ମଧ୍ୟରେ ଅର୍ଥାତ 15 ତାରିଖ ସୁଦ୍ଧା ଅନ୍ୟ ଦୁଇ କମିଶନରଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ମିଳିଛି ।

ପ୍ରକ୍ରିୟା ଅନୁସାରେ, କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ, କେନ୍ଦ୍ର ଗୃହ ସଚିବ ଓ କାର୍ମିକ ମନ୍ତ୍ରଣାଳୟର ସଚିବଙ୍କୁ ନେଇ ଗଠିତ ସର୍ଚ୍ଚ କମିଟି ଉଭୟ ପଦ ପାଇଁ ଯୋଗ୍ୟ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ସୁପାରିଶ କରିବ । ଏହି ସର୍ଚ୍ଚ କମିଟି ଦୁଇଟି ପ୍ୟାନେଲ ଗଠନ କରିବ । ଏହି ଦୁଇ ପ୍ୟାନେଲ ପ୍ରତ୍ୟେକ ପଦବୀ ପାଇଁ ଅତିକମରେ 5ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖିବ । ପରେ ଏହି ସୁପାରିଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ହିଁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ ।

ଏହି କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଜଣେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସଦସ୍ୟ ରହିଛନ୍ତି । ଆଇନମନ୍ତ୍ରୀଙ୍କ ନେତୃତ୍ବାଧୀନ ସର୍ଚ୍ଚ କମିଟି ପକ୍ଷରୁ ସୁପାରିଶ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଏହି କମିଟି ହିଁ ନିର୍ବାଚନ ଆୟୁକ୍ତ ନିଯୁକ୍ତି ଉପରେ ଚୂଡାନ୍ତ ମୋହର ମାରିବ । ଏହି କମିଟିର ସୁପାରିଶକୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଦୁଇ କମିଶନର ଦାୟିତ୍ବ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ :- ଫେଲ୍‌ ମାରିଲା 12 ଘଣ୍ଟାର ପରିଶ୍ରମ, ଜୀବନ ଯୁଦ୍ଧରେ ହାରିଗଲେ ବୋରୱେଲରେ ଖସି ପଡିଥିବା ଯୁବକ

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ପୁରା ପ୍ରକ୍ରିୟା ଚଳିତ 15 ତାରିଖ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ 13 କିମ୍ବା 14 ତାରିଖରେ ବସିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଗତକାଲି ଅରୁଣ ଗୋଏଲ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି । ଏପରି ସମୟରେ ନିର୍ବାଚନ ପରିଚାଳନା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସରକାର ଖୁବଶୀଘ୍ର ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହେ ମଧ୍ୟରେ ଅନ୍ୟ ଦୁଇ କମିଶନରଙ୍କୁ ନିଯୁକ୍ତି ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.